ମୋତ (ତପନ କୁମାର ରାଉତ): ଟ୍ରଙ୍କ ଖୋଲିଲେ ବାହାରୁଛି ପୋଡ଼ା ୧୦୦ ଟଙ୍କିଆ ନୋଟ୍। ପାଉଁଶ ପାଲଟିଛି ରାସନକାର୍ଡ। ଡାଲି, ଚାଉଳ ସବୁ ପୋଡ଼ି ଅଙ୍ଗାର ହୋଇଯାଇଛି। ସେଇ ଅଙ୍ଗାରକୁ ଖେଳେଇ ଖେଳେଇ ଦେଖୁଛନ୍ତି ଜଣେ ବରିଷ୍ଠ ନାଗରିକ। ବୃଦ୍ଧଙ୍କର ହାତ ଥରୁଛି। ମନରେ ଆଶା ବାନ୍ଧୁଛନ୍ତି ପୋଡ଼ା ଅଙ୍ଗାରରୁ କାଳେ କିଛି ମିଳିଯିବ କି। ଏଇ ଟିକକ ସମ୍ପତ୍ତି ଥିଲା ଅମୂଲ୍ୟଙ୍କ ବଳଙ୍କର। ଏବେ କ’ଣ କରିବେ? ଭତ୍ତା ଟଙ୍କା ଗଲା। ସରକାରୀ କାଗଜପତ୍ର ବି ଗଲା ଏବେ କେମିତି ଚଳିବେ? ମନରେ ଅନେକ ଚିନ୍ତା। ବଞ୍ଚିବାର ଯେଉଁ ରାହା ଥିଲା, ତାକୁ ନିଆଁ ଗିଳିଦେଲା।
ଉତୁକୁଡ଼ା ପଞ୍ଚାୟତ ଉତୁକୁଡ଼ା ଗାଁର ବାସିନ୍ଦା ଅମୂଲ୍ୟ ବଳ। ଗତକାଲି ରାତିରେ ଖାଇ ସାରି ଗୋଟିଏ କୋଠରୀରେ ଶୋଇଥିଲେ। ମଧ୍ୟରାତ୍ରୀରେ ଅନ୍ୟ ଏକ କୋଠରୀରେ ଅଗ୍ନିକାଣ୍ଡ ଘଟିଥିଲା। ଘରେ ଥିବା ଭତ୍ତା ଟଙ୍କା, ରାସନ ଚାଉଳ ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଥିଲା।
ଭଦ୍ରକଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅଧିନସ୍ଥ ଉତୁକୁଡ଼ା ପଞ୍ଚାୟତ ଉତୁକୁଡ଼ା ଗାଁର ବାସିନ୍ଦା ଅମୂଲ୍ୟ ବଳ। ଗତକାଲି ରାତିରେ ଖାଇ ସାରି ଗୋଟିଏ କୋଠରୀରେ ଶୋଇଥିଲେ। ମଧ୍ୟରାତ୍ରୀରେ ଅନ୍ୟ ଏକ ବଖରାରେ ଅଗ୍ନିକାଣ୍ଡ ଘଟିଥିଲା। ଯେଉଁ କୋଠରୀରେ ଅଗ୍ନିକାଣ୍ଡ ଘଟିଥିଲା, ସେଠାରେ ଭତ୍ତା ଟଙ୍କା, ରାସନ ଚାଉଳ ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ଲୁଗାପଟା ଥିଲା। ଫଳରେ ଏସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ସୂଚନା ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ସବୁକିଛି ଅଙ୍ଗାର ପାଲଟି ଯାଇଥିଲା।
ଅମୂଲ୍ୟଙ୍କର କେହି ପରିବାର ନଥିବା ବେଳେ ପରିଣତ ବୟସରେ ସେ ଏକାକୀ ଘରେ ରୁହନ୍ତି। ସ୍ତ୍ରୀ ଏବଂ ପିଲାଛୁଆଙ୍କ ମୃତ୍ୟୁ ପରେ ନିଜର ବୋଲି ଆଉ କେହି ନାହାନ୍ତି। କେବଳ ରାସନ ଚାଉଳ ଆଉ ଭତ୍ତା ଟଙ୍କାରେ ସେ ଚଳନ୍ତି। ଏଭଳି ପରିସ୍ଥିତିରେ ଘର ପୋଡ଼ି ଯିବା ପରେ ପ୍ରଶାସନ ପକ୍ଷରୁ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି।