ଝରିଗାଁ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସ୍ୱଳ୍ପ ବୃଷ୍ଟିପାତ ହୋଇଛି। ଫସଲକୁ ନୂଆ ରୋଗ ଗ୍ରାସ କରୁଛି। ଚଳିତ ବର୍ଷ ଧାନଚାଷ ଉପରେ ସିଧାସଳଖ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଜଳସେଚନ ସୁବିଧା ନଥିବା ବେଳେ ଚଳିତ ବର୍ଷ ଚାଷୀ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାମ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ନିଅଣ୍ଟିଆ ବର୍ଷା ସହ ରୋଗ ପୋକର ପଦୁର୍ଭାଵ ଯୋଗୁଁ ଧାନ ଚାଷ ନଷ୍ଟ ହୋଇଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି। ଧାର ଉଧାର କରି ଧାନଚାଷ କରିଥିବା ବେଳେ ବର୍ଷକର ଚାଷ ନଷ୍ଟ ହେବା ପରେ ଋଣ ପରିଷଦ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି।
ପାଲିଆ ଗ୍ରାମର କ୍ଷୁଦ୍ରଚାଷୀ ପରମାନନ୍ଦ ମାଝୀଙ୍କ ଅଭିଯୋଗ ପ୍ରକାରେ ବ୍ୟାଙ୍କ ଋଣ କରି ସେ ଦେଢ଼ ଏକର ଧାନଚାଷ କରିଥିଲେ। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ୨୦ ଦିନ ତଳେ ବର୍ଷା ହେବା ପରେ ଧାନ କିଆରିରେ ପାଣି ଅଟକାଇ ରଖିଥିଲେ। ପାଣି ଅଟକାଇ ରଖିବାର ୪ ଦିନ ପରେ ଧାନ ଗଛରେ ରୋଗପୋକ ଲାଗିବା ଆରମ୍ଭ ହୋଇଥିଲା। ପରେ କୀଟନାଶକ ଔଷଧ ନେଇ ଜମିରେ ଛିଞ୍ଚନ ମଧ୍ୟ କରିଥିଲେ। ଦୁଇ ଦିନ ମଧ୍ୟରେ ପ୍ରାୟ ଏକ ଏକର ଜମିରେ ଧାନ ଗଛର ପତ୍ର ପୋଡି ଯିବା ସହ ପରେ ପରେ ଧାନ ଗଛ ନଷ୍ଟ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି।ଧାନ ଗଛ ଠିକ ଥିବା ବେଳେ ଧାନ ବାହାରିବା ସମୟରେ ଚାଷ ନଷ୍ଟ ପରେ ପରମାନନ୍ଦ ଚିନ୍ତାରେ ପଡିଛନ୍ତି।
/sambad/media/media_files/2024/10/17/QaXOcmNkhZ7S87i5GXnf.jpeg)
ସେହିପରି ପଦଲାମ ହରିଜନଙ୍କ ଅଭିଯୋଗ ପ୍ରକାରେ ଚଳିତ ବର୍ଷ ପାଲିଆ ନିକଟସ୍ଥ ଢେଫ ଜମିରେ ଧାରଉଧାର କରି ୩ ଏକର ଧାନ ଚାଷ କରିଥିଲେ। ୧୫ ଦିନ ତଳେ ଠିକ ଗଛରୁ ଧାନ ବାହାରିବା ସମୟରେ ବର୍ଷା ଅଭାବ ସହ ରୋଗ ପୋକ ଲାଗିଥିଲା। ବର୍ତ୍ତମାନ ଧାନ ଗଛର ପତ୍ର ଶୁଖି ଯିବା ସହ ଧାନ ଗଛ ନଷ୍ଟ ହୋଇ ଯାଉଛି। ପ୍ରାୟ ଏକ ଏକର ଧାନ ଚାଷ ନଷ୍ଟ ହୋଇ ଯାଇଥିବା ବେଳେ ଜମିରେ ଔଷଧ ଛିଞ୍ଚନ କରିଥିବା କହିଛନ୍ତି। ଔଷଧ ଛିଞ୍ଚନ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି। ସେ ଉତ୍ପାଦନ ହ୍ରାସ ପାଇବା ନେଇ ଆଶଙ୍କା କରିଛନ୍ତି।
ଗୋପାଳଗୁଡ଼ା ଗ୍ରାମର ଚାଷୀ ଫଗୁଣୁ ମାଝୀ କୁହନ୍ତି, ସେ ପୋପାଳଗୁଡା ନିକଟସ୍ଥ ଖାଲଜମିରେ ୩ ଏକର ଧାନ ଚାଷ କରିଥିଲେ। ଧାନ ବାହାରିବା ସମୟରେ ବର୍ଷା ଅଭାବ ସହ ରୋଗ ପୋକ ଲାଗିଥିଲା। ପ୍ରାୟ ୨ ଏକର ଜମିରେ ପ୍ରଥମେ ଧାନଗଛର ପତ୍ର ଗୁଡ଼ିକ ଶୁଖି ଯାଇଥିଲା। ଧାନ ଗଛ ଗୁଡିକ ନଷ୍ଟ ହୋଇଗଲା। ଧାନ ଗଛରେ ଧାନ ନହୋଇ ସବୁ ପୋଲ ହୋଇଗଲା। ପାଲିଆ ପଞ୍ଚାୟତର ମଙ୍ଗଲୁ ଜାନୀ, ଶ୍ୟାମସୁନ୍ଦର ପାଇକ, ମହେଶ୍ୱର ହରିଜନ ଭଳି ବହୁ ଚାଷୀଙ୍କ ଧାନ ଚାଷ ସ୍ୱଳ୍ପ ବୃଷ୍ଟିପାତ ଓ ରୋଗ ପୋକ ପାଇଁ ନଷ୍ଟ ହୋଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ କ୍ଷୟ କ୍ଷତି ଆକଳନ କରି କ୍ଷତି ପୁରଣ ଦେବା ପାଇଁ ଦାବି ହୋଇଛି।
ଝରିଗାଁ ବ୍ଳକରେ ୧୬,୮୩୫ ଜଣ ଚାଷୀ ରହିଥିବା ବେଳେ ଚଳିତ ବର୍ଷ ୮୬୫୨ ହେକ୍ଟର ଜମିରେ ଭିବିନ୍ନ କିସମର ଧାନଚାଷ କରାଯାଇଛି। ୭୯୫୦ ହେକ୍ଟରରେ ମକା ଚାଷ ହେଉଥିବା ବେଳେ ୪୭୦ ହେକ୍ଟର ଜମିରେ ପରିବା ଚାଷ ହେଉଥିବା ସୂଚନା ମିଳିଛି। ଗତବର୍ଷ ଖରିଫ ଋତୁରେ ୪୭୨୬ ହେକ୍ଟର ଜମିରେ ଜଳ ସେଚିତ ହେଉଥିବା ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିବା ବେଳେ ବାସ୍ତବରେ ତାହା ଢେର କମ ହେବ।ଯଦି ପ୍ରଶାସନ ପକ୍ଷରୁ ଝରିଗାଁ ବ୍ଲକରେ ଥିବା ଜମି ଗୁଡିକରେ ଜଳ ସେଚନ ସୁବିଧା କରାଯାଏ ତେବେ ଚାଷୀମାନେ ବର୍ଷା ପାଣିକୁ ନିର୍ଭର ନକରି ବର୍ଷକୁ ଦୁଇ ଥର ଚାଷ କରିବା ସହ ଆର୍ଥିକ ମାନଦଣ୍ଡ ସୁଧାରିବା ପାଇଁ ସୁଯୋଗ ମିଳିପାରିଥାନ୍ତା। ତେଣୁ ପ୍ରଶାସନ ତୁରନ୍ତ ଚାଷ ଜମିରେ ଜଳ ସେଚନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଚାଷୀ ମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/17/U33pjGD91IAiGKQgyE4W.jpeg)