ଭୁବନେଶ୍ବର: ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉତ୍ତର ଦିଗରେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ବୁଧବାର ସକାଳୁ ଅବପାତର ରୂପ ନେଇଛି। ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଉତ୍ତର ଦିଗ‌ ଦେଇ ଆଗକୁ ବଢୁଥିବା ଜଣାପଡ଼ିଛି। ସୋଆ ବିଶ୍ବବିଦ୍ୟାଳୟର ସେଣ୍ଟର ଫର୍‌ ଏନ୍‌ଭରମେଣ୍ଟ ଆଣ୍ଡ କ୍ଲାଇମେଟ୍‌ (ସିଇସି)ର  ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବୁଧବାର ସନ୍ଧ୍ୟା କିମ୍ବା ରାତିରେ ଏହା ଗଭୀର ଅବପାତରେ ପରିଣତ ହୋଇପାରେ। ଏହା ଓଡ଼ିଶା ଦେଇ ଛତିଶଗଡ଼-ଝାଡ଼ଖଣ୍ଡ ଆଡ଼କୁ ଗତିକାରିପାରେ। 

Advertisment

ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲା, ପଶ୍ଚିମ ଓଡ଼ିଶା ଓ ଉତ୍ତର-ପୂର୍ବ ଓଡ଼ିଶାରେ ମଧ୍ୟ ବର୍ଷା ହୋଇପାରେ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ଷା ଯୋଗୁଁ ପୁରୀ, ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ, ବଳାଙ୍ଗୀର ଓ ବରବଡ଼ ଜିଲ୍ଲା ପ୍ରଭାବିତ ହୋଇପାରେ ବୋଲି ଶ୍ରୀ ସାହୁ କହିଛନ୍ତି। 

ଲଘୁଚାପ ପ୍ରଭାବରେ ଭୁବନେଶ୍ବର, କଟକ ସମେତ ଆଜି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ବରରେ ଅପରାହ୍‌ର ସାଢ଼େ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବର୍ଷା ରହିରହି ହୋଇଛି। ଦୁର୍ଗାପୂଜା ଚାଲିଥିବାରୁ ସହରର ମୁଖ୍ୟ ଛକଗୁଡ଼ିକରେ ଲୋକେ ନାହିଁ ନଥିବାର ଅସୁବିଧାର ସାମ୍ନା କରିଛନ୍ତି। 

Rain in Odisha | imd bhubaneswar