କୋରାପୁଟ: ସ୍ଥାନୀୟ ନିଶାଣିମୁଣ୍ଡା ପଡିଆରେ ମଙ୍ଗଳବାର ଦିନ  ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରୀ, ନବରଙ୍ଗପୁର ଜିଲ୍ଲାର କୃଷକ, ଛାତ୍ରଛାତ୍ରୀ, କୃଷି ବିଶେଷଞ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓଉଦ୍ୟୋଗୀ ମାନଙ୍କୁ ନେଇ ଶ୍ରୀଅନ୍ନ ଅଭିଯାନରେ ଆଂଚଳିକ ଖାଦ୍ୟ ମେଳା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।

Advertisment

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଜିଲ୍ଲାପାଳ ଭି.କିର୍ତ୍ତୀଭାସନ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପରିଷଦ ସଭାନେତ୍ରୀ ସସ୍ମିତା ମେଲେକା, କୋରାପୁଟ ପୌରପାଳିକାର ଅଧ୍ୟକ୍ଷ ଲଲାଟରଂଜନ ସେଠୀ, କୋଟସ୍ର ନିର୍ଦ୍ଦେଶକ ଡ. ପ୍ରପୁଲ୍ଲ ଚନ୍ଦ୍ର ମହାପାତ୍ର , ବିହନ ସଂରକ୍ଷିକା ରାଇମତି ଘିଉରିଆ ପ୍ରମୁଖ ଯୋଗ ଦେଇଥିଲେ। ଚାଷୀ ମାନେ ଦେଶର ମେରୁଦଣ୍ଡ। କୋରାପୁଟ ଜିଲ୍ଲାର ଉତ୍ପାଦିତ ଧାନ, ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜ୍ରା ଆଦି ବିଶ୍ବରେ ଓଡିଶାକୁ ନୂଆ ପରିଚୟ ଦେଇଛି। ଏହାକୁ ସଂରକ୍ଷଣ କରି ରଖିବାକୁ ପଡିବ। ଏଠାକାର ପାରମ୍ପରିକ ଖାଦ୍ୟ ଏବେ ବିଭିନ୍ନ ରୋଗ ପାଇଁ ରାମ ବାଣ ବୋଲି ଅତିଥି ମାନେ କହିଥିଲେ।

ସମାରୋହରେ ବିହନସଂରକ୍ଷିକା ରାଇମତି ଘିଉରିଆ, ହର୍ଷିତା ମହାନ୍ତି, ନେତ୍ରାନନ୍ଦ ମଲ୍ଲୀକ, ଶଙ୍କର ପଟ୍ଟନାୟକ, ମୁରଲିଧର ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ମାଣ୍ଡିଆ, ସୁଆଁ , କାଙ୍ଗୁ , ବାଜ୍ରା ଆଦିରେ ପ୍ରସ୍ତୁତ ଖାଦ୍ୟର ପ୍ରଦର୍ଶନୀ ବି ଅନୁଷ୍ଠିତ ହୋଇଥିଲା। ଏହା ସହ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ତାପସ ରଂଜନ ରାୟ ପରିଚାଳନା କରିଥିଲେ। ଆସନ୍ତା ମାସ ୧୦ ଓ ୧୧ତାରିଖ ଦିନ ଭୁବନେଶ୍ବର ଠାରେ ହେବ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସମ୍ମିଳନୀ। ଏହା ପୂର୍ବରୁ କୋରାପୁଟ ଠାରେ ୫ଟି ଜିଲ୍ଲାକୁ ନେଇ ପ୍ରସ୍ତୁତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଠାରେ ଭାଗ ନେଇଥିବା ସମସ୍ତେ ରାଜ୍ୟସ୍ତରୀୟ ମେଳାରେ ବି ଭାଗ ନେବେ ବୋଲି ସୂଚନା ମିଳିଛି।