ବାଉଁଶୁଣୀ: କୃଷି ଓ ପଶୁପାଳନ ବିଭାଗ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି ସରକାର କହୁଥିବା ବେଳେ ବୌଦ୍ଧଜିଲ୍ଲା ସଦର ବ୍ଲକ ବାଉଁଶୁଣୀରେ ଥିବା ପ୍ରାଣୀ ଚିକିତ୍ସାଳୟର ଅବହେଳିତ ଦୃଶ୍ୟକୁ ଦେଖିଲେ ପଶୁପାଳନ ବିଭାଗ ପ୍ରତି କେତେ ଦୃଷ୍ଟି ଦିଆଯାଉଛି ତାହା ସହଜେ ଅନୁମାନ କରିହେବ। ଦୀର୍ଘ ଦିନ ଧରି ପ୍ରଶାସନିକ କଳର ଅବହେଳା କାରଣରୁ ୫୦ ବର୍ଷର ପୁରୁଣା ଏହି ଚିକିତ୍ସାଳୟଟି ବର୍ତ୍ତମାନ ନାନା ସମସ୍ୟା ମଧ୍ୟରେ ରହି କାର୍ଯ୍ୟ କରୁଛି ବୋଲି ଅଭିଯୋଗ ହୋଇଛି।
ବୌଦ୍ଧ ବ୍ଲକର ନାରାୟଣନଗର, ତେଲିବନ୍ଧ, ସାହାଜପାଲ, ମୁଣ୍ଡାପଡ଼ା, ଶଗଡା, ଗୁନ୍ଦୁଳିଆ, ଦହ୍ୟା, ଗଜରାଜପୁର ଆଦି ପ୍ରାଣୀଧନ ସହାୟକ କେନ୍ଦ୍ର ଏହି ଚିକିତ୍ସାଳୟ ଅଧୀନରେ କାର୍ଯ୍ୟ କରୁଅଛି। ଏହି ସବୁ କେନ୍ଦ୍ରର ସହାୟକମାନେ ଦୁଇ ତିନୋଟି କେନ୍ଦ୍ରର ଦାୟିତ୍ୱରେ ମଧ୍ୟ ରହିଥିବା ମଧ୍ୟ ଜଣାପଡ଼ିଛି। ବାଉଁଶୁଣୀ ଚିକିତ୍ସାଳୟରେ ପୂର୍ବରୁ ଜଣେ ଡାକ୍ତରଙ୍କ ସହିତ ୫ଜଣ କର୍ମଚାରୀ ଥିବାବେଳେ ବର୍ତ୍ତମାନ ଜଣେ ଡାକ୍ତର ଓ ଜଣେ ଚୌକିଦାରଙ୍କ ତତ୍ୱାବଧାନରେ ଚିକିତ୍ସାଳୟଟି କାର୍ଯ୍ୟ କରୁଛି।
ଦୀର୍ଘ ବର୍ଷ ହେଲା ପାଚେରୀ ଭାଙ୍ଗି ଯାଇଥିଲେହେଁ ଏହାର ମରାମତି କରାଯାଉ ନଥିବାରୁ ଚିକିତ୍ସାଳୟ ପରିସରକୁ ବୁଲା ଗୋରୁଗାଇ ଓ ବୁଲାକୁକୁରଙ୍କ ଅବାଧ ପ୍ରବେଶ ଲାଗି ରହିଛି। ଷ୍ଟାପ କ୍ୱାଟର ଗୁଡିକ ଦୀର୍ଘ ଦିନରୁ ମରାମତି ହୋଇ ନଥିବା ଯୋଗୁଁ ଆଜବେଷ୍ଟ ଛାତରେ ସୂର୍ଯ୍ୟ ଚନ୍ଦ୍ର ଦେଖା ଯାଉଛନ୍ତି। ଚୌକିଦାରଙ୍କ ରହଣି ପାଇଁ ସ୍ୱତନ୍ତ୍ର କ୍ବାଟରର ବ୍ୟବସ୍ଥା ନଥିବାରୁ ପୁରୁଣା ଅଫିସକୁ ମରାମତି କରାଯାଇ ସେଥିରେ ଚୌକିଦାର ରହୁଥିଲେ। ହେଲେ ଗତ ୩ତାରିଖରେ ହୋଇଥିବା କାଳବୈଶାଖୀରେ ଏହାର ଆଜବେଷ୍ଟସ ଛାତ ଭାଙ୍ଗି ଯାଇଛି। ଫଳରେ ବର୍ଷା ହେଲେ ପାଣି ଗଳୁଥିବାରୁ ବର୍ତ୍ତମାନ ଏହି କ୍ୱାଟରରେ ରହିବା ଚୌକିଦାରଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି।
ଚିକିତ୍ସାଳୟ ପରିସରରେ ଏକ ବିରାଟ କୂଅ ଖୋଳା ଯାଇଥିଲେ ବି କ୍ୱାଟର ଗୁଡିକୁ ପାଇପ ପାଣିର ବ୍ୟବସ୍ଥା ନାହିଁ। ଶୌଚାଳୟ ଓ ଗାଧୁଆଘରେ ଆବଶ୍ୟକତା ଅନୁସାରେ ଆନୁଷଙ୍ଗିକ ସୁବିଧା ମଧ୍ୟ ନାହିଁ। ଏହାଛଡା କ୍ୱାଟରକୁ ବିଦ୍ୟୁତ ସଂଯୋଗ ହୋଇ ଥିଲେହେଁ ୱାରିଙ୍ଗ ତଥା ସୁଇଚ ବୋର୍ଡ ଗୁଡିକ ପ୍ରାୟତଃ ଅକାମି ହୋଇ ପଡିଥିବାରୁ ଉଜ୍ବଳ ଆଲୋକର ଅଭାବ ସାଙ୍ଗକୁ ବିଦ୍ୟୁତ ଉପକରଣ ବ୍ୟବହାର କରିବା ସମ୍ଭବ ହୋଇ ପାରୁନାହିଁ।
ଚିକିତ୍ସାଳୟ ପରିସର ଠିକ ଭାବେ ସଫେଇ ହେଉ ନଥିବାରୁ ଚାରିଆଡ଼େ ଅନାବନା ଗଛ ଓ ଘାସଲତା ସବୁ ଉଠି କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି। ଫଳରେ ଏଠାରେ ସବୁବେଳେ ସାପ ଓ ବିଷଧର ସରୀସୃପଙ୍କ ଭୟ ଲାଗି ରହୁଛି। ଏତେସବୁ ଅସୁବିଧା ସତ୍ତ୍ୱେ ଏଠାରେ ଅବସ୍ଥାପିତ ଚୌକିଦାର ଜଣକ ଭାଗ୍ୟକୁ ଆଦରି ଏଭଳି ଜରାଜୀର୍ଣ୍ଣ କ୍ବାଟରରେ ରହି ଡ୍ୟୁଟି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳର ଚାଷୀ ମହଲରୁ ଦୃଢ଼ ଦାବି ହେଉଛି।
Boudh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/09/lbHi90aJN0vSlN25hqyI.jpg)