ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା ପୁଲିସ ବିଭିନ୍ନ ସ୍ଥାନରୁ ଚୋରି ଓ ଡକାୟତି ମାମଲାରେ ୫ ଜଣକୁ ଗିରଫ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନଚ୍ଚିକେତ ଦଦେଇ(୨୪), ଏସ୍କେ ସବ୍ବୁଦ୍ଦୀନ (୨୧), ଏସ୍କେ ଶାହରୁଖ, କୁନୁ ସାହୁ(୨୦) ଓ ଏସ.କେ ସାଦିକ୍ (୨୪)।
ସୂଚନା ଅନୁଯାୟୀ ରାଇରଙ୍ଗପୁରସ୍ଥ କଣ୍ଟାବଣି ବିଦ୍ୟୁତ୍ ସେକ୍ସନ (ଗ୍ରୀଡ)ରୁ ଗତ ୧୮ ତାରିଖରେ ଅଫିସର ମୁଖ୍ୟ ଫାଟକର ଗ୍ରିଲ୍ କାଟି ଦୁଇଟି ଟ୍ରାନସଫର୍ମରକୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ଏନେଇ ସେକ୍ସନ ଅଫିସର ଅମରେଶ ପ୍ରସାଦ ତ୍ରିପାଠୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଟାଉନ ଥାନାରେ କେସ୍ ନଂ ୩୦୩/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତଦନ୍ତ ପରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ କେନ୍ଦ୍ରେଇ ଗ୍ରାମର ନଚ୍ଚିକେତ ଦଳେଇ, ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ଠାକୁରାଣୀବେଡା ଗ୍ରାମର ଏସକେ ସବ୍ଦୁଦ୍ଦୀନ ଓ ଭାଲୁବସା ଗ୍ରାମର ଏସ.କେ ଶାହରୁଖଙ୍କୁ ଗିରଫ କରିଥିଲା। ପଚରାଉଚୁରା ସମୟରେ ଅଭିଯୁକ୍ତମାନେ ଏକ ବୋଲେରୋ, ଦୁଇଟି ମାରୁତି ସୁଜୁକି କାର୍ ଓ ରାଇରଙ୍ଗପୁର ଗୋସାଲାରୁ ୫ଟି ଗାଈ ମଧ୍ୟ ସେମାନେ ଚୋରି କରିଥିବା ସ୍ୱୀକାର କରିଥିଲେ। ଜବତ ଜିନିଷ ଗୁଡିକ ହେଲା ୧୦୯ଟି ଯାନ ଖଲିବା ପେଚକସ୍(ଟୁଲ୍ସ), ଗୋଟିଏ ଲୁହା କଟର୍,୨ଟି ସାଉଣ୍ଡ ବକ୍ସ, ଗୋଟିଏ ପ୍ରିନ୍ଟର, ୪ ପେଟି ତେଲ, ୮ଟି ତେଲ ଡ୍ରମ୍, ୮ଟି ଯାନ ଟାୟାର୍, ଦୁଇଟି ମାରୁତି ସୁଜୁକି କାର୍ (ଓଡି ୦୧ ଏୱାୟ-୧୧୮୮ ଓ ଓଡି-୦୨ସିଏସ-୬୮୪୨), ଗୋଟିଏ ବୋଲେରୋ (ଓଆର୍-୦୨ଆର୍-୦୭୮୧) ଏବଂ ଦୁଇଟି ସ୍ମାର୍ଟ ଫୋନ୍।
ଗତ ୪ ଅକ୍ଟୋବରରେ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ୩ ନଂ ୱାର୍ଡରେ ଏକ ସରକାରୀ କ୍ୱାର୍ଟରରେ ରହୁଥିବା ଗିରିକା ଶଙ୍କର ମହାନ୍ତଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଘରୁ ଏକ ଏଲଇଡି ଟିଭି ସହିତ ଘରର ବିଭିନ୍ନ ଦାମୀ ସାମଗ୍ରୀ ଚୋରି ହୋଇଥିଲା। ତାଙ୍କ ସହିତ ଆଉ ଦୁଇଟି ସରକାରୀ କ୍ୱାର୍ଟରୁ ମଧ୍ୟ ଫାଟକର ତାଲା କାଟି ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।
ପୁଲିସ୍ ସେହି ଘଟଣାର କେସ୍ ନଂ ୨୯୩/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଉକ୍ତ ଘଟଣାରେ ରାଇରଙ୍ଗପୁର ଟାଉନଥାନା ଅର୍ନ୍ତଗତ ନଂ ୱାର୍ଡ ମନ୍ଦିରସାହିର କୁନୁ ସାହୁ ଓ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ବଡାମକୁରାଡି ଗ୍ରାମର ଏସ.କେ ସାଦିକ୍ ଗିରଫ ହୋଇଛନ୍ତି। ଦୁଇଟି କେସର ତଦନ୍ତକାରୀ ଅଫିସର ଏଏସ୍ଆଇ ସୁନାରାମ୍ ମାଝୀ ଓ ଏସ୍ଆଇ ଆଲୋକ କୁମାର ସିଂ କରୁଥିଲେ।