ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଦରକାର ପଡ଼ିଲେ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯିବ। ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ସନ୍ଧ୍ୟାରେ ଏହା କହିଛନ୍ତି। ସେ କହିଛନ୍ତି ଯେ, ବଳଙ୍ଗା ପୀଡ଼ିତାଙ୍କର ଭୁବନେଶ୍ବର ଏମ୍ସରେ ଚିକିତ୍ସା ଚାଲିଛି। ତାଙ୍କର ଚିକିତ୍ସା ଓ ସ୍ବାସ୍ଥ୍ୟାବସ୍ଥା ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପୀଡ଼ିତା କଥାବାର୍ତ୍ତା କରୁଛନ୍ତି। ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଏ ଘଟଣାରେ ପୋଲିସ୍ ଆମୂଳଚୂଳ ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ପୀଡିତା ବର୍ତ୍ତମାନ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଛନ୍ତି। ପୀଡିତାଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ରାଜ୍ୟ ସରକାର ସମ୍ପୃକ୍ତ ପୀଡିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ଅଛନ୍ତି।
ପୀଡିତାଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମ୍ଓ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମ୍ପର୍କରେ ଖବର ରଖାଯାଉଛି। ଯଦି ତାଙ୍କୁ ଏୟାରଲିଫ୍ଟ କରିବା ପାଇଁ ପରିସ୍ଥିତି ଅନୁକୂଳ ହୁଏ ଏବଂ ଏଥିପାଇଁ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଅନୁମୋଦନ ଦିଅନ୍ତି, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଦିଲ୍ଲୀ ନେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ।
ଏହି ଘଟଣାରେ ଅପରାଧୀ ଯେଉଁଠାରେ ଥିଲେ ବି ନିଶ୍ଚିତ ଭାବରେ ଧରା ପଡ଼ିବେ। ପୁଲିସ ଟିମ୍ ଅପରେସନ ମୋଡରେ ଅଛନ୍ତି। ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ପ୍ରଦାନ କରାଯିବ।
ସୂଚନାଯୋଗ୍ୟ, ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଆଜି ପୂର୍ବାହ୍ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି।
puri | CM Mohan Charan Majhi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/19/mohan-majhi-2025-07-19-21-01-48.jpg)