ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର କୁଲେଇଶିଳା, ବଡମଉଦା, ହାତିଆ, ସଦର୍ଶନପୁର ଓ ଗୁହାଳଡାଙ୍ଗିିରି ୫ ଗୋଟି ପଂଚାୟତବାସୀ ଗୋରୁମହିଷାଣୀ ଉପରେ ସମସ୍ତ କାର୍ଯ୍ୟରେ ନିର୍ଭର କରିଥାନ୍ତି। ଗୋରୁମହିଷାଣୀରେ ଥାନା, ରେଳଷ୍ଟେସନ, ସାପ୍ତାହିକ ହାଟ, ଆରଆଇ ଅଫିସ, ବ୍ୟାଙ୍କ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ଅବସ୍ଥିତ ମାତ୍ର ବିଡମ୍ବନାର ବିଷୟ ସ୍ୱାସ୍ଥ୍ୟ ସେବାରେ ଗୋରୁମହିଷାଣୀ ଅଂଚଳ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାର ଅଭିଯୋଗ ହେଉଛି। ଗୁହାଳଡାଙ୍ଗିରି ଗ୍ରାମପଞ୍ଚାୟତର ଗୁହାଳଡାଙ୍ଗିରି ଓ ସୁଦର୍ଶନପୁର ଗ୍ରା.ପର କୁଲଡିହାଠାରେ ଗୋଟିଏ ଲେଖାଏଁ ପ୍ରାଥମିକ ସ୍ୟାସ୍ଥକେନ୍ଦ୍ର ଅବସ୍ଥିତ ମାତ୍ର ଡାକ୍ତର ଅଭାବରୁ ସମସ୍ତ ୫ ଗୋଟି ପଂଚାୟତ ସମେତ ବିଜାତଳା ଓ ବହଲଦା ବ୍ଲକର ୪ ପଞ୍ଚାୟତର ବାସୀନ୍ଦା ଗୋରୁମହିଷାଣୀ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ।
ସରକାରଙ୍କ ନିୟମାନୁସାରେ ଗୋରୁମହିଷାଣୀ ସିଏଚସିରେ ୧୧ ଜଣ ଡାକ୍ତର ରହିବା କଥା। ସେଥି ମଧ୍ୟରୁ ଜଣେ ମେଡିସିନ ସ୍ୱେଶାଲିଷ୍ଟ, ଜଣେ ଶିଶୁରୋଗ ବିଶେଷଜ୍ଞ ଓ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ରହିବା କଥା। ମାତ୍ର ଉକ୍ତ ୩ ଜଣ ବିଶେଷଜ୍ଞ ୯ ପଂଚାୟତ ବାସୀଙ୍କ ପାଇଁ ଦିବା ସ୍ୱପ୍ନ ସଦୃଶ୍ୟ। ବର୍ତମାନ ଥିବା ୭ ଜଣ ଡାକ୍ତରଙ୍କ ମଧ୍ୟରୁ ମହିଳା ଡାକ୍ତର ଛବିରାଣୀ ନାୟକ ମେଡିକାଲ ମୁଖ୍ୟ ଥିବା ବେଳେ ଅନ୍ୟ ୩ ଜଣ ଡାକ୍ତର ଏମବିବିଏସ, ଜଣେ ଦନ୍ତ ବିଶେଷଜ୍ଞ ଏବଂ ଜଣେ ସେବା ନିବୃତ ଡାକ୍ତର ଥିବା ବେଳେ ଅନ୍ୟ ଜଣେ ଡେପୁଟେସନରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି।
ଉକ୍ତ ୬ ଜଣ ଡାକ୍ତର ଦିବାରାତ୍ର ରୋଗୀସେବା ଯୋଗାଉଥିବାରୁ ପ୍ରାୟତଃ ମେଡିକାଲରେ ସବୁ ସମୟରେ ୱାର୍ଡରେ ରୋଗୀ ପରିଲକ୍ଷିତ ହୁଏ ମାତ୍ର ପରିତାପର ବିଷୟ ୯ ଗୋଟି ଗ୍ରାମ ପଂଚୟାତର ଅନୁ୍ୟନ ଲକ୍ଷାଧିକ ଜନସାଧାରଣ ବସବାସ କରୁଥିବା ବେଳେ ଉକ୍ତ ସିଏଚସି ଉପରେ ନିର୍ଭରଶୀଳ ୱାର୍ଡରେ ମାତ୍ର ୮ ଗୋଟି ଶଯ୍ୟା। ବର୍ତମାନ ଆକଳନକୁ ବିଚାର କରାଗଲେ ୮ ଗୋଟି ଶଯ୍ୟାରେ ୧୬ ଜଣ ରୋଗୀ, ଯାହାଫଳରେ ବାଧ୍ୟ ହୋଇ ଅନ୍ୟ ରୋଗୀମାନଙ୍କୁ ଚଟାଣରେ ଶୁଆଇ ରୋଗୀ ସେବା କରାଯାଉଅଛି। କେତେକ ରୋଗୀଙ୍କୁ ସିଏଚସିର ପ୍ରତୀକ୍ଷାଳୟରେ ଥିବା ବେଂଚରେ ଶୁଆଇ ସାଲାଇନ ଦିଆଯାଉଥିବାର ଚିତ୍ର ଅଂଚଳବାସୀଙ୍କୁ ବିବ୍ରତ କରିଛି।
ସିଏଚସିର ଅନ୍ୟାନ୍ୟ କାର୍ଯ୍ୟାଳୟ ଇତ୍ୟାଦିର ପୁର୍ନଉଦ୍ଧାର ପ୍ରାୟତଃ ପ୍ରତ୍ୟେକ ବର୍ଷ ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା ବେଳେ ମୌଳିକ ସମସ୍ୟା ଅର୍ଥାତ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ସେଥିରେ ସିଏଚସି ପରିଦର୍ଶନରେ ଆସୁଥିବା ଅଧିକାରୀମାନେ ଫେଲ ମାରିଥିବାର ସାଧାରଣରେ ଆଲୋଚନା ହୁଏ। ବର୍ତ୍ତମାନ ଗୋରୁମହିଷାଣୀ ସିଏଚସି ଏକମାତ୍ର ଷ୍ଟାପ ନର୍ସକୁ ନେଇ ପରିଚାଳିତ ତଥ୍ୟ ଆଧାରରେ ୪ ଜଣ ଷ୍ଟାପନର୍ସର ଦରକାର ଥିବା ବେଳେ ଜଣେ ଷ୍ଟାପନର୍ସ କେଉଁଭଳି ସେବା ଯୋଗାଉଥିବେ ତାହା ସାଧାରଣରେ ଆଲୋଚ୍ୟ ବିଷୟ। ତେଣୁ ୭ ଜଣ ଡାକ୍ତର ଓ ଜଣେ ଏଟେଣ୍ଡାଡ ରାତି ଦିନ ରୋଗୀ ସେବା ଯୋଗାଇବାରେ ଉଦ୍ୟମ ଜାରି ରଖିଛନ୍ତି।
ରୋଗୀମାନଙ୍କ ସଂପର୍କୀୟମାନଙ୍କ କହିବା ମୁତାବକ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସବୁ ସମୟରେ ବିଭିନ୍ନ ରୋଗୀମାନଙ୍କ ଦ୍ୱାରା ଭରପୂର ରହୁଥିବାରୁ ଗୋରୁମହିଷାଣୀ ସିଏଚସିରେ ଉତ୍ତମ ସେବା ପାଇବା ଆଶାରେ ରହୁଛନ୍ତି ମାତ୍ର ସ୍ୱଳ୍ପ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ଥିବାରୁ ଅନେକ ସମୟରେ ସ୍ୱାସ୍ଥ୍ୟସେବାରେ ବ୍ୟାଘାତ ହେଉଥିବାର ଅଭିଯୋଗ କରିଛନ୍ତି। ଏ ସମ୍ବନ୍ଧରେ ଗୋରୁମହିଷାଣୀ ସିଏଚସିର ମୁଖ୍ୟ ଚିକିତ୍ସଧିକାରୀ ଡାକ୍ତର ଛବିରାଣୀ ନାଏକଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/y8kB1dHNjRkrIENENZuB.jpg)