ବୀରମହାରାଜପୁର: ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ହିକୁଡିଠାରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବାର ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ବୀରମହାରାଜପୁର ଥାନାରେ ଶନିବାର ସକାଳେ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାରୁ ପ୍ରକାଶ, ଗତକାଲି ହିକୁଡି ଗ୍ରାମର ଜଣେ ଯୁବତୀ (୨୦) ଏକ ଘରୋଇ କମ୍ପାନିରୁ କାର୍ଯ୍ୟ ସାରି ଘରକୁ ଫେରୁଥିଲେ। ସନ୍ଧ୍ୟା ୫.୩୫ରେ ଘରକୁ ଫେରୁଥିବା ବେଳେ ହିକୁଡି ଆଇଟି ଆଇ କଲେଜ୍ ପାଖରେ ଥିବା ବନ୍ଧ ପାଖରେ ତିନି ଜଣ ମୁଖାପିନ୍ଧା ଯୁବକ ତାଙ୍କୁ ଅଟକାଇ ଏକ ତରଳ ପଦାର୍ଥ ସ୍ପ୍ରେ କରିଥିଲେ। ଏହାପରେ ପୀଡ଼ିତା ଚେତା ହରାଇଥିଲେ। ଏହାପରେ ଯୁବକମାନେ ପୀଡ଼ିତାଙ୍କୁ ଏକ ବିଲକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ଚେତା ଆସିବା ପରେ ଘରକୁ ଯାଇ ସବୁକଥା କହିଥିବା ବେଳେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପ୍ରଥମେ ଧର୍ମଶାଳା ଫାଣ୍ଡି ଅଧିକାରୀ ବସନ୍ତ କୁମାର ରଥ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ଉଚ୍ଚ ପୁଲିସ୍ ଅଧିକାରୀଙ୍କୁ ଜଣାଇଥିଲେ।
ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାଏକ, ଉପଖଣ୍ଡ ପୁଲିସ ଅଧିକାରୀ ହେମନ୍ତ କୁମାର ରାଓ, ବୀରମହାରାଜପୁର ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଶୁକ୍ରବାର ରାତି ସାରା ତନାଘନା କରିଥିଲେ। ଶନିବାର ସକାଳେ ପୀଡ଼ିତା ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ବୀରମହାରାଜପୁର ଥାନା କେସ୍ ନମ୍ବର ୨୨୯/୨୫ରେ ଏକ ମାମଲା ରୁଜ୍ଜୁ କରି ଇନସ୍ପେକ୍ଟର ଅବିନାଶ ପ୍ରଧାନ ଅଧିକ ତଦନ୍ତ ଚଳାଇଛନ୍ତି।
ଦୁଇ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍
ଏହି ଘଟଣାରେ ବୀରମହାରାଜପୁର ପୁଲିସ୍ ଦୁଇଜଣ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି। ସୋନପୁର- ସମ୍ବଲପୁର ମୁଖ୍ୟ ରାସ୍ତା ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/01/untitled-7-2025-11-01-13-33-43.jpg)