ରାଉରକେଲା: ପାନପୋଷ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)। କମିଟିରେ ଅଛନ୍ତି ଅଧ୍ୟକ୍ଷ, ଉପାଧ୍ୟକ୍ଷ ସମେତ କୃଷି, ବ୍ୟବସାୟ, ଗ୍ରାମପଞ୍ଚାୟତ ଓ ପୌରପାଳିକାର ପ୍ରତିନିଧି। କମିଟି ଗଠନ ହେଉଛି ସତ, କିନ୍ତୁ ଚାଷୀଙ୍କ ସମସ୍ୟା ଦୂର ହେଉନି। ଆର୍ଥିକ ଅଭିବୃଦ୍ଧି ଘଟୁନି। ଚାଷୀମାନେ ସେମାନଙ୍କର କୃଷିଜାତ ଦ୍ରବ୍ୟ କେମିତି ଉଚିତ ମୂଲ୍ୟରେ ବିକିବେ, ଅଭାବୀ ବିକ୍ରିର ଶିକାର ନ ହେବେ, ସେଥିପ୍ରତି କମିଟିର ଧ୍ୟାନ ନାହିଁ। ପାନପୋଷ ନିୟନ୍ତ୍ରିତ ବଜାର କମିଟି କୌଣସି କାମ କରୁନଥିବା ଅଭିଯୋଗ ହେଉଛି।

Advertisment

ଆର୍‌ଏମ୍‌ସି ଅଧୀନରେ ରହିଛି କୁଆରମୁଣ୍ଡା, ନୂଆଗାଁ, ବିଶ୍ରା ଓ ଲାଠିକଟା ବ୍ଲକ୍‌। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଓ ସରକାରୀ ପାଣ୍ଠିରୁ ଲାଠିକଟାର ସୁଇଡିହି, ବିଶ୍ରାର ଭାଲୁଲତା, ନୂଆଗାଁର ଫୁଲଝର, କୁଆରମୁଣ୍ଡାର ଜମୁନାନାକିରେ କେତୋଟି ପରିବା ପିଣ୍ଡି ଓ ଗୋଦାମ ଗୃହ ହୋଇଛି। ସେଥିରୁ କିଛି ଗୋଦାମ ଗୃହ ଚାଷୀଙ୍କ କାମରେ ଲାଗୁଛି। ରାଉରକେଲା ସିଭିଲଟାଉନ୍‌ସିପସ୍ଥ ସଞ୍ଜୟ ମାର୍କେଟ ନିକଟରେ ମଧ୍ୟ ଏକ କୃଷକ ବଜାର ରହିଛି। ଉପରୋକ୍ତ ବଜାର ଗୁଡ଼ିକର ସ୍ଥିତିରୁ ଆର୍‌ଏମ୍‌ସି ଓ କମିଟିର ପ୍ରତିନିଧି କେମିତି କାମ କରୁଛନ୍ତି ଜଣାପଡ଼ୁଛି।

କେବଳ ରାଉରକେଲା କୃଷକ ବଜାର ନୁହେଁ, ଅନ୍ୟ ଚାରିଟି ବ୍ଲକରେ ବି ସମାନ ସ୍ଥିତି। ଆଜି ପର୍ଯ୍ୟନ୍ତ ବାଲୁଘାଟସ୍ଥିତ ହୋଲ୍‌ସେଲ୍‌ କୃଷକ ବଜାର ପାଇଁ ଇଟା ଖଣ୍ଡିଏ ମଧ୍ୟ ପଡିପାରି ନାହିଁ। କୁହାଗଲା ଆର୍‌ଏମ୍‌ସି ହୋଲ୍‌ସେଲ୍‌ ବଜାର ପାଇଁ ପାଣ୍ଠି ମଞ୍ଜୁର ହୋଇଛି। ହେଲେ ଏପର୍ଯ୍ୟନ୍ତ ଟଙ୍କାଟିଏ ଆସିଲାନି। ତେଣୁ ଆର୍‌ଏମ୍‌ସି  କମିଟି ବିଗତ ଦିନରେ କ’ଣ କରିଛି, ତାକୁ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ସେମିତି ନିର୍ବାଚନ ପ୍ରକ୍ରିୟାକୁ ନେଇ ଉଭୟ ଚାଷୀ ଓ ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚାଷର ଅଭିଜ୍ଞତା ନଥିବା ରାଜନୈତିକ ଦଳର ନେତା ବି ଚାଷୀ ପ୍ରତିନିଧି ବନି ଯାଇଛନ୍ତି। ସେମିତି ଉପାଧ୍ୟକ୍ଷ ନିଯୁକ୍ତି ଭୋଟିଂ ପ୍ରକିୟାରେ କରିବା ପରିବର୍ତ୍ତେ ସରକାର ଚୟନ କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଚାଷୀ ଓ ନେତାମାନେ ଅଭିଯୋଗ କରିଛନ୍ତି। ଏବେ ଆର୍‌ଏମ୍‌ସି କେବଳ ସାଇନ୍‌ବୋର୍ଡ ସଂସ୍ଥାରେ ପରିଣତ ହୋଇଛି ବୋଲି ଆଲୋଚନା ହେଉଛି। ବରିଷ୍ଠ ବିଜେଡି ନେତା ବୀରେନ ସେନାପତି କହିଛନ୍ତି, କମିଟି କାହା ସ୍ବାର୍ଥରେ କାମ କରୁଛି ଜଣାପଡୁନି।

ଆଜି ପର୍ଯ୍ୟନ୍ତ ଜିଲ୍ଲାର ୪ ବ୍ଲକ୍‌ର ଚାଷୀଙ୍କ ହିତରେ କମିଟି କଣ ବିକାଶମୂଳକ କାମ କରିଛି, ତାହା ସମସ୍ତଙ୍କୁ ଜଣା। ତେଣୁ ସଂସ୍ଥାର ଆବଶ୍ୟକତା ଥିଲା ଭଳି ମନେ ହେଉନି। ନିର୍ବାଚନ ମଧ୍ୟ ଠିକ୍‌ରେ କରାଯାଉ ନାହିଁ। ଉପାଧ୍ୟକ୍ଷ ପଦ ପାଇଁ ଭୋଟିଂ ହେବା ଦରକାର। ବିଜେପିର ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କହିଛନ୍ତି, ଯଦି ଉପାଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦ୍ବନ୍ଦ ଉପୁଜିଛି, ଆମେ ଆଲୋଚନା କରିବୁ। ଆଗାମୀ ଦିନରେ ପାନପୋଷ ନିୟନ୍ତ୍ରିତ ବଜାର କମିଟି ଚାଷୀ ହିତରେ କାମ କରିବ। ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ କହିଛନ୍ତି, କେବଳ କମିଟି ଗଠନ ହେଉଛି। କିନ୍ତୁ ଚାଷୀଙ୍କ କୌଣସି ଆର୍ଥିକ ବିକାଶ ହୋଇପାରୁନି। ଚାଷ ସମ୍ପର୍କରେ ଅଭିଜ୍ଞତା ନଥିବା ରାଜନୈତିକ ଦଳର ନେତାଙ୍କୁ ପ୍ରତିନିଧି ପଦରୁ ହଟାଯିବା ଦରକାର। କମିଟି ଗଠନ କରି ଯୋଗ୍ୟ ଚାଷୀଙ୍କୁ ପ୍ରତିନିଧି କରିବା ଉଚିତ।