ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଠାରେ ମା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା ୧୫ ବର୍ଷରେ ପଦାର୍ପଣ କରିଛି। ୨୦୧୦ ମସିହାରେ ପ୍ରଥମେ ଝରିଗାଁର ଯୁବକମାନେ ଏଠାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ କରିଥିଲେ। ଚଳିତ ଥର ୫୧ ଜଣ ଶିଶୁକନ୍ୟାଙ୍କୁ ନେଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସମସ୍ତ କଳସକୁ ପୂଜା ମଣ୍ଡପରେ ରଖାଯାଇ ପୂଜା କରାଯାଇଥିଲା। ବରିଷ୍ଠ ପୂଜକ ଭାବେ ଦିଗପହଣ୍ଡି ନିବାସୀ ଚନ୍ଦନ ଦାସ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତା ଭାବେ ସୁଶାନ୍ତ ସାହୁ ଦାୟିତ୍ୱ ତୁଲାଇଥିଲେ।

Advertisment

ଏହି ଅବସରରେ ମହାଦୀପ ପ୍ରଜ୍ଵଳନ କରିବା ସହ ପ୍ରାଣ ପ୍ରତିଷ୍ଠା ଓ ହୋମ ଯଜ୍ଞ ହୋଇଥିଲା। ଦୀର୍ଘ ୯ ଦିନ ଧରି ପୂଜା ହେବାକୁ ଥିବା ବେଳେ ଆସନ୍ତା ଶୁକ୍ରବାର ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ପ୍ରସନ୍ନ ମାଝୀ ସୂଚନା ଦେଇଛନ୍ତି। ସବୁ ଦିନ ସାଂକୃତିକ କାର୍ଯ୍ୟକ୍ରମ ସହ ଭକ୍ତମାନଙ୍କ ପାଇଁ ଅନ୍ନଭୋଗର ଆୟୋଜନ କରାଯାଇଥିବା କମିଟି ସୂଚନା ମିଳିଛି।

ଭସାଣି ଉତ୍ସବରେ ଆନ୍ଧ୍ର ପ୍ରଦେଶ କାକିନାଡ଼ାର କାଳି ନୃତ୍ୟ, କଳାହାଣ୍ଡିର ମହିଳା ସଂକୀର୍ତ୍ତନ, ଗୁରୁଚାନ୍ଦ ହରିଚାନ୍ଦଙ୍କ ହରିବୋଲ ଡ଼ାଙ୍କାବାଜା, ସ୍ଥାନୀୟ ଅଞ୍ଚଳର ଢେମସା ନୃତ୍ୟ, ବିଭିନ୍ନ ଅଞ୍ଚଳର ଆଖଡା ନୃତ୍ୟ ସହ ଅନ୍ୟାନ୍ୟ କାର୍ଯକ୍ରମର ଆୟୋଜନ ହେଉଥିବା ସୂଚନା ମିଳିଛି।

ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଝରିଗାଁ ସଦର ମହକୁମା ଚଳଚଞ୍ଚଳ ହୋଇଛି। ଗଜଲକ୍ଷ୍ମୀ ପୂଜା କମିଟି ଏବଂ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସଂପାଦନ ହେଉଛି। ଭିଡ଼କୁ ଦୃଷ୍ଟିରେ ରଖି ଝରିଗାଁ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।