ଭୁବନେଶ୍ବର (ମହେନ୍ଦ୍ର ସାହୁ): ପିଲାଦିନରେ ଆମେ ପୁସ୍ତକରୁ ପଢ଼ିଥିଲେ- ‘ଚାଷ କାମ ଯାହାର, କେଡ଼େ ସୁଖ ତାହାର...।’ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହଦୂର ଶାସ୍ତ୍ରୀ ମଧ୍ୟ କହିଥିଲେ – ‘ଜୟ ଯବାନ୍, ଜୟ କିସାନ୍’ ଆମ ପୂର୍ବ ପୁରୁଷଙ୍କ ଭାଷା ଥିଲା- ‘ଚାଷବାସ କରି ବଞ୍ଚିବା, କାହିଁକି ଦୂର ସ୍ଥାନକୁ ଯାଇ କାହାର ଚାକର ହୋଇ ରହିବା।’ କିନ୍ତୁ ସମୟ ବଦଳି ଯାଇଛି। ଚାଷ ପ୍ରତି ଚାଷୀ ବିମୁଖ ହେଉଛନ୍ତି। ଯନ୍ତ୍ରଯୁଗରେ ଚାଷୀମାନେ ଆଉ ପରିଶ୍ରମ କରିବାକୁ ଚାହୁଁ ନାହାନ୍ତି। କ୍ଷେତରେ କାମ କରିବା ପାଇଁ ଶ୍ରମିକ ମିଳୁ ନଥିବାରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ଜଙ୍ଗଲ ନିକଟ ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତର ସାମ୍ନା କରୁଛନ୍ତି। ଏହାର କାରଣ ପାଲଟିଛନ୍ତି ହାତୀ। ଅନ୍ୟପଟରେ ହାତୀ ଓ ମଣିଷ ମଧ୍ୟରେ ଏକ ପ୍ରକାର ଅଘୋଷିତ ଯୁଦ୍ଧ ଚାଲିଛି କହିଲେ ଭୁଲ ହେବ ନାହିଁ। ପ୍ରତିଦିନ ହାତୀ ସଂପର୍କିତ ଖବର ଦେଖିବାକୁ ମିଳୁଛି।
/sambad/media/media_files/2025/01/10/d89b1556-7209-4127-9a11-089b690647e0.jpg)
ଚଳିତ ଖରିଫ ଋତୁରେ ଦକ୍ଷିଣ ଓଡ଼ିଶା ବ୍ୟତୀତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଧାନ ଅମଳ ପ୍ରାୟତଃ ଶେଷ ହୋଇସାରିଛି। ଚାଷୀମାନେ ଏବେ ଧାନକୁ ମଣ୍ଡିରେ ବିକ୍ରି ପାଇଁ ବ୍ୟସ୍ତ ଅଛନ୍ତି। ମାତ୍ର ଜଙ୍ଗଲ ନିକଟରେ ରହୁଥିବା ଗାଁର ଚାଷୀମାନେ ଧାନମଣ୍ଡିରେ ପହଞ୍ଚିବା ପୂର୍ବରୁ କେତେ ପରିଶ୍ରମ କରିଛନ୍ତି, ତାହା ତୂଣମୂଳସ୍ତରରେ ଯାଇ ସ୍ଥିତି ପରଖିଲେ ଦୁଃଖକୁ ଅତି ନିକଟରୁ ଦେଖି ହୋଇଥାଏ। ରାଜ୍ୟର ଚାଷୀମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ ଜଳସେଚନ ବ୍ୟବସ୍ଥା ନଥିବାରୁ ଇନ୍ଦ୍ର ଦେବତାଙ୍କର ଭରସାରରେ ଚାଷକାମ ହୋଇଥାଏ। ଅନ୍ୟପଟରେ ଜଙ୍ଗଲିଆ ଗାଁର ଚାଷୀମାନଙ୍କୁ ହାତୀ ଉପଦ୍ରବର ଶିକାର ହେବାକୁ ପଡ଼ିଥାଏ। ହାତୀ ଦୌରାତ୍ମ୍ୟ ପାଇଁ ଚାଷୀମାନେ ଏବେ କମ୍ ଦିନରେ ଅମଳ ହୋଇପାରୁ ଥିବା ଧାନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳ ସ୍ବରୂପ ଅନେକ ପାରଂପରିକ ଧାନ ଆଉ ଦେଖିବାକୁ ମିଳୁ ନାହିଁ।
/sambad/media/media_files/2025/01/10/2935c986-4d1c-423e-91e2-bdff511d0abd.jpg)
ରୁଘା ଚିନାମାଲ, ଜଗନ୍ନାଥ, ୧୦୧୪, ବିଷ୍ଣୁକର, ଲାଲ୍ନମ୍ବରୀ, ମହୀପାଲ, ହଲଦିଆ ଚୀନା, ହଜାରେ ଏକ (୧୦୦୧), ଜୟା, ଯମୁନା, ଶହେ ଏକ (୧୦୧), ପାଟିଣୀ, ମୁଗୁଧି, ନାଲିକଲମା, କାକିରି, ରତାମଲି, ସୁନାଖାଡ଼ି, ଭୂତିଆ, ହଜାରେ ଏକଷଠି, ହଜାରେ ଚଉଷଠି, ହଜାରେ ନଅ, ସାରଳା ପ୍ରମୁଖ ଧାନ ଚାଷ ବନ୍ଦ ହୋଇଯାଇଛି ଅଥବା କମ୍ ହେଉଛି।
ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ ଓ ହାତୀ ଦୌରାତ୍ମ୍ୟ ଚାଷୀମାନଙ୍କର ଜୀବନ ଉପରେ ଘୋର ପ୍ରଭାବ ପକାଇଛି। ପ୍ରତିବର୍ଷ ଝାଡ଼ଖଣ୍ଡୀ ହାତୀପଲ ଆସି ଫସଲ ନଷ୍ଟ କରିବା ଏକ ସାଧାରଣ କଥା। କିନ୍ତୁ ଚଳିତ ବର୍ଷ ଏଥିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ବର୍ଷା ହେଲା ମାତ୍ରେ ଚାଷ ଆରମ୍ଭ ହୋଇଯାଉଛି। ନଭେମ୍ବର-ଡିସେମ୍ବର ସୁଦ୍ଧା ଅମଳ ହୋଇପାରୁଥିବା ଧାନ ଚାଷ କରାଯାଉଛି। ୧୦ ବର୍ଷ ପୂର୍ବରୁ ଆଗରୁ ଜାନୁଆରି ପର୍ଯ୍ୟନ୍ତ ଧାନ କଟାଯାଉଥିଲା। ପୂର୍ବ ପୁରୁଷଙ୍କର ଧାନ ଯଥା ପାଟିଣୀ, ମୁଗୁଧି, ନାଲିକଲମା, କାକିରି, ରତାମଲି, ସୁନାଖାଡ଼ି, ଭୂତିଆ ଆଉ କରାଯାଉ ନାହିଁ। ଧାନ ‘ସ୍ବର୍ଣ୍ଣ’ ଅଧିକ ଅମଳ ଦେଉଛି। ସ୍ବର୍ଣ୍ଣ ଧାନ ଯଦି ମେ’-ଜୁନରେ ବୁଣାଯିବ, ଅକ୍ଟୋବରରେ ଅମଳ ହୋଇପାରୁଛି। ଆଗରୁ ରଜ ପୂର୍ବରୁ ଧାନ ବୁଣାଯାଉଥିଲା। ଏହାର ଅମଳ ପୌଷପୂର୍ଣ୍ଣିମା ପର୍ଯ୍ୟନ୍ତ ହେଉଥିଲା। ବିଗତ ୫ ବର୍ଷ ହେଲା ହାତୀ ଉପଦ୍ରବ ଯୋଗୁଁ ଚାଷୀମାନେ ଘୋର ପ୍ରଭାବିତ ହୋଇଛନ୍ତି। ହାତୀ ପାହାଡ଼ରୁ ଓହ୍ଲାଇ ସମତଳ ଅଞ୍ଚଳର ପ୍ରାୟ ୮ କିମି ପର୍ଯ୍ୟନ୍ତ ବ୍ୟାପୁଛନ୍ତି ବୋଲି ବାଲେଶ୍ବର ଜିଲ୍ଲା ନୀଳଗିରି ତହସିଲ ଅଧୀନ ଗୁହାଳିଆର ଚାଷୀ ନିରଞ୍ଜନ ବାରିକ କହିଛନ୍ତି।
ଆମ ଅଞ୍ଚଳରେ ଦିନକୁଦିନ ହାତୀମାନଙ୍କର ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଧାନ ଫସଲ ଉପରେ ହାତୀମାନଙ୍କର ନଜର ରହୁଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନାଞ୍ଚଳରୁ ହାତୀମାନେ ଆସି ଫସଲ ନଷ୍ଟ କରୁଛନ୍ତି। ହାତୀମାନଙ୍କ ଦ୍ବାରା ଧାନଚାଷ ଯେଉଁଭଳି ଭାବେ କ୍ଷତି ହୋଇଥାଏ, ଆଶାନୁସାରେ ସରକାରୀ ସୂତ୍ରରୁ କ୍ଷତିପୂରଣ ମିଳି ନଥାଏ। ସେଥି ପାଇଁ ଚାଷୀମାନେ କମ୍ ଦିନ ଭିତରେ ଅମଳ ହୋଇପାରୁଥିବା ଧାନ ଚାଷ କରୁଛନ୍ତି। କୃଷି ବିଜ୍ଞାନୀ ପଦ୍ଧତିରେ ଚାଷ କରାଯିବା ଦ୍ବାରା ଯଦିଓ ଫସଲ ଭଲ ଅମଳ ହେଉଛି, ଏହାରି ମଧ୍ୟରେ ଅନେକ ପାରଂପରିକ ଫସଲ ଆଉ ଦେଖାଯାଉ ନାହିଁ। ଏଥିରେ ରୁଘା ଚିନାମାଲ, ଜଗନ୍ନାଥ, ୧୦୧୪, ବିଷ୍ଣୁକର, ଲାଲ୍ନମ୍ବରୀ, ମହୀପାଲ, ହଲଦିଆ ଚୀନା ପ୍ରମୁଖ ରହିଛି।
-କଳାକାହ୍ନୁ ପ୍ରଧାନ, ଚାଷୀ, ବୀରମହାରାଜପୁର, ସୁବର୍ଣ୍ଣପୁର
/sambad/media/media_files/2025/01/10/ca51d888-b118-420a-9b4f-ce2ba5cca6e3.jpg)
ସମ୍ବଲପୁର ଜିଲ୍ଲା ଯୁଯୁମୁରା ତହସିଲ ଅଧୀନ ଠାକୁରମାଲର ସୁଶାନ୍ତ ପ୍ରଧାନ କୁହନ୍ତି, ହାତୀମାନେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। କେବଳ ଧାନ ନୁହେଁ। ବରଂ ପନିପରିବା ଓ ଅନ୍ୟ ଚାଷ ସହିତ ଘରଦ୍ବାର ମଧ୍ୟ ଭାଙ୍ଗୁଛନ୍ତି। ହାତୀ ଉପଦ୍ରବ ଏତିକିରେ ସୀମିତ ନୁହେଁ। ଧାନ ଖାଇବା ପାଇଁ ସେମାନେ ଘରକୁ ମଧ୍ୟ ପ୍ରବେଶ କରୁଛନ୍ତି। ଚାଷୀମାନେ ଭୟରେ ଅନେକଗୁଡ଼ିଏ ପରାଂପରିକ ଧାନଚାଷ ବନ୍ଦ କରିଦେଇଛନ୍ତି। ଏଥିରେ ହଜାରେ ଏକ (୧୦୦୧), ଜୟା, ଯମୁନା, ଶହେ ଏକ (୧୦୧) ଆଦି ସାମିଲ ରହିଛି। ଏହି ଧାନଗୁଡ଼ିକ ଅମଳ ହେବାକୁ ପ୍ରାୟ ୧୪୫ ଦିନ ଲାଗିଥାଏ। ହାତୀ ଭୟରେ ଲୋକେ କମ ଦିନରେ ଅମଳ ହୋଇପାରୁଥିବା ଧାନ ଚାଷ କରୁଛନ୍ତି। କିଛି ବର୍ଷ ହେଲା ଧାନ କଟା ଡିସେମ୍ବରରେ ସରୁଛି। ୧୦ ପୂର୍ବରୁ ଧାନ କଟା ସରିବା ବେଳକୁ ପୌଷ ପୂର୍ଣ୍ଣିମା (ଜାନୁଆରି) ହୋଇଯାଉଥିଲା। ହାତୀଙ୍କ ଭୟ ନଥିବାରୁ ଲୋକେ ଖଳାରୁ ଘରକୁ ଧାନ ଆଣିବା ବେଳକୁ ଫଗୁଣ ମାସ ହୋଇଯାଉଥିଲା।
ହଜାରେ ଏକଷଠି (୧୦୬୧), ହଜାରେ ଚଉଷଠି (୧୦୬୪), ହଜାରେ ନଅ (୧୦୦୯), ସାରଳା ଧାନ ପ୍ରତି ଚାଷୀ ଆଉ ଆଗ୍ରାହୀ ନାହାନ୍ତି। ଏହି ଧାନ ଅମଳ ହେବା ପାଇଁ ୧୮୦ ଦିନ, ୧୦୦୯ ଅମଳ ପାଇଁ ୧୬୦ ଦିନ, ୧୦୬୧ ଓ ୧୦୬୪ ପ୍ରାୟ ୧୫୦ ଦିନ ସମୟ ନେଇଥାଏ। ଭଂଜନଗର ଉପଖଣ୍ଡ ଢ଼ୋଲପିଟା ରେଂଜ ଅଞ୍ଚଳରେ ଏବେବି ୨୬ଟିକିଆ ହାତୀପଲ ଅଛନ୍ତି। ଏହି ହାତୀପଲ ପ୍ରତିବର୍ଷ ଖରିଫ ଋତୁରେ ଆସିଥାନ୍ତି ଓ ବ୍ୟାପକ ଫସଲ ନଷ୍ଟ କରିଥାନ୍ତି। ଏବେ ଧାନକଟା ଚାଲିଛି। ତେଣୁ ହାତୀଭୟ ରହୁଛି। ଚାଷୀମାନେ ହାତୀମାନଙ୍କ ଭୟରୁ ଧାନକୁ ରକ୍ଷା କରିବା ପାଇଁ ଗଛ ଉପରେ ମଞ୍ଚା ବାନ୍ଧିଛନ୍ତି, ବାଣ ଫୁଟାଉଛନ୍ତି। କିନ୍ତୁ ହାତୀମାନେ ମାନୁ ନାହାନ୍ତି। ଚଳିତ ବର୍ଷ ହାତୀ ଦୌରାତ୍ମ୍ୟ ବଢ଼ିଛି। କେବଳ ଧାନ ନୁହେଁ ଆଖୁ ଓ ପନିପରିବା ନଷ୍ଟ କରିବା ସହିତ କାଜୁବଗିଚାକୁ କ୍ଷତି ପହଞ୍ଚାଉଛନ୍ତି। ୧୦ ବର୍ଷ ପୂର୍ବରୁ କାଁ ଭାଁ ହାତୀ ଦୌରାତ୍ମ୍ୟ ଦେଖିବାକୁ ମିଳୁଥିଲା ବୋଲି କହିଛନ୍ତି, ଗଂଜାମ ଜିଲ୍ଲା ଗାଲେରି ଅଞ୍ଚଳର ମା କାଳୀ କୃଷକ କ୍ଲବର ସଭାପତି ରବୀନ୍ଦ୍ର ପ୍ରସାଦ ଶତପଥୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/10/1e7339aa-5e09-4e59-a2a5-e3a592f60fd6.jpg)
