କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଶ୍ରୀ ଜେନାଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଶ୍ରୀ ଜେନାଙ୍କ ବିରୋଧରେ ସାଲେପୁର ଜେଏମଏଫସି ଅଦାଲତ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗନିଜାନ୍ସ ଗ୍ରହଣ କରି ୨୦୨୩, ସେପ୍ଟେମ୍ବର ୨୫ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥି ସହିତ ନିମ୍ନ ଅଦାଲତରେ ଶ୍ରୀ ଜେନାଙ୍କ ବିରୋଧରେ ବିଚାରାଧୀନ ଏ ସଂପର୍କିତ ଫୌଜଦାରୀ ମାମଲାକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଛନ୍ତି।
ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସାଲେପୁର ଜେଏମଏଫସି ଅଦାଲତଙ୍କ ୨୦୨୩, ସେପ୍ଟେମ୍ବର ୨୫ର କଗନିଜାନ୍ସ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ଜେନା ଦାୟର କରିଥିବା ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।
ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ପୁଲିସ ଦୁଇ ପର୍ଯ୍ୟାୟର ତଦନ୍ତ ପରେ ଘଟଣାରେ ଆବେଦନକାରୀଙ୍କ ସଂପୃକ୍ତି ନେଇ କିଛି ତଥ୍ୟ ପାଇ ନଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଷଡ଼ଯନ୍ତ୍ର ପ୍ରସଂଗରେ ବିଶେଷ କରି ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ବେଳେ ଫୋନ୍ ସିଡିଆର ସମୀକ୍ଷା କରାଯାଇଥିଲା କିନ୍ତୁ ଆବେଦନକାରୀଙ୍କ ସଂପୃକ୍ତି ନେଇ ତଥ୍ୟ ମିଳି ନଥିଲା।
ଅନ୍ୟପକ୍ଷରେ ପୂର୍ବରୁ ଏହି ଘଟଣାକୁ ନେଇ ରୁଜୁ ମାମଲାରେ ୨୦୨୧, ମେ ୧ରେ ଚାର୍ଜସିଟ ଦାଖଲ ପରେ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଜେଏମଏଫସି ଅଦାଲତ କଗନିଜାନ୍ସ ଗ୍ରହଣ କରିଥିଲେ। କମିଟମେଣ୍ଟ ପରେ ମାମଲାର ରେକର୍ଡ ଦୌରା ଅଦାଲତରେ ଥିବା ବେଳେ ଦ୍ବିତୀୟ ପ୍ରୋଟେଷ୍ଟ ପିଟିସନର ସାଲେପୁର ଜେଏମଏଫସି ଅଦାଲତ ଶୁଣାଣି କରି ଆବେଦନକାରୀଙ୍କୁ ଅତିରିକ୍ତ ଅଭିଯୁକ୍ତ ଭାବେ ସଂଯୋଗ କରିଥିଲେ। କମିଟମେଣ୍ଟ ପରେ ଦୌରା ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସାଲେପୁର ଜେଏମଏଫସି ଅଦାଲତ ଦ୍ବତୀୟ କଗନିଜାନ୍ସ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି କଗନିଜାନ୍ସ ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।
କମିଟିମେଣ୍ଟ ପରେ ଦୌରା ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ଆବେଦନକାରୀଙ୍କ ବିରୋଧରେ ପ୍ରୋଟେଷ୍ଟ ପିଟିସନ ଆଧାରରେ ସାଲେପୁର ଜେଏମଏଫସି ଅଦାଲତରେ ଆରମ୍ଭ କରାଯାଇଥିବା ବିଚାରପ୍ରକ୍ରିୟା କ୍ଷମତାପରିସର ବାହାରେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଦୌରା ଅଦାଲତ ଆବେଦନକାରୀଙ୍କୁ ଅତିରିକ୍ତ ଅଭିଯୁକ୍ତ ଭାବେ ସଂଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇ ପାରିଥାନ୍ତେ। କିନ୍ତୁ ଦୌରା ଅଦାଲତ ଏହି କ୍ଷମତା ପ୍ରୟୋଗ କରି ନଥିଲେ ବା ଏଥି ପାଇଁ ସେଠାରେ କୌଣସି ଆବେଦନ କରାଯାଇ ନଥିଲା ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥରୁ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇ ନଥିଲା। ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିବା ବେଳେ ଚାର୍ଜସିଟରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା। ପୁଲିସର ଚଜାର୍ସିଟ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ ୨୦୨୪, ଅଗଷ୍ଟ ୨୮ରେ ସାଲେପୁର ଅତିରିକ୍ତ ଦୌରା ଜଜ୍ ଅଦାଲତ ମାହାଙ୍ଗା ଡବଲ ମର୍ଡର ମାମଲାରେ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଉପଯୁକ୍ତ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତଙ୍କୁ ମାମଲାରୁ ଦୋଷମୁକ୍ତ କରିଥିଲେ।