ଝରିଗାଁ: ଦୁର୍ନୀତିଗ୍ରସ୍ତ ସମାଜରେ ସରକାରୀ ଟଙ୍କା ଲୁଟିବା ପାଇଁ ଅନେକ କର୍ମଚାରୀ ମାହିର ଥିବା ବେଳେ ଆହୁରି କିଛି ଲୋକ ଭଲ କାମ କରି ସୁନାମ ଆଣିବାକୁ ଲକ୍ଷ୍ୟ ରଖିଥାନ୍ତି। ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ଦ୍ବାରା ମଧ୍ୟାହ୍ନ ଭୋଜନ ଚାଉଳ ହଡପ ହେବା, ପିଲାମାନଙ୍କ ପାଇଁ ଆସୁଥିବା ଅନୁଦାନରୁ ଆତ୍ମସାତ କରିବା ତଥା ଅଗ୍ରହଣୀୟ କାମ କରିବା ସଂପର୍କିତୀ ଖବର ଗଣମାଧ୍ୟମ ମାଧ୍ୟମରେ ପଢ଼ିଛେ ଓ ଶୁଣିଛେ। କିନ୍ତୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କରମରୀସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନିରୁପମା ସ୍ୱାଇଁଙ୍କ ସ୍ବପ୍ନ ପିଲାମାନଙ୍କ ପାଇଁ ଅଲଗା ପ୍ରକାରର। ତାଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ହେବା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିଶୁ ଉଦ୍ୟାନ ନିର୍ମାଣ ହୋଇପାରିଛି। ବିଦ୍ୟାଳୟ ପରିସରରେ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। 

Advertisment

ଶ୍ରୀମତୀ ସ୍ୱାଇଁ ଉକ୍ତ ବିଦ୍ୟାଳୟରେ ଗତ ଦୁଇ ବର୍ଷ ତଳେ ନିଯୁକ୍ତି ପାଇଥିଲେ। ସେ ଯେଉଁ ସମୟରେ ଏହି ବିଦ୍ୟାଳୟରେ ଯୋଗଦେଇଥିଲେ, ସେତେବେଳେ ଏହା ବହୁବିଧ ସମସ୍ୟାରେ ଗତି କରୁଥିଲା। ବର୍ତ୍ତମାନ ସରକାରଙ୍କ ସହାୟତା ସହ ବିଦ୍ୟାଳୟ ପରିଚାଳନା କମିଟି ଏବଂ ପ୍ରଧାନଶିକ୍ଷୟିତ୍ରୀଙ୍କ ଉଦ୍ୟମରେ ବିଦ୍ୟାଳୟର ବିକାଶ ହୋଇପାରିଛି। ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀ ଗୃହ ଅଭାବ ଦୂର ହୋଇଛି। ଶୋଚନୀୟ ଅବସ୍ଥାରେ ଥିବା କାର୍ଯ୍ୟାଳୟ ଗୃହର ଉନ୍ନତି ହୋଇଛି। ସେହିପରି ବିଦ୍ୟାଳୟର ଆଲୋକୀକରଣ ସହ ପାନୀୟ ଜଳ ସମସ୍ୟାର ସମାଧାନ ହୋଇଥିଲା। ନୂତନ ଫାଟକ ନିର୍ମାଣ ସହ କଂକ୍ରିଟ ରାସ୍ତା ଓ ରୋଷେଇ ଘରର ମରାମତି କରାଯାଇଥିଲା। କସ୍ତୁରବା ଗାନ୍ଧୀ ଛାତ୍ରୀମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ସହ ଉତ୍ତମ ପରିବେଶ ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ଖବର ପଢ଼ନ୍ତୁ: ଛାତ୍ରଙ୍କୁ ଚୁମ୍ବନ ଦେଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ପ୍ରଧାନଶିକ୍ଷୟିତ୍ରୀ ଶ୍ରୀ ସ୍ୱାଇଁଙ୍କ ନିଜସ୍ବ ଖର୍ଚ୍ଚରେ ବିଦ୍ୟାଳୟରେ ଭାରତ ମାତାଙ୍କ ପ୍ରତିମୂର୍ତ୍ତି ସହ କସ୍ତୁରବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ୪ ଜଣ ମହାପୁରୁଷ ଉତ୍କଳମଣି ଗପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ସହିଦ ଲଷ୍ମଣ ନାୟକ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। 

ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ପାଇଁ ଏକ ମିନି ପାର୍କ ନିର୍ମାଣ କାମ ଚାଲିଛି। ଚଳିତ ମାସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିର ଉନ୍ମୋଚନ ଓ ପାର୍କର ଉଦ୍‌ଘାଟନ ହେବ।

-ନିରୁପମା ସ୍ବାଇଁ, ପ୍ରଧାନଶିକ୍ଷୟିତ୍ରୀ 

 

ଏହି ସବୁ ଆନୁଷଙ୍ଗିକ ବ୍ୟବସ୍ଥାରେ ସାମାନ୍ୟ ସୁଧାର ଆସି ଥିବା ଯୋଗୁଁ ପିଲାଙ୍କ ପଠା ପଢାରେ ବି ଆଶାନୁରୂପ ଉନ୍ନତି ଦେଖା ଦେଇଛି। ତଥାପି ବିଦ୍ୟାଳୟରେ ଆହୁରି ଅନେକ ଅସୁବିଧା ଥିବା କଥା ଶ୍ରୀମତୀ ସ୍ୱାଇଁ କହିଛନ୍ତି। ବିଶେଷ କରି ଶିକ୍ଷକ ଓ ଶ୍ରେଣୀ ଗୃହ ଅଭାବ, ବିଦ୍ୟାଳୟରେ ଡ୍ରେନେଜ୍ ବ୍ୟବସ୍ଥା, ହଷ୍ଟେଲ ଗୃହ ଗୁଡ଼ିକର ମରାମତି, ଖାଲୁଆ ଜାଗାରେ ମାଟି ପୂରଣ କରି ସମତୁଲ କରିବା ଭଳି କିଛି କାମ ଥିବା କହିଛନ୍ତି। ପ୍ରଶାସନ ଓ କମିଟିର ସହଯୋଗରେ ଆଗାମୀ ଦିନରେ ବିଦ୍ୟାଳୟର ଏହି ସମସ୍ୟା ଗୁଡିକର ମଧ୍ୟ ସମାଧାନ ନିଶ୍ଚିତ ହେବ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଆଶା କରିଛନ୍ତି।

ଏହି ଖବର ପଢ଼ନ୍ତୁ: ୨ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ପ୍ରଧାନଶିକ୍ଷୟିତ୍ରୀ