ସମ୍ବଲପୁର: ଟୋକନ୍‌ ସମସ୍ୟା ସମାଧାନ ଦାବିରେ ଆଜି ଚାଷୀ ସଂଗଠନ ପକ୍ଷରୁ ଆଜି (୧୯ ତାରିଖରେ) ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ ହେଉଛି। ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ଏହାର ନେତୃତ୍ବ  ନେଉଛଛନ୍ତି। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ, ମୁଖପାତ୍ର ସରୋଜ ମହାନ୍ତି ଓ ଚାଷୀ ନେତା ବ୍ୟୋମକେଶ ଠାକୁର ଏବଂ ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଏହାର ନେତୃତ୍ବ ନେଉଛନ୍ତି। ଏହାର ପ୍ରଭାବରେ ବସ୍ ଚଳାଚଳ ବନ୍ଦ ରହିଛି। ଦୋକାନବଜାର ସକାଳୁ ଖୋଲିନାହିଁ। ତେବେ ଅନ୍ୟାନ୍ୟ ବ୍ୟବସ୍ଥା ସ୍ବାଭାବିକ ରହିଛି।

Advertisment

ଏହା ପୂର୍ବରୁ ୧୬ ତାରିଖରେ ଅଭିନବ ପ୍ରତିବାଦ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସହଯୋଗ ପାଇଁ ଶ୍ରମିକ, ବ୍ୟବସାୟିକ, ପରିବହନ ସହିତ ସଂପୃକ୍ତ ଅନୁଷ୍ଠାନ, ସାମାଜିକ ଏବଂ ସାଂସ୍କୃତିକ ସଙ୍ଗଠନଗୁଡ଼ିକୁ ଅନୁରୋଧ କରାଯାଇଥିଲା। ସଙ୍ଗଠନ ପକ୍ଷରୁ ଆଜି ବରେଇପାଲି ମଣ୍ଡିରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। 

କୃଷକ ସଙ୍ଗଠନର କହିବା ମୁତାବକ ଟୋକନ୍‌ ଦାବି ନେଇ ଚାଷୀମାନେ ରାଜପଥ ଅବରୋଧ କରିଥିଲେ। ହେଲେ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଓଲଟା ଚାଷୀଙ୍କୁ ଗିରଫ କଲା ପ୍ରଶାସନ। ସେପଟେ ଟୋକନ୍‌ ପ୍ରସଙ୍ଗରେ ଶାସକ ବିଜେପି ଦଳ ବିରୋଧୀ ବିଜେଡିକୁ ଟାର୍ଗେଟ୍‌ କରୁଛି, ଅଥଚ ଟୋକନ୍‌ ବାବଦରେ ମୁହଁ ଖୋଲୁନି। ଯୋଗାଣ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ପଞ୍ଜୀକୃତ ୬୫ ହଜାର ୧୪୩ ଚାଷୀଙ୍କ ମଧ୍ୟରୁ ୬୧ ହଜାର ୮୯୨ ଜଣଙ୍କୁ ଟୋକନ୍‌ ମିଳିଛି। ୨ ହଜାର ଚାଷୀଙ୍କୁ ଗୋଟିଏ ବି ଟୋକନ୍‌ ମିଳିନାହିଁ। ଯେଉଁମାନଙ୍କୁ ମିଳିଛି କେବଳ ଗୋଟିଏ ଟୋକନ୍‌ ମିଳିଥିବାରୁ ସବୁ ଧାନ ବିକ୍ରି ହୋଇ ପାରୁନାହିଁ। ଫଳରେ ବିଭିନ୍ନ ସ୍ଥାନରେ ଧାନର ଅଭାବୀ ବିକ୍ରି ବଢ଼ିବାରେ ଲାଗିଛି। ଗୋଟିଏ ମାସ ବିଳମ୍ବରେ ମଣ୍ଡି ଖୋଲିବା ପରେ ମଧ୍ୟ ଚାଷୀଙ୍କୁ ଟୋକନ୍‌ ମିଳି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। 

ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ସମସ୍ୟା 

ଛତିଶଗଡ଼ରେ ଧାନ ସଂଗ୍ରହ ସୁରୁଖୁରୁରେ ଚାଲିଥିବା ବେଳେ ଓଡ଼ିଶାରେ ଏଭଳି ସମସ୍ୟା କେବଳ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଉପୁଜିଥିବା ସ୍ପଷ୍ଟ। ଏହି ବୈଠକରେ କୃଷକ ନେତା ଅଶୋକ ପ୍ରଧାନ, ସରୋଜ, ବ୍ୟୋମକେଶ ଠାକୁର, ସୁଶାନ୍ତ ପଣ୍ଡା, ତରଣୀସେନ ଭୋଇ, ଦୋଳଗୋବିନ୍ଦ ନାୟକ, ଉମେଶ ମିଶ୍ର, ଭୈରବ ପ୍ରଧାନ, ଦିଲୀପ ସାହୁ, ବିପିନ ଭୋଇ, ସଞ୍ଜୀବ ବାରିକ, ଜୟନାରାୟଣ ସାହୁ, ଦିଲୀପ ମହାପାତ୍ର, ନନ୍ଦଲାଲ ତ୍ରିପାଠୀ, କାଶୀ ବିଶ୍ୱନାଥ, ସନ୍ତୋଷ ତେଲେଂଗା, ସରୋଜ ମହାପାତ୍ର, ଅଶ୍ୱିନୀ ହୋତା, ଅଶ୍ୱିନୀ ମହାପାତ୍ର, ଦାମୋଦର ପ୍ରଧାନ, ଯୋଗେଶ ଭୋଇ, ସୀତାକାନ୍ତ ପଣ୍ଡା, ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଏଣେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲାବିଜେଡି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଥିଲେ ଯେ, କୃଷକ ସଂଗଠନ ପକ୍ଷରୁ ଆଗାମୀ ଡିସେମ୍ବର ୧୯ ତାରିଖରେ ହେବାକୁ ଥିବା ଚାଷୀ ଭାଇମାନଙ୍କ ସମ୍ବଲପୁର ବନ୍ଦ ଡାକରାକୁ ବିଜୁ ଜନତା ଦଳ(ବିଜେଡି) ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି। ଏହି ବନ୍ଦ ଡାକରାରେ ଦଳ ସାମିଲ ମଧ୍ୟ ହେବ।