ମୁନିଗୁଡ଼ା/ବାମରା: ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଓ ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି।  

Advertisment

ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଦୁଇ ବାଇକ୍‌କୁ ଧକ୍କା ଦେଲା ପିକପ୍ ଭ୍ୟାନ। ୨ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ। ପିକଅପ୍‌ ଡ୍ରାଇଭର ଗୁରୁତର ଆହତ ହୋଇ ମୁନିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିକ୍‌ଅପ୍‌ ଭ୍ୟାନ୍‌ଟି ୨ବାଇକ୍‌କୁ ଧକ୍କା ଦେବାପରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଛି। ଫଳରେ ପିକଅପ୍‌ ଡ୍ରାଇଭରର ଜଣକ ଗୁରୁତର ଆହତ ହୋଇଛନ୍ତି। ବାଇକରେ ବସିଥିବା ୫ବର୍ଷର ଝିଅ ଅଳ୍ପକେ ବର୍ତ୍ତି ଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ମୃତଦେହ ଓ ଡ଼୍ରାଇଭରକୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ତଦନ୍ତ ଜାରି ରଖିଛି। 

ସମ୍ବଲପୁର ଜିଲ୍ଲା ବାମରା-ଟାଙ୍ଗରମୁଣ୍ଡା ମଧ୍ୟବର୍ତ୍ତୀ ଭଗପଡ଼ା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଉଭୟ ବାଇକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଭଗପଡ଼ା ଗ୍ରାମର ରେଳବାଇ କର୍ମଚାରୀ ଥିବା ରଞ୍ଜିତ ଲୁହା(୫୦) ରବିବାର ଦିନ ସଂଧ୍ୟା ପ୍ରାୟ ୭ଟା ସମୟରେ  ବାମରା (ହରିପଡ଼ା) ଫାଟକରୁ ଡ୍ୟୁଟି ସାରି ଏକୁଟିଆ ବାଇକରେ ନିଜ ଘର ଭଗପଡ଼ା ଫେରୁଥିଲେ। ଅନ୍ୟ ପଟେ ଶାଙ୍କୋବାହାଲ ଗ୍ରାମର କେନ୍ଦୁପତ୍ର କର୍ମଚାରୀ କିଶୋର ବାର୍ଲା(୫୫) ମଧ୍ୟ ଟାଙ୍ଗରମୁଣ୍ଡା ପଟରୁ ଏକୁଟିଆ ବାଇକରେ ନିଜ ଝିଅଙ୍କୁ ନେବାପାଇଁ ବାମରା ଆସୁଥିଲେ।

ଏହି କ୍ରମରେ ଭଗପଡ଼ା ବ୍ରିଜ ନିକଟ ବୁଲାଣୀରେ ଭାରସାମ୍ୟ ହରାଇ ଉଭୟ ବାଇକ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଉଭୟ ବାଇକରୁ ଛିଟିକି ଗୁରୁତର ଆହତ ହୋଇଥିବା ବେଳେ, କିଶୋରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଗୁରୁତର ଥିବା ରଞ୍ଜିତଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ଏକ ବଲେରୋ ଗାଡ଼ିରେ ଗୋବିନ୍ଦପୁର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ମୃତ କିଶୋର ବାର୍ଲାଙ୍କୁ ବାମରା ଦମକଳ ବାହିନୀ ସାହାଯ୍ୟରେ ଶବ ବ୍ୟବଚ୍ଛେଦ ପାଇଁ ଗୋବିନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ। ଗୋବିନ୍ଦପୁର ଥାନା କର୍ମଚାରୀ ପହଞ୍ଚି ଘଟଣାର ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଉଭୟ ବାଇକ ଭାଙ୍ଗିରୁଜି ଯାଇଥିବା ବେଳେ, ସୋମବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।  

Sambalpur | Accident