ଝରିଗାଁ: ଦୁଇ ବର୍ଷ ତଳେ ଧର୍ମ ପରିବର୍ତ୍ତନ କରିଥିବା ପରିବାରରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଶୁକ୍ରବାର ରାତି ୮ ଘଣ୍ଟା ସମୟରେ ହୋଇଥିଲା। ତେବେ ତାଙ୍କର ଶେଷକୃତ ସମ୍ପନ୍ନ କରିବା ପାଇଁ ଶ୍ମଶାନ ମିଳିନଥିଲା। ଘରେ ପ୍ରାୟ ୨୪ ଘଣ୍ଟା ଘରେ ଶବ ପଡ଼ିଥିବା ବେଳେ ଝରିଗାଁ ବ୍ଲକ ପ୍ରଶାସନ ହସ୍ତକ୍ଷେପ କରିଥିଲା। ଏହା ପରେ ଶବ ସତ୍କାର ହୋଇଥିବା ଜଣାପଡିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦେଉଳକୋଣା ଗ୍ରାମରେ ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି।
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦେଉଳକୋଣା ଗ୍ରାମରେ ଶୁକ୍ରବାର ଏକ ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି। ଧର୍ମ ପରିବର୍ତ୍ତନ କରିଥିବାରୁ ସ୍ଥାନୀୟ ଲୋକେ ମୃତଦେହ ଅନ୍ତିମ ସଂସ୍କାର ପାଇଁ ଅନୁମତି ଦେଇ ନାହାନ୍ତି।
ମିଳିଥିବା ସୂଚନା ପ୍ରକାରେ ଦେଉଳକୋଣା ଗ୍ରାମର ଡମ୍ବରୁଧର ହରିଜନଙ୍କ ପରିବାର ଦୁଇ ବର୍ଷ ତଳେ ଧର୍ମ ପରିବର୍ତ୍ତନ କରିଥିଲେ।ଡମ୍ବରୁଧର ହରିଜନଙ୍କ ମାଆ ରୁପେୟା ହରିଜନ(୮୦) ଗତ ଶୁକ୍ରବାର ରାତ୍ର ଆଠ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିଲେ। ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ଗ୍ରାମବାସୀ ଶବ ପୋତିବାକୁ ଗାଁ ଶ୍ମଶାନକୁ ବ୍ୟବହାର ନେଇ ବାରଣ କରିଥିଲେ। ଫଳରେ ଦୀର୍ଘ ଘଣ୍ଟା ଧରି ଶବ ଘରେ ପଡି ରହିଥିଲା।
ଗ୍ରାମବାସୀ ଗାଁ ଶ୍ୱଶାନ ବାରଣ କରୁଥିବା ବେଳେ ମୃତକଙ୍କ ପରିବାର ଗାଁରେ ହିଁ ଶବ ପୋତିବାକୁ ଜିଦ ଧରିଥିଲେ। ଶେଷରେ ଘଟଣା ସମ୍ପର୍କରେ ଶୁଣିବା ପରେ ଝରିଗାଁ ତହସିଲଦାର ସୁମନ୍ତ ପାତ୍ର, ଥାନା ଅଧିକାରୀ ପ୍ରଦୀପ କୁମାର ଶବର, ଏ ଏସ୍ ଆଇ କେଦାରନାଥ ରାଉତ, ରାଜସ୍ୱ ନିରୀକ୍ଷକ ବସନ୍ତ କୁମାର ବିଶୋଇ ପହଞ୍ଚି ଉଭୟ ଗୋଷ୍ଠୀଙ୍କ ସହ ଆଲୋଚନା କରି ବୁଝା ସୁଝା କରିଥିଲେ।
ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ଆଜି ସନ୍ଧ୍ୟା ଆଠ ଘଣ୍ଟା ସମୟରେ ଝରିଗାଁ ପୁଲିସ ରୁପେୟା ହରିଜନଙ୍କ ମୃତ୍ୟୁ ଶରୀରଟିକୁ ନିଜ ହେପାଜତରେ ଝରିଗାଁ ଆଣି ଶବ ସତ୍କାର କରିଥିବା ଥାନା ଅଧିକାରୀ ପ୍ରଦୀପ କୁମାର ଶବର ସୂଚନା ଦେଇଛନ୍ତି।