ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନାରେ ଗର୍ଭବତୀମାନଙ୍କର ମାଗଣାରେ ବିଭିନ୍ନ ପରୀକ୍ଷା ଓ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ସେହିକ୍ରମରେ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଜିଲ୍ଲାର ୧୦ବ୍ଲକ, ୨ ପୌରାଂଚଳରୁ ଆସିଥିଲେ ୨୦୮ଗର୍ଭବତୀ ମା’। ଏତେ ସଂଖ୍ୟକ ମା’ମାନେ ବିଭିନ୍ନ ପରୀକ୍ଷା ପାଇଁ ଆସିଥିଲେ। ସେମାନେ ଆସିବା ପରେ ସେମାନଙ୍କ ବସିବା ପାଇଁ ଚୈକି ବି ନଥିଲା। ଏପରିକି ବସିବାକୁ ଜାଗା ପାଇ ନଥିଲେ। ଦୂରଦୂରାନ୍ତରୁ ଆସିଥିବା ମା’ମାନେ ଶୀଘ୍ର ପରୀକ୍ଷା ସାରି ପୁଣି ଘରକୁ ଫେରିବା ପାଇଁ ପଂଜୀକରଣ କାଉଣ୍ଟର ଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ପାଇଁ ଲମ୍ବା ଲାଇନ ଲଗାଇ ହଇରାଣ ହରକତ ହୋଇ ଧାଡ଼ି ଯନ୍ତ୍ରଣାରେ ରହିଥିବା ଦେଖିବାକୁ ମିଳିଥିଲା। ଧାଡ଼ି ଯନ୍ତ୍ରଣାର ସହ୍ୟ କରି ନ ପାରି ବହୁ ମହିଳା ତଳେ ଚଟାଣରେ ବସିବାକୁ ଦେଖିବାକୁ ମିଳିଥିଲା। ସେମାନଙ୍କୁ ନେଇ ଆସିଥିବା ଆଶା କର୍ମୀମାନେ ବି ତଳେ ବସିଥିଲେ।

Advertisment

ଡିଏଚଏଚରେ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନାର ଯାଂଚ ପାଇଁ ୨୦୮ଜଣ ମହିଳା ଆସିଥିଲେ। ଏମାନଙ୍କର ଏଠାରେ ମାଗଣାରେ ରକ୍ତଚାପ, ରକ୍ତ, ହେମୋଗ୍ଲୋବିନ୍ ଓ ପରିସ୍ରା ପରୀକ୍ଷା କରାଯାଇଥିଲା। ଅଲଟ୍ରାସାଉଣ୍ଡ ଜରିଆରେ ଗର୍ଭସ୍ଥ ଶିଶୁର ପଜିସନ୍ ଆଦି ଡାକ୍ତରମାନେ ପରୀକ୍ଷା କରି ଦେଖିଥିଲେ। ଏହା ସହ ମାଗଣାରେ ଔଷଧ ଦେଇଥିଲେ। ଏପରିକି ପଂଜୀକରଣ ଠାରୁ ଆରମ୍ଭ କରି ସମସ୍ତ ଯାଂଚ ନିକଟରେ ଭୀଡ ଦେଖିବାକୁ ମିଳିଥିଲା। ପିଇବା ପାଇଁ ଭଲ ପାଣି ଟିକେ ବି ମିଳିନଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ମହିଳାମାନଙ୍କୁ ସର୍ବାଧିକ ଡାକ୍ତରଖାନାରେ ପ୍ରସବ କରିବାକୁ ପରାମର୍ଶ ଦିଆଯାଇଛି। ଯାଂଚ ପାଇଁ ଆସୁଥିବା ମହିଳା ଓ ସାଙ୍ଗରେ ନେଇ ଆସୁଥିବା ଆଶାକର୍ମୀ ମାନଙ୍କୁ ପୃଷ୍ଠିକର ମଧ୍ୟାହ୍ନଭୋଜନର ବ୍ୟବସ୍ଥା ବି କରାଯାଉଛି। ସବୁ ମାସରେ ୭୦ରୁ ୧୦୦ ଯାଏଁ ଗର୍ଭବତୀ ମା’ ଆସୁଥିବା ବେଳେ ଏହି ବର୍ଷର ଆଜି ହିଁ ସର୍ବାଧିକ ମା’ ଯାଂଚ ପାଇଁ ଆସିଥିବା କହିଛନ୍ତି ହସ୍ପିଟାଲ ମ୍ୟାନଜର ରିତେଶ ସାହୁ। ଜଣେ ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ଓ ଜଣେ ମହିଳା ଡାକ୍ତରଙ୍କ ସମେତ ଅନ୍ୟ ସବୁ କର୍ମଚାରୀ ପରୀକ୍ଷାରେ ସହଯୋଗ କରିଥିବା କହିଛନ୍ତି ।

ଗର୍ଭବତୀ ମା’ମାନେ ତଳେ ଚଟାଣରେ ବସିବା ଏବଂ ପିଇବାକୁ ପାଣି ନ ପାଇବା ଯୁକ୍ତିଯୁକ୍ତ ‌ନୁହେଁ। ଏମାନଙ୍କୁ ସର୍ବନିମ୍ନ  ସେବା ଓ ସୁବିଧା ‌ଯୋଗାଇ ଦେବା ଆବଶ୍ୟକ ବୋଲି ଗର୍ଭବତୀ ମହିଳାଙ୍କ ସ୍ବାମୀ ଓ ସମ୍ପର୍କୀୟମାନେ କହିଛନ୍ତି। ଗର୍ଭବତୀ ମହିଳାମାନେ ବିଭିନ୍ନ ପରୀକ୍ଷା ପାଇଁ ଘଣ୍ଟା ଘଣ୍ଟା ଧରି ଠିଆ ହେବା ଦ୍ବାରା ସେମାନଙ୍କ ଏବଂ ଗର୍ଭସ୍ଥଶିଶୁର ମାନବିକ ଅଧିକାର ବି କ୍ଷୁର୍ଣ୍ଣ ହେଉଛି ବୋଲି ମାନବିକ ଅଧିକାର କର୍ମୀ ସନ୍ତୋଷ ମିଶ୍ର ଅଭିଯୋଗ କରିଛନ୍ତି। ଏହି ଯୋଜନାର ସଫଳ ରୁପାୟନ ପାଇଁ ପ୍ରଶାସନ ପକ୍ଷରୁ ସରଳୀକରଣ କରି ସେବା ଯୋଗାଯାଉ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।   

 Nabarangpur

ରିପୋର୍ଟ: ସୁରେଶ ନାଇଡୁ