ବାଉଁଶୁଣି: କୃଷକ ଓ କୃଷି ବିଭାଗକୁ ଗୁରୁତ୍ୱ ଦିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ବୌଦ୍ଧ ଭଳି ଏକ କୃଷି ପ୍ରଧାନ ଜିଲ୍ଲାରେ କୃଷି ବିଭାଗକୁ ପ୍ରଶାସନିକ ସ୍ଥରରେ କିଭଳି ଅବହେଳା କରାଯାଉଛି ତାହା ସଦର ବ୍ଲକର ବାଉଁଶୁଣିରେ ଦେଖିବାକୁ ମିଳିଛି। ବାଉଁଶୁଣି ଠାରେ ଥିବା ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ ଅଟେ। ଏହି କାର୍ଯ୍ୟାଳୟ ଆଜିକୁ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ହେବ ବାଉଁଶୁଣି ଠାରେ କାର୍ଯ୍ୟ କରି ଆସୁଛି। ଏହା ବୌଦ୍ଧ ବ୍ଲକର ୨ଗୋଟି ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରୁ ଗୋଟିଏ କାର୍ଯ୍ୟାଳୟ ଅଟେ।

Advertisment

ଏହି କାର୍ଯ୍ୟାଳୟ ଅଧୀନରେ ୧୫ଟି ପଞ୍ଚାୟତର ଚାଷୀମାନେ କୃଷି ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ପାଇବା ସହ ଚାଷ ପାଇଁ ବିଭିନ୍ନ ପ୍ରକାର ବିହନ ଓ କିଟନାଶକ ଅତି ସହଜରେ ପାଇ ପାରୁଥିଲେ। ହେଲେ ୬ବର୍ଷ ପୂର୍ବରୁ ଏଠାରେ ଅବସ୍ଥାପିତ ସହକାରୀ କୃଷି ଅଧିକାରୀ ରବିନାରାୟଣ ପଣ୍ଡାଙ୍କ ଅବସର ଗ୍ରହଣ ପରେ ଆଉ ନୂଆ କୃଷି ଅଧିକାରୀଙ୍କୁ ବାଉଁଶୁଣିରେ ନିଯୁକ୍ତ କରାଗଲା ନାହିଁ। ଫଳରେ କାର୍ଯ୍ୟାଳୟଟି କାର୍ଯ୍ୟକ୍ଷମ ନହୋଇ ପଡି ରହିବା ଯୋଗୁଁ ଜରାଜୀର୍ଣ୍ଣ ହୋଇ ବର୍ତ୍ତମାନ ଭୁତକୋଠି ଭଳି ପଡିରହିଛି।

ଅଧିକାରୀ ଅବସ୍ଥାପିତ ଓ କାର୍ଯ୍ୟାଳୟର ମରାମତି ନେଇ ଗତ କିଛି ବର୍ଷ ହେଲା ସମ୍ବାଦରେ ଲଗାତାର ଭାବେ ଖବର ପ୍ରକାଶିତ ହୋଇ ଆସୁଛି। ବାରମ୍ବାର ଖବର ପ୍ରକାଶନ ହେବାରୁ ଗତ ବର୍ଷ ଜୁଲାଇ ମାସ ୧୯ ତାରିଖରେ ବୈଜୟନ୍ତୀ ପ୍ରଧାନଙ୍କୁ ସହକାରୀ କୃଷି ଅଧିକାରୀ ଭାବେ ଏଠାରେ ଅବସ୍ଥାପିତ କରାଯାଇଛି। ହେଲେ ଅଧିକାରୀ ନିଯୁକ୍ତ ହେବାର ୨ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାଳୟଟି ବ୍ୟବହାର ଉପଯୋଗୀ ଅବସ୍ଥାରେ ନଥିବାରୁ ଏଠାରେ ଅବସ୍ଥାପିତ ଅଧିକାରୀ ଅଫିସ କାର୍ଯ୍ୟ କରିପାରୁ ନାହାନ୍ତି।

publive-image

କାର୍ଯ୍ୟାଳୟଟି ଅଚଳ ଅବସ୍ଥାରେ ରହିଥିବାରୁ ବର୍ତ୍ତମାନ ଅଧିକରୁ ଅଧିକ ଜରାଜୀର୍ଣ୍ଣ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଆସି ଗଲାଣି। କୃଷି ପ୍ରଧାନ ଜିଲ୍ଲାରେ କୃଷି ବିଭାଗ ପ୍ରତି ସରକାରଙ୍କ ଏଭଳି ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଣୁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏଠାରେ ଥିବା ପ୍ରତିବନ୍ଧକକୁ ଶୀଘ୍ର ଦୂର କରି କାର୍ଯ୍ୟାଳୟର ମରାମତି କରାଯାଇ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀ ମହଲରୁ ଦୃଢ଼ ଦାବି ହେଉଅଛି। 

Boudh | Farmers