ନୂଆଦିଲ୍ଲୀ: ଅଶ୍ଳୀଳ ବିଷୟବସ୍ତୁ ପ୍ରଦାନ କରୁଥିବା ଓଟିଟି ପ୍ଲାଟଫର୍ମ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କିଛି ଦିନ ପୂର୍ବରୁ ଏହିପରି ଅନେକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ପ୍ଲାଟଫର୍ମଗୁଡିକ ଭାରତୀୟ ନିୟମ ଭଙ୍ଗ କରି ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିଲେ। ୧୯ଟି ୱେବସାଇଟ୍, ୧୦ଟି ମୋବାଇଲ୍ ଆପ୍ ଓ ୫୭ଟି ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି। ଯାହା ପରେ ଏବେ ଏହି ୱେବସାଇଟ୍ ଓ ଆପ୍ ଭାରତରେ ବ୍ୟବହାର କରାଯାଇ ପାରିବନାହିଁ।

Advertisment

ଗତ ମାସରେ ଶେଷ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍ ମୁର୍ଗାନ୍ କହିଥିଲେ ଯେ ଆଇଟି ଆକ୍ଟ ୨୦୨୧ ଅନୁଯାୟୀ ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ୟାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଆପ୍ ମାଧ୍ୟମରେ ଅଶ୍ଳୀଳ ବିଷୟବସ୍ତୁ ପରିବେଷଣ କରାଯାଉଥିଲା।

ଯେଉଁ ୧୮ଟି ଓଟିଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ସେଗୁଡିକ ହେଲା: ଡ୍ରିମ ଫିଲ୍ମସ (Dreams Films), ଭୁଭି (Voovi), ୟେସମା (Yessma), ଅନକଟ ଅଡ୍ଡା (Uncut Adda), ଟ୍ରି ଫ୍ଲିକକ୍ସ (Tri Flicks), ଏକ୍ସ ପ୍ରାଇମ (X Prime), ନିଅନ ଏକ୍ସ ଭିଆଇପି (Neon X VIP), ବେସରମ (Besharams), ହଣ୍ଟର (Hunters), ରାବିଟ (Rabbit), ଏକ୍ସଟ୍ରାମୁଡ଼ (Xtramood), ନ୍ୟୂଫ୍ଲିକ୍ସ (Nuefliks), ମୁଡ଼ଏକ୍ସ (MoodX), ମଜଫ୍ଲିକ୍ସ (Mojflix), ହଟ ସଟ ଭିଆଇପି (Hot Shots VIP), ଫୁଗି (Fugi), ଚିକୁଫ୍ଲିକ୍ସ (Chikooflix), ପ୍ରାଇମ ପ୍ଲେ (Prime Play)।

ମନ୍ତ୍ରଣାଳୟ ଜାଣିବାକୁ ପାଇଲା ଯେ ଏହି ପ୍ଲାଟଫର୍ମଗୁଡିକରେ ପ୍ରଦର୍ଶିତ ବିଷୟବସ୍ତୁ ଅତ୍ୟନ୍ତ ଅଶ୍ଳୀଳ, ମହିଳାଙ୍କ ସମ୍ମାନ ପ୍ରତି ଅପମାନଜନକ ଏବଂ ଅନୁପଯୁକ୍ତ। ଏଥିରେ ଅନେକ ସମ୍ପର୍କ ଅନୁପଯୁକ୍ତ ଭାବରେ ଚିତ୍ରିତ ହୋଇଥିଲା। ଭାରତୀୟ ଆଇନ ଅନୁଯାୟୀ ଏହିପରି ବିଷୟବସ୍ତୁ ବେଆଇନ ବୋଲି ବିବେଚନା କରାଯାଏ। ଅଶ୍ଳୀଳ ବିଷୟବସ୍ତୁ ପରିବେଷଣ ଅଭିଯୋଗରେ ଏହି ଆପ ଗୁଡିକର ମାଲିକଙ୍କ ବିରୋଧରେ ସରକାର ମଧ୍ୟ ଏକ ମାମଲା ଦାୟର କରିଥିଲେ।

ଏହି ନିଷିଦ୍ଧ ଓଟିଟି ଆପ୍‌ଗୁଡ଼ିକ ମଧ୍ୟରୁ ଅନେକ ବହୁତ ଲୋକପ୍ରିୟ ଥିଲା। ସେଥିମଧ୍ୟରୁ ଗୋଟିଏ ଆପ୍‌କୁ କୋଟିଏରୁ ଅଧିକ ଥର ଏବଂ ଅନ୍ୟ ଏକ ଆପ୍‌କୁ ୫୦ ଲକ୍ଷରୁ ଅଧିକ ଥର ଡାଉନଲୋଡ୍ କରାଯାଇଥିଲା। ଏମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଷୟବସ୍ତୁର ଟ୍ରେଲର ଓ ତାର ଲିଙ୍କ୍ ସେୟାର କରୁଥିଲେ। ଏହି ଆପ୍‌ଗୁଡ଼ିକର ସୋସିଆଲ ମିଡିଆରେ ୩୨ ଲକ୍ଷରୁ ଅଧିକ ଫୋଲର୍ସ ଥିଲେ।