ନବରଙ୍ଗପୁର: ଜିଲ୍ଲାର ଚାଷୀ ସବୁ ବେଳେ ଲାଭକାରୀ ଚାଷ କରିବାରେ ଆଗୁଆ। ଗତ ୧୫ବର୍ଷ ହେବ ମକା ଚାଷ କରି ଆସୁଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ଓରମାସ ପକ୍ଷରୁ ମକା ମିସନରେ ମକା ମଣ୍ଡି କରି ମଂଜି କିଣି ନିଆଯାଉଛି। ଜିଲ୍ଲାର ୩ ପ୍ରମୁଖ ବ୍ୟବସାୟୀ ମକା ମଂଜି କିଣି ନେଇ ପଡୋଶୀ ରାଜ୍ୟକୁ ରତ୍ପାନୀ କରୁଛନ୍ତି। କ୍ବିଣ୍ଟାଲ ପିଛା ୨୧ଶହରୁ ୨୨ଶହ ଟଙ୍କା ମଧ୍ୟରେ ମକା ମଂଜି କିଣୁଛନ୍ତି।

Advertisment

ଲାଭ ଅଧିକା ରହୁଥିବାରୁ ପୂର୍ବରୁ ଡଙ୍ଗର, ଜଙ୍ଗଲ ଜମିରେ ଚାଷୀ ମାନେ ଚାଷ କରୁଥିଲେ। ଏବେ ଧାନ ଜମିରେ ମଧ୍ୟ ଚାଷ ଆରମ୍ଭ କରିଛନ୍ତି। ସହରତଳି ସାନଡାଇଭଟା, ମିର୍ଗାନଗୁଡା, କୁସୁମି, ଦେଦେଶପାଲ୍ଲୀ, ସିନ୍ଦିଗୁଡ଼ା ଅଂଚଳରେ ବି ଶହ ଶହ ଏକର ଧାନ ଜମିରେ ଏବେ ମକା ଚାଷ କରାଯାଉଛି। ବେଶି ଉତ୍ପାଦନ ଆଶାରେ ହାଇବ୍ରୀଡ ବିହନ ପାଇଁ ଅତ୍ୟାଧିକ ରାସାୟନିକ ସାର, କୀଟନାଶକ ଔଷଧ ଆଦି ପକାଇବା ଫଳରେ ଜମିର ଉର୍ବରତା କମିବା ସହ ଅମ୍ଲ ଅଧିକା ହୋଇ ପରିବେଶ ନଷ୍ଟ ହେଉଛି। ତେବେ ଚାଷୀ ଏହାକୁ ଖାତିର କରୁନାହାନ୍ତି। ପ୍ରଶାସନ ଚାଷୀଙ୍କୁ  ଏନେଇ ସଚେତନତା ବି ସୃଷ୍ଟି କରୁନି। 

ଜିଲ୍ଲାର ୧୦ଟି ଯାକ ବ୍ଲକରେ  ୬୫ହଜାର ହେକ୍ଟର ଜମିରେ ମକା ଉତ୍ପାଦନ ହେଉଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି। ବେସରକାରୀ ଭାବେ ଏହା ୧ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଚାଷ କରାଯାଉଛି। ଜଙ୍ଗଲ ଜମି ୩୭ହଜାର, ଧାନ ଜମି ୧୫ହଜାର ହେକ୍ଟର ଓ ବଳକା ୪୮ହଜାର ହେକ୍ଟର ଜମିରେ ଚାଷ ହେଉଛି।  

ହାଇବ୍ରିଡ ମକା ବିହନରେ ରସାୟନିକ ସାର ଦେଲେ ୨ରୁ ୩ ଗୁଣ ଲାଭ ମିଳିବା ଆଶାରେ ଚାଷୀ ଆଖିବୁଜି ଜମିରେ ପ୍ରୟୋଗ କରୁଛନ୍ତି। କେବଳ ମକା ଚାଷ ପାଇଁ ବର୍ଷକୁ ୭୦ ହଜାର ଟନ୍ ରାସୟନିକ ସାର୍ ପ୍ରୟୋଗ କରାଯାଉଛି । କେବଳ ରସାୟନିକ ସାର ନୁହେଁ, ରୋଗ ନିରାକରଣ ପାଇଁ କୀଟନାଶକ ମଧ୍ୟ ସିଞ୍ଚନ କରାଯାଉଛି। ରସାୟନିକ ସାର ଯୋଗୁଁ ମାଟିର ପ୍ରାକୃତିକ ଉର୍ବରତା କମିବାରେ ଲାଗିଛି। ଅମ୍ଳ ପରିମାଣ ବୃଦ୍ଧି ଯୋଗୁ ଅନ୍ୟ ଫସଲ ବିନା ସାରରେ ହେଉନାହିଁ। 

 

ଓଡ଼ିଶାର ସିଂହଭାଗ ରାସାୟନିକ ସାର ଏବେ ଏହି ଜିଲ୍ଲାର ମାଟିରେ ପଢୁଛି। ରାସାୟନିକ ସାର ବ୍ୟବହାରରେ ଜାତୀୟ ହାରକୁ ନବରଙ୍ଗପୁର ଜିଲ୍ଲା ପଛରେ ପକାଇବାରେ ଲାଗିଛି। ଜାତୀୟସ୍ତରରେ ରାସାୟନିକ ସାରକୁ ଦେଖିଲେ ହେକ୍ଟର ପିଛା ପ୍ରାୟ ୧୫୭ କେଜି ବ୍ୟବହାର ହେଉଛି। ଅଥଚ ଏହି ଜିଲ୍ଲାରେ ହେକ୍ଟର ପିଛା ୧୫୪.୨୦ କେଜି ବ୍ୟବହାର ହେଉଛି। ସାଧାରଣ ମାଟିର ଅମ୍ଳ ଭେଲ୍ୟୁ ୬ରୁ ୭ ପିଏଚ୍ ରହୁଥିବା ବେଳେ ଜିଲ୍ଲାର ମାଟିର ଏହି ସ୍ତର ୪ରୁ ୫ ପିଏଚକୁ ଖସିଲାଣି। ଜିଲ୍ଲା ପ୍ରଶାସନ ଓ ରାଜ୍ୟସରକାରଙ୍କ ପକ୍ଷରୁ ରାସାୟନିକ ସାର ପ୍ରୟୋଗର କୁପ୍ରଭାବ ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ। 

Nabarangpur