ଭୁବନେଶ୍ୱର: ଭାରତର ପ୍ରଥମ ହେପାଟୋ-ପାନକ୍ରିଏଟୋ-ବିଲିଆରି (ଏଚପିବି) ରେଡିଓଲୋଜି ପାଠ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରି ଏମ୍ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ, ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ରେଡିଓ-ଡାଇଗ୍ନୋସିସ୍ ବିଭାଗ ଦ୍ୱାରା ପରିଚାଳିତ, ଏହି ପାଠ୍ୟକ୍ରମ ଆନ୍ତର୍ଜାତୀୟ ହେପାଟୋ-ପାନକ୍ରିଏଟୋ-ବିଲିଆରି ଆସୋସିଏସନ୍ (ଆଇଏଚପିବିଏ)-ଭାରତୀୟ ଶାଖା ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। 
ଜଟିଳ ଏଚପିବି ସର୍ଜିକାଲ୍ ଆନାଟୋମିର ବୁଝାମଣାକୁ ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ପାଠ୍ୟକ୍ରମ ଏଚପିବି ରୋଗରେ ଅଲ୍ଟ୍ରାସୋନୋଗ୍ରାଫି, ସିଟି ସ୍କାନ୍, ଏମଆରଆଇ, ଏବଂ ପେଟ୍ ସିଟି ସ୍କାନ୍ ପ୍ରୟୋଗ ସମ୍ବନ୍ଧରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲା। ଯେକୌଣସି ଜଟିଳ ରୋଗର ସଠିକ୍ ନିରୂପଣ, ଅସ୍ତ୍ରୋପଚାର ନିମନ୍ତେ ସଫଳ ଯୋଜନା ଏବଂ ଅସ୍ତ୍ରୋପଚାର ପରବର୍ତୀ ଅବସ୍ଥାରେ ଉତ୍ସାହଜନକ ଫଳାଫଳ ମିଳିବା ଏହି ପାଠ୍ୟକ୍ରମର ମୂଳ ଲକ୍ଷ୍ୟ ଭାବେ ବିବେଚନା କରାଯାଇଥାଏ।

Advertisment

publive-image

ଏଚପିବି ରୋଗରେ ରେଡିଓଲୋଜିକାଲ୍ ବ୍ୟାଖ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି, ଏହି ବ୍ୟାପକ ପାଠ୍ୟକ୍ରମ ସାରା ଦେଶରୁ ଆସିଥିବା ଏଚପିବି ଶଲ୍ୟଚିକିତ୍ସା ପ୍ରଶିକ୍ଷାର୍ଥୀ ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏଚପିବି ରେଡିଓଲୋଜିର ମୌଳିକ ତତ୍ତ୍ୱଗୁଡ଼ିକୁ ତିନୋଟି ଅନଲାଇନ୍ ଅଧିବେଶନରେ ତାଲିମ ପ୍ରଦାନ ସହିତ ଦୁଇ ଦିନିଆ ପ୍ରାକ୍ତିକାଲ ତାଲିମ ଅନୁଷ୍ଠିତ ହୋଇଥିଲା।

ଏଚପିବି ଏବଂ ଯକୃତ ପ୍ରତିରୋପଣ ଅସ୍ତ୍ରୋପଚାର, ଏଚପିବି ଇଣ୍ଟରଭେନସନାଲ୍ ରେଡିଓଲୋଜି ଏବଂ ଉନ୍ନତ ଇମେଜିଂ କୌଶଳ ବାବଦରେ ପ୍ରସିଦ୍ଧ ବିଶେଷଜ୍ଞମାନେ ଅତ୍ୟନ୍ତ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଏକ ସ୍ୱତନ୍ତ୍ର ଲାଇଭ୍ ଅଧିବେଶନରେ ରିଅଲ୍-ଟାଇମ୍ ଇଣ୍ଟରଭେନସନାଲ୍ ପ୍ରକ୍ରିୟା ପ୍ରଦର୍ଶିତ ହୋଇଥିଲା, ଯାହା ପ୍ରଶିକ୍ଷାର୍ଥୀମାନଙ୍କୁ ଅତ୍ୟାଧୁନିକ କୌଶଳର ବ୍ୟବହାରିକ ଏକ୍ସପୋଜର ପ୍ରଦାନ କରିଥିଲା।

publive-image

ଏହି ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଯୋଗ ଦେଇଥିଲେ। ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଆଇଏଚପିବିଏ-ଇଣ୍ଡିଆର ସମ୍ପାଦକ ଡ. ବିଜୁ ପୋଟ୍ଟାକଟ୍, ଆଇଏଚପିବିଏ-ଇଣ୍ଡିଆର ପୂର୍ବତନ ସଭାପତି ଡ. ସଞ୍ଜୟ ଗୋଭିଲ୍, ଡ. ନୈମିଶ ମେହତା, ଏମ୍ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍ ବିଭାଗ ମୁଖ୍ୟ ଡ. ସୁପ୍ରଭା ନାୟକ, ଡ. ଅଶୋକ କୁମାର ଜେନା, ଡିଡିଏ ଅଭିଜିତ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

ଆୟୋଜକ କମିଟି ଅଧ୍ୟକ୍ଷ ଡ. ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ଵରେ ସଂଗଠନ ସମ୍ପାଦକ ଡ. ରଞ୍ଜନ କୁମାର ପଟେଲ, ଡ. ତାରାପ୍ରସାଦ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ପ୍ରଥମ ପଦକ୍ଷେପ ଭାରତରେ ଏଚପିବି ଶଲ୍ୟଚିକିତ୍ସା ତାଲିମର ମାନକୁ ଉନ୍ନତ କରିବା ସହିତ ଚିକିତ୍ସକ ମାନଙ୍କୁ ଉନ୍ନତ ରେଡିଓଲୋଜିକାଲ୍ ବ୍ୟାଖ୍ୟା ଦକ୍ଷତାର ଅଧିକାରୀ କରିବ ବୋଲି ଆଶା କରାଯାଉଛି। ଏଚପିବି ରୋଗ ଏବଂ ଚିକିତ୍ସାର ବର୍ଦ୍ଧିତ ଜଟିଳତା ସହିତ, ଏହି ପାଠ୍ୟକ୍ରମ ରୋଗ ନିର୍ଣ୍ଣୟ ସଠିକତାକୁ ଆଗକୁ ବଢ଼ାଇବା, ଶଲ୍ୟଚିକିତ୍ସା ଫଳାଫଳକୁ ଉନ୍ନତ କରିବା ଏବଂ ଏଚପିବି ଯତ୍ନରେ ଆନ୍ତଃଶାଖାଗତ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛି।