ମାଲକାନଗିରି: କୋରାପୁଟ ଠାରୁ ସ୍ୱତନ୍ତ୍ର କାର ଯୋଗେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ପଞ୍ଚାୟତର ବଣ୍ଡାଘାଟି ଗସ୍ତ କରିଛନ୍ତି। ରାଜ୍ୟପାଳ ଡ.କମ୍ଭମପାଟି କୋରାପୁଟରୁ ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ୱାର ଗୋବିନ୍ଦପାଲି ଠାରେ ପହଁଚିବା ପରେ ତାଙ୍କୁ ସ୍ଥାନୀୟ ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟୟ, ଏସପି ବିନୋଦ ପାଟିଲ, ଡିଏଫଓ ସାଇ କିରନ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବନ ବିଭାଗ ଡାକ ବଙ୍ଗଳାକୁ ପାଛୋଟି ନେଇଥିଲେ। ଏହା ପରେ ରାଜ୍ୟପାଳ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ବଣ୍ଡାଘାଟି ଗସ୍ତ କରିଥିଲେ। ଘାଟିରେ ପହଁଚିବା ପରେ ବଣ୍ଡା ପୁରୁଷ ଓ ମହିଳାମାନେ ରାଜ୍ୟପାଳଙ୍କୁ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇ ଫୁଲମାଳ ଦେଇ ପବିତ୍ର ସୀତାକୁଣ୍ଡ ଓ ଶ୍ରୀ ରାମମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।

Advertisment

Mkg Sita kunda re governer (6)

ରାଜ୍ୟପାଳ ପବିତ୍ର ସୀତାକୁଣ୍ଡ ପରିଦର୍ଶନ କରି ଏହାର ବିକାଶ  କିପରି କରାଯିବ ସେଥିପ୍ରତି ଗୁରତ୍ୱ ଦେଇଥିଲେ। ବଣ୍ଡା ଉନ୍ନୟନ ସଂସ୍ଥା ପରିଦର୍ଶନ କରି ଆଦିମ ବଣ୍ଡା ଜନଜାତିଙ୍କ ପାଇଁ ସଂସ୍ଥା ଦ୍ୱାରା କିପରି ବିକାଶ ହୋଇଛି ସେସମ୍ପର୍କରେ ପଚାରି ବୁଝିଥିଲେ। ବଣ୍ଡା ଦକ୍ଷତା ବିକାଶ, ଟେଲରିଙ୍ଗ ୟୁନିଟ, ମଲ୍ଟି ପ୍ରୋସେସିଙ୍ଗ ୟୁନିଟ, ଆଦିମ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବସ୍ତ୍ର, ଅଳଂକାର ନିର୍ମାଣ କାରୁକାର୍ଯ୍ୟ ଦେଖିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଓ ଆଦିମ ବଣ୍ଡା ଜନଜାତିଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ।

ରାଜ୍ୟପାଳ ବିଡିଏ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ ଜନମନ୍, ଜଙ୍ଗଲ ଜମିପଟ୍ଟା, ୮୦ ବର୍ଷରୁ ଊର୍ଦ୍ଧ୍ବ ପେନସନ ହିତାଧୀକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନୱାଡ଼ି କର୍ମୀ, ଯୁବ ସ୍ଵେଚ୍ଛାସେବୀ ଓ ଲକ୍ଷପତି ଦିଦି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ୧୫ ଜଣ ଆଦିମ ବଣ୍ଡା ଓ ୧୧ ଜଣ ଡିଡ଼ାୟୀ ସମ୍ପ୍ରଦାୟର ହିତାଧୀକାରୀଙ୍କୁ ରାଜ୍ୟପାଳ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିଥିଲେ।

ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଜଣେ ହିତାଧୀକାରୀଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଜଣେ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। କୃଷି ବ୍ୟତୀତ ଗୋପାଳନ, ଛେଳି, କୁକୁଡ଼ା ଚାଷ ମାଧ୍ୟମରେ ମଧ୍ୟ ବଣ୍ଡା ଜନଜାତି ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ରାଜ୍ୟପାଳ କହିଛନ୍ତି। ଏଦିଗରେ ବିହୀତ ପଦକ୍ଷେପ ନେବାକୁ ସଂମ୍ପୃକ୍ତ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଡିଏ ଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ବଣ୍ଡାଘାଟିର ବିକାଶ ପ୍ରତି ଗୁରୁତ୍ୱ ଦେବା ସହ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ସୁଫଳ ଏବଂ ଜଙ୍ଗଲ ଜମିପଟ୍ଟା କାର୍ଯ୍ୟକ୍ରମରେ ଗ୍ରାମବାସୀ ଉପକୃତ ହୋଇଛନ୍ତି କି ନାହିଁ ରାଜ୍ୟପାଳ ପଚାରି ବୁଝିଥିଲେ। ବଣ୍ଡା ଘାଟିରେ ଥିବା କନ୍ୟାଶ୍ରମ ଓ ମଙ୍ଗଳ ବିଭାଗର ହାଇସ୍କୁଲ ପରିଦର୍ଶନ କରି ଶିକ୍ଷା ଦାନ କିପରି ହେଉଛି, ବିଦ୍ୟାଳୟ ର ଭିତ୍ତିଭୂମି ଏବଂ  ସୁବିଧା  ଅସୁବିଧା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ। ଏହି ଅବସରରେ ରାଜ୍ୟପାଳ  ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ମିଶି ବସି ମଧ୍ୟାହ୍ନ ଭୋଜନ କରିଥିଲେ।

Malkangiri