ରାୟଗଡ଼ା: ରାୟଗଡ଼ା ଜିଲାରେ ପୁଣି ମ୍ୟାଲେରିଆ ଆକ୍ରାନ୍ତରେ ଜଣେ ସ୍କୁଲ ଛାତ୍ରୀ ମୃତ୍ୟବରଣ କରିଥିବା ସୂଚନାରୁ ଜଣାପଡ଼ିଛି।  ରାୟଗଡ଼ା ସଦର ବ୍ଲକ ଅଧିନସ୍ତ କୁଲି ଗ୍ରାମରେ ଏକ ଆବାସିକ ବିଦ୍ୟାଳୟର ୪ର୍ଥ ଶ୍ରେଣୀର ଛାତ୍ରୀ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତକ ଛାତ୍ରୀ ଜଣକ ହେଲେ ଦିବ୍ୟା ମାଣ୍ଡାଙ୍ଗି। ଛାତ୍ରୀ ଜଣଙ୍କ ଘର କୋଲନରା ବ୍ଲକର ଆଳୁବାଡି ବୋଲି ସୂଚନା ମିଳିଛି। ଛାତ୍ରୀ ଜଣଙ୍କ ଅନୁସୂଚିତ ଜନଜାତି ଓ ଅନସୂଚିତ ଜାତି ବିଭାଗ ଦ୍ବାରା ପରିଚାଳିତ ‌ହଷ୍ଟେଲରେ ରହି କୁଲିସ୍ଥିତ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ।

Advertisment

କିଛିଦିନ ତଳେ ତାଙ୍କୁ ଜ୍ବର ହେବାରୁ ଦିବ୍ୟାକୁ ‌ହଷ୍ଟେଲରେ ୩ଦିନ ଧରି ଏଏନଏମ ଦ୍ବାରା ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସେହି ବିଦ୍ୟାଳୟରେ ଅନ୍ୟ ୫ ଜଣ ମଧ୍ୟ ମେଲେରିଆରେ ପୀଡିତ ଥିଲେ। କିନ୍ତୁ ଅନ୍ୟମାନଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ନହେବାରୁ ଗତ ୨୪ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡିଏଚଏଚ ଚିକିତ୍ସା ପରେ ଗୁରୁତ୍ତର ହେବାରୁ ତାଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର ପାଇଁ ରେଫର କରାଯାଇଥିଲା। ଆଜି ଚିକିତ୍ସାଧିନ ଅବସ୍ଥାରେ ଦିବ୍ୟା ମୃତ୍ୟୁବରଣ କରିଥିବା ଜଣାପଡିଛି। ତାଙ୍କ ମୃତଦେହ ଆଜି କୁଲି ପହଁଚିବା ପରେ ଶବକୁ ବିଦ୍ୟାଳୟ ଆଗରେ ରଖି କ୍ଷତିପୁରଣ ଦାବି କରିବା ସହ ବିଦ୍ୟାଳୟର ପରିଚାଳନାକୁ ପ୍ରଶ୍ନ କରି ଧାରଣା‌ରେ ବସିଥିବା ଜଣାପଡିଛି।

ଏନେଇ ରାୟଗଡା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରକାଶ ନାୟକଙ୍କୁ ପଚାରିବାରୁ ଛାତ୍ରୀ ଜଣଙ୍କୁ ବିଦ୍ୟାଳୟ ତରଫରୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇଦିଆ ଯାଇଥିଲା ବୋଲି କହିଛନ୍ତି। ଏହି ଘଟଣାର ତଦନ୍ତ କରି ପ୍ରଶାସନକୁ ଖୁବ ଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି।

ସୂଚନାଯୋଗ୍ୟ ଗତବର୍ଷ ମଧ୍ୟ ୨ଟି ଆବାସିକ ‌ହଷ୍ଟେଲର ୨ଜଣ ଛାତ୍ରଛାତ୍ରୀ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ରାୟଗଡା ଜିଲା ମେଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ରାଜ୍ୟରେ ୨ନମ୍ବର ରହିଥିବା ଜଣାପଡିଛି। ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ବର୍ଷା ଋୁତୁ ପୂର୍ବରୁ ଜିଲ୍ଲା ପ୍ରଶାସନ ଏବଂ ବିଭାଗ ତରଫରୁ ଔଷଧୀୟ ମଶାରି ଆବାସିକ ବିଦ୍ୟାଳୟରେ ବାଧ୍ୟତାମୂଳକ କରାଯାଇଥିବା ଏବଂ ଛାତ୍ର ଛାତ୍ରୀମାନଙ୍କୁ ନିମ୍ବତେଲ ବ୍ୟବସ୍ଥା କରାଯାଉଥିବା କୁହାଯାଉଥିଲେ ମଧ୍ୟ କିପରି ଏଭଳି ଘଟିଲା ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି ।