ରାଇଘର: ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନ ଅନ୍ତର୍ଗତ ଭୁରୁଖାମହୁଲି ଗ୍ରାମ ନିକଟସ୍ଥ ଜଂଗଲରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି। ମୃତକ ଦୁଇଜଣ ହେଲେ ରାଇଘର ବ୍ଳକ ଭୁରୁଖାମହୁଲି ଗ୍ରାମର ନାରାୟଣ ଗଣ୍ଡଙ୍କ ପୁଅ ରେମଲାଲ ଗଣ୍ଡ (୧୮) ଏବଂ ଛବିଲାଲ୍ ଗଣ୍ଡଙ୍କ ଝିଅ ଦିକେଶ୍ୱରୀ ଗଣ୍ଡ (୧୬)l ଦୁହେଁ ଦୀର୍ଘ ଦିନରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ବେଳେ ପରିବାର ଲୋକେ ବିବାହ ପାଇଁ ମନା କରିଥିବାରୁ ଦୁହେଁ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି।
ସୂଚନା ଅନୁଯାୟୀ, ଗତ ରବିବାର ୨୨ ତାରିଖ ଠାରୁ ରେମଲାଲ୍ ଓ ଦିକେଶ୍ବରୀ ଦୁହେଁ ଘରୁ ବାହାରି ଆଉ ଫେରି ନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରି ପାଇ ନଥିଲେ। ଆଜି ସକାଳୁ ସେଠାକାର କିଛି ଗ୍ରାମବାସୀ ନିକଟସ୍ଥ ଜଙ୍ଗଲକୁ ଘlସ କାଟିବାକୁ ଯାଇଥିବା ବେଳେ ଏକ ଅଶ୍ବତଥ ଗଛ ଉପରେ ଦୁଇଜଣଙ୍କ ମୃତଦେହ ଦେଖି ଗ୍ରାମରେ ଆସି ଆଲୋଚନା କରିଥିଲେ। ଏହି କଥା ଶୁଣି ସମ୍ପୃକ୍ତ ଉଭୟ ଯୁବକ ଯୁବତୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିବା ସହ କୁନ୍ଦେଇ ଥାନାରେ ଲିଖିତ ଭାବେ ଜଣାଇଥିଲେ।
କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)