ବୈଶିଙ୍ଗା: ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଛରେ ଧାନ ସମ୍ପୂର୍ଣ ନଆସୁଣୁ ଫସଲ ଖାଇବାକୁ ବିଶାଳ ଝାଡଖଣ୍ଡୀ ହାତୀପଲ ଜଳେଶ୍ୱର ଓ ରାସଗୋବିନ୍ଦପୁର ରେଞ୍ଜ ସୀମାବର୍ତ୍ତୀ ଅଞ୍ଚଳରେ ଓଡ଼ିଶା ଅନୁପ୍ରବେଶ କରିଥିବାବେଳେ ଏବେ ବେତନଟୀ ରେଞ୍ଜକୁ ପଶିବା ପାଇଁ ସୀମାରେ ଜଗି ରହିଛନ୍ତି। ଏହା ପୂର୍ବରୁ ସେମାନଙ୍କ ଭିତରୁ ୨ ପାଇଲଟ ଦନ୍ତା ବେତନଟୀ ରେଞ୍ଜରେ ପ୍ରବେଶ କରି ୨ଦିନ ହେବ ବିଭିନ୍ନ ଜଙ୍ଗଲାଞ୍ଚଳ ବୁଲି ସ୍ଥିତି ପରଖିବା ସହିତ ଲୋକଙ୍କୁ ଭୟଭୀତ କରାଉଛନ୍ତି l 

Advertisment

-ବେତନଟୀ ରେଞ୍ଜ ସୀମାରେ ଜଗିଛନ୍ତି ୫୫ଟିକିଆ ହାତୀପଲ
-ରେଞ୍ଜ ଭିତରେ ପଶି ସ୍ଥିତି ପରଖୁଛନ୍ତି ୨ଦନ୍ତା
-ସିଗନାଲ ଦେଲେ ପଶିବେ ପୁରା ପଲ
-ହାତୀପଲ ପ୍ରବେଶ ନେଇ ଭୟଭୀତ ଅଞ୍ଚଳବାସୀ

ସୂଚନା ଅନୁଯାୟୀ ୨ପାଇଲଟ ଦନ୍ତା ଶୁକ୍ରବାର ରାତିରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ରାସଗୋବିନ୍ଦପୁର ରେଞ୍ଜ ଇଲାକାରେ ପ୍ରବେଶ କରିଥିଲେ। ଶନିବାର ଭୋର ସୁଦ୍ଧା ବେତନଟୀ ରେଞ୍ଜ ଅଧୀନ ବଡାମପୁର ସେକ୍ସନ ଅତିକ୍ରମ କରିଥିଲେ। ଏହା ପରେ ଗୋଟେ ଦନ୍ତା ତିଳଦା ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିବାବେଳେ ଅନ୍ୟଟି ଦୁର୍ଗାପୁର ଅଞ୍ଚଳକୁ ଯାଇଥିଲା।

publive-image

 ଶନିବାର ରାତିରେ ତିଳଦା ସଂରକ୍ଷିତ ଜଙ୍ଗଲରୁ ବାହାରି ବିରାଟକାୟ ଦନ୍ତା ଯୁଗୋଳ, ବଗଲପୁର ଅଭିମୁଖେ ଅଗ୍ରସର ହୋଇ ଶାଳବଣି ଠାରେ ରେଳପଥ ଏବଂ ଜାତୀୟରାଜପଥ ଅତିକ୍ରମ କରି ନଡପୁର ଉପକଣ୍ଠ ଫୁଲଝରୀ ସଂରକ୍ଷୀତ ଜଙ୍ଗଲରେ ପ୍ରବେଶ କରିଛି ଏବଂ ଆଜି ଦିନ ତମାମ ଉକ୍ତ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଉତ୍ପାତ କରୁଛି।

ସେହିଭଳି ପାଇଲଟ ଦନ୍ତାଙ୍କ ଉପରେ ନଜର ରଖିବାକୁ ବେତନଟୀ ବନବିଭାଗର ଏକାଧିକ ଟିମ୍ ନିୟୋଜିତ ହୋଇଥିବା ବେଳେ ଜନବସତି ଠାରୁ ଦୂରେଇ ରଖିବାକୁ ଗଜସାଥୀମାନେ ଉଦ୍ୟମ ଜାରି ରଖିଛନ୍ତି। ସମ୍ଭାବ୍ୟ ବାତ୍ୟା ସାଙ୍ଗକୁ ୫୫ଟିକିଆ ହାତୀପଲ ବେତନଟୀ ରେଞ୍ଜରେ ପ୍ରବେଶ ନେଇ ବ୍ୟାପକ ଧାନଚାଷ ଉଜୁଡିବା ସହିତ ଧନଜୀବନ ନଷ୍ଟ ହେବାନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି।