ରାଉରକେଲା: ବୟସ ମାତ୍ର ୧୮ ବର୍ଷ । ଏଇ ବୟସରେ ଯେଉଁ ହାତରେ କଲମ ଧରିବା କଥା ସେଇ ହାତରେ ଲୁହାଖଡ଼ିକା । କିଏ କହିଲା ଲୁହାଖଡ଼ିକା କେବଳ ଯେ ମହିଳାଙ୍କୁ ଶୋଭାଦିଏ ବୋଲି । ପେଟରେ ଦୁଇମୁଠା ଦାନା ଦେବା ପାଇଁ ଗୋଟେ ପୁରୁଷ ବି ପଛାଏ ନାହିଁ ମହିଳାଙ୍କ କାମ କରିବା ଲାଗି । ଆମେ କହୁଛୁ ସେଇମାନଙ୍କ କଥା, ଯେଉଁମାନେ ଉତ୍ତରପ୍ରଦେଶରୁ ଆସି ରାଉରକେଲା ରାସ୍ତା କଡରେ ଖୋଲିଛନ୍ତି ଚିନାବାଦାମର ପସରା। ସକାଳ ୯ଟା ହେଲେ ବାଦାମ ବସ୍ତା, ଦରି, ଦଣ୍ଡି ପାଲା, ଜାଳେଣି କାଠ, କଡ଼େଇ ଆଦି ଧରି ବାହାରି ଆସୁଛନ୍ତି ରାସ୍ତାକଡ଼କୁ । ପୁଣି ରାତି ୯ଟା ହେଲେ ବସ୍ତା ବାନ୍ଧିବୁନ୍ଧି ବାହୁଡୁଛନ୍ତି ଘରକୁ । ସବୁଆଡ଼େ ଏବେ ରାଜସ୍ଥାନୀ ବାଦାମର ଚାହିଦା। ଝିରପାଣି, ବିଶ୍ରା, ବାସନ୍ତିକଲୋନି, ଦୟାନନ୍ଦନଗର ଭଳି ବିଭିନ୍ନ ଛକରେ ପସରା ମେଲାଇ ବସିଛନ୍ତି ଏହି ଚିନାବାଦାମ ବେପାରୀ। ସେମାନେ ଏଠାରେ କଞ୍ଚା ବାଦାମ, ଭଜା ବାଦାମ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଓଡ଼ିଶା ବଜାରରେ ବାଦାମର ଚାହିଦାକୁ ଆଖି ଆଗରେ ରଖି ଏହି ରାଜ୍ୟ ବାହାରର ବେପାରୀମାନେ ଗତ କିଛି ବର୍ଷ ହେଲା ରାଉରକେଲାକୁ ଆସି ଏହି ବେପାର କରୁଛନ୍ତି।
ସବୁଠୁ ଖାସ୍ କଥା ହେଉଛି, ଦୋକାନୀ ଯେଉଁଠି ବାଦାମବସ୍ତାର ପସରା ମେଲାଇଛନ୍ତି ସେଇଠି ରଖିଛନ୍ତି ବାଦାମ ଭଜାଶାଳ। ସେଇଠି ଭାଜି ଗ୍ରାହକଙ୍କୁ ପରଷି ଦେଉଛନ୍ତି ଗରମାଗରମ ବାଦାମ। ରାଉରକେଲାବାସୀ ବି ଏହି ବାଦାମକୁ ବେଶ୍ ପସନ୍ଦ କରୁଛନ୍ତି।
କିଛି ଗ୍ରାହକ କଞ୍ଚା ବାଦାମ କିଣୁଥିବାବେଳେ କେତେକ ଗ୍ରାହକ ଭଜାବାଦାମ କିଣି ନେଉଛନ୍ତି। ଶୀତ ଅଧିକ ହେଉଥିବାରୁ ବେପାର ମଧ୍ୟ ଭଲ ହେଉଛି। ଗ୍ରାହକ କଞ୍ଚା କମ୍ କିଣୁଥିବାବେଳେ ଭଜାବାଦାମ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। କଞ୍ଚା ବାଦାମ କେଜି ପ୍ରତି ୧୮୦ଟଙ୍କା ଓ ଭଜା ବାଦାମ କେଜି ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି। ଏହାସହ ଖୁଚୁରାରେ ମଧ୍ୟ ୨୦ରୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି। ଖୁଚୁରା ବେପାରରେ ବେଶୀ ଲାଭ ହେଉଛି।
ଆହୁରି ପଢ଼ନ୍ତୁ: Tension In MV-26 Village: ମାଲକାନଗିରିରେ ଉତ୍ତେଜନା: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କଲା ପ୍ରଶାସନ
ଉତ୍ତରପ୍ରଦେଶରୁ ଆସିଥିବା ଫଇମ୍ ଖାନ୍ କହିଛନ୍ତି, ଗତ ୪ ମାସ ହେଲା ରାଉରକେଲା ଆସିଛୁ । ଗାନ୍ଧୀରୋଡରେ ଘରଭଡ଼ା ନେଇ ରହୁଛୁ। ବାପା ଏ ଦୁନିଆରେ ନାହାନ୍ତି । ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ । ୟୁପିରେ ଭଲ ରୋଜଗାର ମିଳିଲାନି। ସେଥିପାଇଁ ଓଡ଼ିଶା ଆସିଗଲୁ, ଏଇ ଆଶାରେ ଯେ ଦୁଇପଇସା ରୋଜଗାର କରି ଗୁଜୁରାଣ ମେଣ୍ଟାଇବୁ । ପାଠ ପଢ଼ିବା ବୟସରେ ଏହି କାମ କରିବାକୁ ଭଲ ଲାଗୁନି, ହେଲେ ପେଟକୁ ତ ଦାନା ଦରକାର ।
ଆହୁରି ପଢନ୍ତୁ- Next PM Of Bangladesh: ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ: ଦୌଡ଼ରେ ୪ ନାମ
ମାର୍ଚ୍ଚ ମଧ୍ୟଭାଗରେ ଓଡ଼ିଶା ବାଦାମ ବଜାରକୁ ଆସିବ
ସେମାନଙ୍କ କହିବା କଥା, ମାର୍ଚ୍ଚ ମଧ୍ୟଭାଗରେ ଓଡ଼ିଶା ବାଦାମ ବଜାରକୁ ଆସିବ । ସେତେବେଳେ ଶୀତ କମିଯିବାରୁ ବେପାର ମଧ୍ୟ କମିବ। ମାତ୍ର ରାଜସ୍ଥାନରେ ବାଦାମ ଅମଳ ଏହାର ଯଥେଷ୍ଟ ପୂର୍ବରୁ ହୋଇଥାଏ। ତେଣୁ ଓଡ଼ିଶା ବଜାରରେ ଭଜାବାଦାମର ଚାହିଦାକୁ ଦେଖି ସେମାନେ ଚାଲିଆସନ୍ତି। ଚଳିତ ବର୍ଷ ସେମାନେ ରାଜସ୍ଥାନରୁ ୧୫ଟ୍ରକ୍ ବାଦାମ ମଗାଇଛନ୍ତି। ଗୋଟେ ମାସରେ ପ୍ରାୟ ୧୫ରୁ ୨୦ ହଜାର ପର୍ଯ୍ୟନ୍ତ ବିକ୍ରି ହୁଏ। ୪ ମାସ ବେପାର କରି ଘରକୁ ଫେରିଯାଆନ୍ତି। ପୁଣି ଅପେକ୍ଷା କରିବେ ଆର ବରଷକୁ । ମନ ହେଲେ ରାଉରକେଲା ଆସିବେ ନହେଲେ ଯାଯାବର ପରି ଅନ୍ୟ କେଉଁଠିକୁ ଯିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/10/groundnut-of-rajasthan-at-rourkela-2025-12-10-10-31-27.png)