ନବରଙ୍ଗପୁର: ଦୁଇ ଦିନିଆ ଗସ୍ତରେ ଆସିଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ବିଭାଗକୁ ନେଇ ସମୀକ୍ଷା କରିଥିଲେ। ଜିଲ୍ଲାରେ ୫୨୩୯ବର୍ଗ ମିଟରରେ ଜଙ୍ଗଲ ଜିଲ୍ଲାର ୪୬.୫୪ପ୍ରତିଶତ ରହିଛି। ବାୟୁ ପ୍ରଦୁଷଣ ହାର ଶହେରୁ କମ୍ ରହିବା ଅତ୍ୟନ୍ତ ଭଲ। ଆହୁରି ୩୬ପ୍ରତିଶତ ଜଙ୍ଗଲ ଲଗାଇବାକୁ ଯୋଜନା କରାଯାଇଥିଲା। ଖାଲି ଥିବା ସ୍ଥାନରେ ନୂଆ ପଦ୍ଧତିରେ ନୂଆ ଜଙ୍ଗଲ ସୃଷ୍ଟି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ବହୁ ବନବାସୀଙ୍କୁ ଜଙ୍ଗଲ ଜମି ପଟା ପ୍ରଦାନ କରାଯାଇଛି।
ରାଜ୍ୟରେ ସର୍ବାଧିକ ୪୪ହଜାର ୫୬୪ଜଣଙ୍କୁ ଓ ୮୬୭ଟି ଗୋଷ୍ଠୀଗତ ପଟ୍ଟା ଦିଆଯାଇଛି। ଆହୁରି ୧୦ହଜାର ଆବେଦନ ପଡ଼ି ରହିଛି। ୨୦ବର୍ଷ ପରେ ବି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟା ବିତରଣ ସରିନଥିବାକୁ ନେଇ ମନ୍ତ୍ରୀ ବି ସଂଦେହ ପ୍ରକାଶ କରିଥିଲେ। ପ୍ରକୃତ ହିତାଧିକାରୀଙ୍କ ନାଁରେ ଜାଲ୍ କରି କିଛି ନକଲି ବ୍ୟକ୍ତି ପଟା ହାତେଇ ନାହାନ୍ତି ତ ବୋଲି ପ୍ରଶ୍ନ କରିଥିଲେ। ଏହାର ଯାଂଚ କରିବାର ନିହାତି ରୁପେ ଆବଶ୍ୟକତା ରହିଛି। କିଛି ନ୍ୟାସ୍ତ ସ୍ବାର୍ଥ ବ୍ୟକ୍ତି ମାନେ ନିରୀହ ବନବାସୀ ଆଦିବାସୀଙ୍କ ନାଁରେ ଜଙ୍ଗଲ ଜମିକୁ ଜବରଦଖଲ କରି ମକା ଚାଷ କରୁଛନ୍ତି କି ବୋଲି ମନ୍ତ୍ରୀ ସଂଦେହ ପ୍ରକାଶ କରିଥିଲେ।
ହିତାଧିକାରୀ ୱାରୀ ଯାଂଚ କରି ପ୍ରକୃତ ହିତାଧିକାରୀଙ୍କୁ ପଟା ଦେଇ ତୁରନ୍ତ ଜଙ୍ଗଲ ଜମି ପଟା ବିତରଣ ପ୍ରକ୍ରିୟା ସାରିବାକୁ ପରାମର୍ଶ ଦେଇଥିଲେ। ଜଙ୍ଗଲ ଜମିରେ ଚାଷ କରୁଥିବା ଜମି ସହ ଜବରଦଖଲ ଜମି ନାଁରେ ଜଙ୍ଗଲ ସରିଗଲେ ପ୍ରକୃତି ଓ ପରିବେଶ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ମନ୍ତ୍ରୀ କହିଥିଲେ। ଜିଲ୍ଲାପାଳ ଓ ଡିଏଫଓ ବି ଏଥିରେ ସହମତି ପ୍ରକାଶ କରି ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି ପଟା ଦେବେ ବୋଲି କହିଥିଲେ। କିଛି ଜାଲ୍ ହିତାଧିକାରୀ ଚିହ୍ନଟ ହେଲେ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ବି ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଜିଲ୍ଲାରେ ୧ଲକ୍ଷ ୨୧ହଜାର ନିର୍ମାଣ ଶ୍ରମିକ ଜିଲ୍ଲାରେ ପଂଜୀକୃତ ରହିଛନ୍ତି। ତେବେ କିଛି ଯୋଗ୍ୟ ଶ୍ରମିକ ପଂଜୀକରଣ କିମ୍ବା ନବୀକରଣ କରି ପାରିନଥିଲେ ସେମାନଙ୍କୁ ସହାୟତା ପ୍ରଦାନ କରି ପଂଜୀକରଣକୁ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ପଂଜୀକୃତ ର୍ନିମାଣ ଶ୍ରମିକଙ୍କ ପରିବାରରେ ବିବାହ, ଶିକ୍ଷା, ମୃତ୍ୟୁକାଳୀନ ଓ ପ୍ରସବ ଜନୀତ ସହାୟତାରେ ୨୦୨୪-୨୫ ବର୍ଷରେ ୪୨୪୪ଜଣ ହିତାଧିକାରୀଙ୍କୁ ୧୪କୋଟି ୬୨ଲକ୍ଷ ୪୧ହଜାର ଦିଆଯାଇଥିଲା। ଚଳିତ ବର୍ଷ ଜାନୁଆରୀରୁ ଏଯାଏଁ ୧୨୧୪ଜଣ ହିତାଧିକାରୀଙ୍କୁ ୬କୋଟି ୪୫ଲକ୍ଷ ୭୬୮୦୦ଟଙ୍କାର ସହାୟତା ଦିଆଯାଇଛି ବୋଲି ମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। କୌଣସି ଆବେଦନକାରୀଙ୍କ ଆବେଦନପତ୍ର କୌଣସି ପରିସ୍ଥିତିରେ ଯେଭଳି ନ ରୁହେ ସେ ଦିଗରେ ଦୃଷ୍ଟି ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସମୀକ୍ଷା ବୈଠକରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ପୌର ଅଧ୍ୟକ୍ଷ କୁନୁ ନାୟକ, ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା, ଏସିଏଫଓ ସୁବାସ ଚନ୍ଦ୍ର ଖୁଣ୍ଟିଆ, ଜୟପୁର ଯୁଗ୍ମ ଶ୍ରମ କମିଶନର ସୁମିତ୍ରା ମାଝୀ, ନବରଙ୍ଗପୁର ପ୍ରଭାଗୀୟ ଶ୍ରମ ଆୟୁକ୍ତ ବୃନ୍ଦାବନ ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ ଛୋଟ ରାୟ ଟୁଡୁ, ସମସ୍ତ ସହକାରୀ ଶ୍ରମ ଅଧିକାରୀ, ରେଂଜର ପୂର୍ଣ୍ଣଚନ୍ଦ୍ର ନନ୍ଦ, ଗୋପୀନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/15/ngp-minister-review-1-2025-08-15-15-40-09.jpg)