ରାଉରକେଲା: ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବ ଦେଓଗାଁର ଏକ ହୋଟେଲରେ ଗୁରୁବାର ପଶି ୫ଜଣ ଦୁର୍ବୃତ୍ତ ଦିବ୍ୟଜ୍ୟୋତି ମହାନ୍ତି ନାମକ ଜଣେ ଯୁବକଙ୍କୁ ପ୍ରଥମେ ଖଣ୍ଡାରେ ହତ୍ୟା ଉଦ୍ୟମ କରିଥିଲେ। ଦିବ୍ୟଜ୍ୟୋତି ଜୀବନ ବଞ୍ଚାଇବା ପାଇଁ ଖଣ୍ଡା ଛଡ଼ାଇ ହୋଟେଲର ଏକ କୋଠରିକୁ ପଶୁଥିବାବେଳେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲା। ଗୋଟିଏ ଗୁଳି ଦିବ୍ୟଜ୍ୟୋତିଙ୍କ ଆପାଚି ବାଇକ୍ ଓ ଅନ୍ୟ ଗୋଟିଏ ଲୁହା କବାଟରେ ବାଜିଥିଲା। ଫଳରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ହୋଟେଲ ଭିତରେ ଏଭଳି କାଣ୍ଡ ଭିଆଇବା ପରେ ୫ ଯୁବକ ଦୁଇଟି ମୋଟର୍ସାଇକଲ୍ରେ ସେଠାରୁ ଫେରାର ହୋଇ ଯାଇଥିଲେ। ପୁଲିସ ଫେରାର ୫ ଯୁବକଙ୍କ ମଧ୍ୟରୁ ଦୁଇଜଣକୁ ଥାନାରେ ଅଟକ ରଖିଛି। ସମସ୍ତ ୫ ଯୁବକ ଫର୍ଟିଲାଇଜର ଲାଲଟାଙ୍କି ଓ ବାଲିଯୋଡ଼ିର ବୋଲି ସୂଚନା ମିଳିଛି।
ପ୍ରାୟ ୩ ମାସ ତଳେ ଫର୍ଟିଲାଇଜର୍ର ଏକ ମାଡ଼ପିଟ୍ ଘଟଣାରେ ସେମାନେ ଜେଲ୍ ଯାଇଥିଲେ। ଜେଲ୍ରୁ ଫେରିବା ପରେ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ରଘୁନାଥପାଲି ପୁଲିସ ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରିଛି। ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ କରାଯାଇଥିବା କୁହାଯାଉଛି।
ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଚାଲିଛି। ମିଳିଥିବା ସୂଚନା ମୁତବାକ ଫର୍ଟିଲାଇଜର ଲାଲ୍ଟାଙ୍କିରେ ଦିବ୍ୟଜ୍ୟୋତି ମହାନ୍ତି ରହନ୍ତି। ସେ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ରେ ଠିକାଶ୍ରମିକ ଭାବେ କାମ କରନ୍ତି। ଦିବ୍ୟଜ୍ୟୋତିଙ୍କ ଜଣେ ସାଙ୍ଗଙ୍କ ସହ ଗୁଳିମାଡ଼ କରିଥିବା ୫ ଯୁବକଙ୍କର କିଛି ଦିନ ପୂର୍ବରୁ ଦେଓଗାଁର ଏକ ସ୍ଥାନରେ ମାଡ଼ପିଟ୍ ହୋଇଥିଲା।
ମାମଲାର ସମାଧାନ ପାଇଁ ଦିବ୍ୟଜ୍ୟୋତିର ସାଙ୍ଗକୁ ୫ ଯୁବକ ଦେଓଗାଁର ମା’ ତାରିଣୀ ହୋଟେଲ ନିକଟକୁ ଆସିବାକୁ କହିଥିଲେ। ରାତି ପ୍ରାୟ ସାଢ଼େ ୧୦ଟାରେ ଦିବ୍ୟଜ୍ୟୋତି ସାଙ୍ଗକୁ ଧରି ବାଇକ୍ରେ ମା’ ତାରିଣୀ ହୋଟେଲରେ ପହଞ୍ଚିଥିଲେ। ଦିବ୍ୟଜ୍ୟୋତି ବାଇକ୍ ରଖିବା ପରେ ପଛରେ ବସିଥିବା ତାଙ୍କ ସାଙ୍ଗ ହୋଟେଲ ଭିତରକୁ ପଶିଥିଲେ। ଦିବ୍ୟଜ୍ୟୋତି ବାଇକ୍ ଆଗରେ ଛିଡ଼ା ହୋଇ କଥା ହେଉଥିଲେ। ପୂର୍ବରୁ ସେଠାରେ ଥିବା ୫ ଯୁବକ ଖଣ୍ଡା ଓ ପିସ୍ତଲ ଧରି ଦିବ୍ୟଜ୍ୟୋତିଙ୍କୁ ଆକ୍ରମଣ କରିଥିଲେ। ଦିବ୍ୟଜ୍ୟୋତି ଆକ୍ରମଣ କରୁଥିବା ଯୁବକଙ୍କ ହାତରୁ ଖଣ୍ଡା ଛଡ଼ାଇ ହୋଟେଲ ଭିତରେ ଏକ କୋଠରିକୁ ପଶିଯାଇଥିଲେ। ସେତିକିବେଳେ ଜଣେ ଯୁବକ ଦିବ୍ୟଜ୍ୟୋତିଙ୍କୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲା। ପ୍ରାୟ ୧୫ ମିନିଟ୍ ଧରି ୫ ଯୁବକ ଦିବ୍ୟଜ୍ୟୋତି ଓ ତାଙ୍କ ସାଙ୍ଗଙ୍କୁ ହୋଟେଲ ଭିତରେ ମାରିଦେବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ।
ଖବର ପାଇ ରଘୁନାଥପାଲି ପୁଲିସ ପହଞ୍ଚି ୫ ଯୁବକଙ୍କ ମଧ୍ୟରୁ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ହୋଟେଲ ମାଲିକ ପ୍ରସନ୍ନ କୁମାର ଦାସ କହିଛନ୍ତି, ୫ ଯୁବକ ଖଣ୍ଡା ଓ ପିସ୍ତଲ ଧରି ଭିତରକୁ ପଶି ଆତଙ୍କ ଖେଳାଇଥିଲେ। ଦିବ୍ୟଜ୍ୟୋତି ଓ ତାଙ୍କ ସାଙ୍ଗଙ୍କୁ ଖୋଜାଖୋଜି କରି ନ ପାଇବାରୁ ପଳାଇଯାଇଥିଲେ। ସୂଚନାଯୋଗ୍ୟ, ମାସକ ପୂର୍ବରୁ ବାଲିଘାଟ ବିବାଦକୁ ନେଇ ସେକ୍ଟର-୪ରେ ବିଜୟ ଲାକ୍ରା ନାମକ ବ୍ୟକ୍ତିଙ୍କୁ ଗୁଳିମାଡ଼ କରାଯାଇଥିଲା। ଏହି ଘଟଣାରେ ପୁଲିସ ୪୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଥିଲେ ହେଁ, ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିପାରିନି।
Rourkela