ଘୁ.ଉଦୟଗିରି: ନାହିଁ ନାହିଁରେ ଚାଲିଛି ଘୁ.ଉଦୟଗିରି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କ୍ରୀଡା, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଅବହେଳିତ ସ୍ଥାନୀୟ ଅଞ୍ଚଳ। ଡାକ୍ତରଖାନା ଅଛି ହେଲେ ଦୀର୍ଘ ବର୍ଷ ହେଲା ସମସ୍ତ ବିଶେଷଜ୍ଞ ଡାକ୍ତର ପଦବି ଖାଲି ପଡ଼ିଛି। ସ୍କୁଲ ଅଛି ପ୍ରଧାନ ଶିକ୍ଷକ ପଦବି ଖାଲି, କ୍ରୀଡ଼ାର ଭିତ୍ତିଭୂମି ଅଭାବ, ଖେଳ ପଡ଼ିଆ ଷ୍ଟାଡିୟମ ଅଛି ନାକୁ ମାତ୍ର। ଏହା ଖେଳଉପଯୋଗୀ ନୁହଁ। ପର୍ଯ୍ୟଟନ ସ୍ଥଳୀ ଅଛି ତାର ବିକାଶ ନାହିଁ।

Advertisment

ସ୍ଥାନୀୟ ଅଞ୍ଚଳରୁ ଅନ୍ୟ ସହରକୁ ଯିବା ନିମନ୍ତେ ସରକାରୀ ବସ ସେବା ନାହିଁ। ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଛି । ହେଲେ ଅତିରିକ୍ତ ଉପଜିଲ୍ଲାପାଳ ପଦବି ଖାଲି। କଲେଜ ଅଛି ଅଧ୍ୟାପକ ପଦବି ଖାଲି। ସହରରେ ବସଷ୍ଟାଣ୍ଡ ଟିଏ ନାହିଁ।ଦିନ ଥିଲା ଏହି ସ୍ଥାନରେ ସରକାରୀ ବସ ଡିପୋ ଥିଲା। ଏହି ସହରରୁ ରାଜ୍ୟର ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଏବଂ ସହରକୁ ସରକାରୀ ବସ ଚାଲିଥିଲା। ବହୁ କର୍ମଚାରୀ ରହୁଥିଲେ ସରକାରୀ ବସ ମରାମତି ନିମନ୍ତେ ଗ୍ୟାରେଜ ରହିଥିଲା ଜଣେ ଷ୍ଟେସନ ମାଷ୍ଟର ରହୁଥିଲେ। ହେଲେ ଏବେ ଏହି ସହରରୁ ଗୋଟିଏ ବି ସରକାରୀ ବସ ଚଳାଚଳ କରୁନାହିଁ।

ସବୁ ଅଛି ହେଲେ କିଛି ନାହିଁ। ଏହିଭଳି ଲେଖିବା ଅର୍ଥ ହେଲା ସରକାର କାମ ଚଳାରେ ସମସ୍ତ ଅନୁଷ୍ଠାନକୁ ଚଳେଇ ନେଉଛନ୍ତି। କାର୍ଯ୍ୟାଳୟ ଚାଲିବା ଆବଶ୍ୟକ।। ଏହି ଭଳି ଚାଲିଛି ଘୁ.ଉଦୟଗିରି ଅଞ୍ଚଳର ବିକାଶ। ସ୍ଥାନୀୟ ସହରରେ ଥିବା ଦୁଇଟି ଉଚ୍ଚ ବିଦ୍ୟାଳୟ ହବାକ ହାଇସ୍କୁଲ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ମାସ ହେଲା ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଛି। ସେଇଭଳି ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟର ଅଧକ୍ଷ  ପଦବି ଦୀର୍ଘ ବର୍ଷ ହେଲା ଖାଲି ପଡ଼ିଛି।

ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାର ବିକାଶ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରିନାହିଁ। ଖେଳିବା ନିମନ୍ତେ ଭଲ ଖେଳପଡ଼ିଆର ଅଭାବ ରହିଛି। ନାଁକୁ ଷ୍ଟାଡିଅମ ନିର୍ମାଣ ହୋଇଛି ହେଲେ ଖେଳାଳିଙ୍କ କାର୍ଯ୍ୟରେ ଲାଗିପାରିନି। ସ୍ଥାନୀୟ ସହରରେ ୩୦ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ହେଲେ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘ ବର୍ଷ ହେଲା ଖାଲି ପଡିଛି।ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟାପ୍ତ ପର୍ଯ୍ୟଟନ ସ୍ଥଳୀ ଥୁବା ବେଳେ ସେଇ ପର୍ଯ୍ୟଟନ ସ୍ଥଳୀର ବିକାଶ ଶୂନ। କେଉଁ ସ୍ଥାନକୁ ଯିବାକୁ ରାସ୍ତା ନାହିଁ ତ କେଉଁଠି ବସିବାକୁ ସ୍ଥାନ ନାହିଁ।

ସହରରେ ଦୀର୍ଘ ବର୍ଷ ହେଲା ନବ ନିର୍ମିତ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରୁନି। ସହରରେ ପାନୀୟଜଳ ସମସ୍ୟା କହିଲେ ନସରେ। ପାନୀୟ ଜଳ ଯୋଗାଣରେ ଅନିୟମିତତା ସାଙ୍ଗକୁ ଦୂଷିତ ଜଳ ଯୋଗାଣ ଚାଲିଛି। ସେଇଭଳି ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଗୁରୁତର ରହିଛି। ଦୀର୍ଘ ବର୍ଷ ହେଲା ଅବହେଳାର ଶିକାର ହୋଇ ରହିଥିବା ଘୁ.ଉଦୟଗିରି ଅଂଚଳ ପ୍ରତି କାହାର ନିଘା ନାହିଁ।ନାହିଁ ନାହିଁରେ ଚାଲିଛି ଘୁ.ଉଦୟଗିରି ଅଞ୍ଚଳ। ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ସାଙ୍ଗକୁ ପ୍ରଶାସନିକ ଅବହେଳା ଯୋଗୁଁ ଘୁ.ଉଦୟଗିରି ଅଂଚଳ ବିକାଶ ଠାରୁ ବହୁ ପଛରେ ରହିଯାଇଛି।

ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ନେତୃତ୍ବର ଅଭାବ ଯୋଗୁଁ ଯେକୌଣସି ବିକାଶ କାର୍ଯ୍ୟ ଆଗକୁ ବଢି ନ ପାରିବା ସହ ବିକାଶ ମୂଳକ କାର୍ଯ୍ୟ ପଛେଇଯାଉଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।