କୁଜଙ୍ଗ: କଟକ-ପାରାଦୀପ ରାଜ୍ୟରାଜପଥର କୋଠିଆସାହି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ଏଥିରେ ବାପା ଓ ଝିଅଙ୍କ ଉପରେ ଦ୍ରୁତଗାମୀ ହାଇୱା ଚଢ଼ି ଯାଇଛି। ଏଥିରେ ଉଭୟ ବାପା ଓ ଝିଅଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜକିଶୋର ବିଶ୍ବାଳ ଓ ତାଙ୍କ ଝିଅ ଲୋରୀ ବିଶ୍ବାଳ (୯)। ଏହି ଦୁର୍ଘଟଣା ପରେ ଉତ୍ତେଜିତ ସ୍ଥାନୀୟ ଲୋକେ କଟକ-ପାରାଦୀପ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ଆଉ ମାତ୍ର ୧୦୦ ମିଟର ପରେ ଘରେ ପହଞ୍ଚି ଥାନ୍ତେ ବାପା ଓ ଝିଅ। ସକାଳ ୯ଟାରୁ ସ୍କୁଲ ଯାଇଥିବା ଝିଅ ଆସିଲେ କ’ଣ ଖାଇବ, ସେଥି ପାଇଁ ମା’ ବ୍ୟସ୍ତଥିଲେ। କଟକ-ପାରାଦୀପ ରାଜ୍ୟରାଜପଥର କୋଠିଆସାହି ନିକଟରେ ୯ବର୍ଷ ବୟସର ଝିଅ ସହିତ ବାପାଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
ଘଟଣାରୁ ପ୍ରକାଶ ଯେ, କୁଜଙ୍ଗ ଥାନା ଷଣ୍ଢପୁର ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ବିଶ୍ବାଳଙ୍କ ପୁତ୍ର ରାଜକିଶୋର ବିଶ୍ବାଳ ଆଜି ଅପରାହ୍ଣରେ ସ୍କୁଲ ଛୁଟି ହେଲା ପରେ ତାଙ୍କର ଝିଅ ଲୋରୀ ବିଶ୍ବାଳ(୯)ଙ୍କୁ ପାରାଦୀପ ରିଫାଇନାରୀସ୍ଥିତ ଡିପିଏସ୍ ବିଦ୍ୟାଳୟରୁ ନିଜ ବାଇକ ଯୋଗେ ଘରକୁ ଆଣି ଆସୁଥିଲେl ଆଉ ମାତ୍ର ୧୦୦ ମିଟର ପରେ ନିଜ ଘରକୁ ବାପ ଓ ଝିଅ ପହଞ୍ଚି ଥାନ୍ତେ। କିନ୍ତୁ କୋଠିଆସାହି ଛକଠାରେ କଟକରୁ-ପାରାଦୀପ ଆଡକୁ ଆସୁଥିବା ଏକ ବଜୁରୀ ବୋଝେଇ ହାଇଓ୍ବା (ଓଡି ୦୯ ୭୨୫୫) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବାପ ଓ ଝିଅ ଛିଟିକି ଗାଡ଼ି ଚକା ତଳେ ପଡ଼ି ଯାଇଥିଲେl ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲାl
ଏହି ଘଟଣାରେ ମୃତକଙ୍କ ନିଜ ଗ୍ରାମ ଷଣ୍ଢପୁର ଓ ଆଖପାଖ ଅଂଚଳର ଲୋକମାନେ ଉତ୍ତେଜିତ ହୋଇଛନ୍ତି। କୋଠିଆସାହି ଠାରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ କରୁଛି। ତେବେ ଉପଯୁକ୍ତ କ୍ଷତିପୂରଣ ଓ ଲଗାମ ବିହୀନ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
Nabarangpur