ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ବ୍ଲକରେ ସାର ଅଭାବ ନେଇ କୃଷକ ମହାସଂଘ ତରଫରୁ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ଗତମାସ ଡାବୁଗାଁରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲା କୃଷି ଅଧିକାରୀଙ୍କୁ ଚାଷୀମାନେ ଘେରିଥିଲେ। କୃଷି ଅଧିକାରୀ ସୁଧୀର ବେହେରା ଚାଷୀମାନଙ୍କୁ ଅଗଷ୍ଟ ମାସ ଶେଷ ସୁଦ୍ଧା ୧୫୦୦ ପ୍ୟାକେଟ ୟୁରିଆ ସାର ଯୋଗାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ପ୍ରତିଶ୍ରୁତି ପରେ ଡାବୁଗାଁ ଲ୍ୟାମ୍ପରେ ସାର ପହଞ୍ଚିଥିଲା।

Advertisment

ଡାବୁଗାଁ ଲ୍ୟାମ୍ପ ତରଫରୁ କୃଷି ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଚାଷୀଙ୍କୁ ସାର ଯୋଗାଣ ହୋଇଥିଲା। ପ୍ରବଳ ବର୍ଷା ସତ୍ବେ ଚାଷୀମାନେ ଲ୍ୟାମ୍ପ ଗୋଦାମ ସମ୍ମୁଖରେ ଧାଡ଼ି ବାନ୍ଧି ସାର ନେଇଥିଲେ।

ତେବେ ସାର ଯୋଗାଣ ସମୟରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ଦେବା ବଦଳରେ ଅଣଚାଷୀମାନଙ୍କୁ ସାର ଦିଆଯାଇଥିବା କୃଷକ ମହାସଂଘ ତରଫରୁ ଦାବି ହୋଇଛି। କିଛି ଦଲାଲ ସକ୍ରିୟ ହୋଇ ଆଧାର କାର୍ଡ ମାଧ୍ୟମରେ ସାର ହାତେଇ ସେହି ସାରକୁ ପ୍ରକୃତ ଚାଷୀଙ୍କୁ ଚଢ଼ା ଦରରେ ବିକ୍ରି କରିଛନ୍ତି। ଦଲାଲମାନେ କିଛି ହାତ ଗୁଞ୍ଜା ଦେଇ ଅଣଚାଷୀ ମାନଙ୍କୁ ହାତେଇ ଲ୍ୟାମ୍ପରେ ସାର ନେଇଥିବା ଅଭିଯୋଗ ହୋଇଛି।

କୃଷି ବିଭାଗ ଓ ଲ୍ୟାମ୍ପ ତରଫରୁ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ସାର ଯୋଗାଣ କରିବା ବଦଳରେ ଆଧାର କାର୍ଡ ରଖି ୨ ପ୍ୟାକେଟ ସାର ଦେଉଥିବାରୁ ଦଲାଲମାନେ ବହୁ ପରିମାଣର ସାର ହାତେଇ ଛନ୍ତି। ତେବେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷାରେ ଠିଆ ହୋଇଥିବା ପ୍ରକୃତ ଚାଷୀ ସାର ନ ପାଇ ନିରାଶ ହୋଇଛନ୍ତି। ବର୍ତ୍ତମାନ ଚାଷ କାର୍ଯ୍ୟରେ ୟୁରିଆ ସାର ଦେବା ନିତାନ୍ତ ଆବଶ୍ୟକ ଥିବା ବେଳେ ପ୍ରକୃତ ଚାଷୀ ସାର ନ ପାଇ ଦଲାଲ ଙ୍କ ନିକଟରୁ ଚଢ଼ା ଦରରେ ସାର ନେବାକୁ ବାଧ୍ୟ ହୋଇଛନ୍ତି। ଆଗାମୀ ଶୁକ୍ରବାର ଦିନ ଲ୍ୟାମ୍ପ ତରଫରୁ ଚାଷୀଙ୍କୁ ସାର ଯୋଗାଣ କରିବାକୁ ଥିବା ବେଳେ ବ୍ଲକ କୃଷି ଅଧିକାରୀ ଆଧାର କାର୍ଡ ବଦଳରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ସାର ଯୋଗାଇ ଦେବାକୁ ଡାବୁଗାଁ କୃଷକ ମହାସଂଘ ତରଫରୁ ଦାବି କରାଯାଇଛି।

Nabarangpur