ବାଲେଶ୍ବର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ବର ଗସ୍ତ କାଳରେ ରବିବାର କହିଛନ୍ତି ଅଦିନିଆ ବର୍ଷାରେ ଯେଉଁ ଚାଷୀମାନଙ୍କର କ୍ଷୟକ୍ଷତି ହୋଇଛି, ସମସ୍ତଙ୍କୁ ସରକାରଙ୍କ ତରଫରୁ ଇନ୍ପୁଟ ସହାୟତା ପ୍ରଦାନ କରାଯିବ। ସରକାର ସମସ୍ତଙ୍କ ସହ ଅଛନ୍ତି। କେହି ଆଦୌ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ସମସ୍ତ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯାଉଛି।
ଏହି ଖବର ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମହାକୁମ୍ଭ ପାଇଁ ନିମନ୍ତ୍ରଣ କଲେ ଯୋଗୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଜି ବାଲେଶ୍ବର ଓ ଭଦ୍ରକ ଜିଲ୍ଲା ଗସ୍ତ କରି ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ଦେଖିଥିଲେ। ଅପରାହ୍ନ ୪ଟା ବେଳେ ବାଲେଶ୍ବରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ତାଙ୍କୁ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଲନ୍ଦାସାରଗାଁ ପଞ୍ଚାୟତର ମହାପଦା ଗ୍ରାମକୁ ନିଆଯାଇଥିଲା। ଚାଷୀଙ୍କ ଜମିକୁ ଯାଇ ଧାନ ଦେଖିବା ସହ ଉପମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ଶୁଣିଥିଲେ। ଚାଷୀମାନେ ଋଣ କରି ଚାଷ କରିଥିବା ବେଳେ ଅଦିନିଆ ବର୍ଷା ସେମାନଙ୍କର ବର୍ଷକର ସମ୍ବଳ ଛଡ଼ାଇ ନେଇଥିବା ଉପମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହାପରେ ଓଡ଼ଙ୍ଗି ପଞ୍ଚାୟତ ଯାଇ ସେଠାରେ ଚାଷୀମାନଙ୍କୁ ଭେଟିଥିଲେ।
ଏହି ଖବର ପଢ଼ନ୍ତୁ: ଓଡ଼ିଶାରୁ ଖସିଯାଇଥିଲା ଜୀନତ, ପଶ୍ଚିମବଙ୍ଗରେ ଜନ୍ତାରେ ଫସିଲା ବାଘୁଣୀ
ରାଜ୍ୟ ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ଘୋଷଣା କରାଯାଇଥିବା ଇନ୍ପୁଟ ସହାୟତା କିପରି ଠିକ୍ ତଥା ଯୋଗ୍ୟ ଚାଷୀଙ୍କୁ ପ୍ରଦାନ କରାଯିବ ଏବଂ ଯୋଗ୍ୟ ଚାଷୀମାନେ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି କି ନାହିଁ, ସେ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କଠାରୁ ଅବଗତ ହୋଇଥିଲେ।
କ୍ଷେତ୍ର ପରିଦର୍ଶନ ପରେ ଉପମୁଖ୍ୟମନ୍ତ୍ରୀ ସର୍କିଟ୍ ହାଉସ୍କୁ ଆସି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଉପରେ ଆଲୋଚନା କରିଥିଲେ। ପ୍ରଭାବିତ ଅଞ୍ଚଳଗୁଡ଼ିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ତୁରନ୍ତ ରିପୋର୍ଟ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ଫସଲ କ୍ଷୟକ୍ଷତିର ସ୍ୱଚ୍ଛ ଓ ସଠିକ୍ ଆକଳନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ କିପରି ଚାଲିଛି, ସେ ସମ୍ପର୍କରେ ସମୀକ୍ଷା କରିଥିଲେ ଉପମୁଖ୍ୟମନ୍ତ୍ରୀ।
ଉକ୍ତ ବୈଠକରେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ସଦର ବିଧାୟକ ମାନସ ଦତ୍ତ ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ସମେତ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ସମସ୍ତ ତହସିଲଦାର ଓ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଖବର ପଢ଼ନ୍ତୁ: ଗଜପତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ