କଟକ: ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନର ହାଇକୋର୍ଟରେ ଆଜି ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ସେଠୀଙ୍କ ଆବେଦନର ଆଜି ଚୂଡାନ୍ତ ଶୁଣାଣି ହୋଇଥିଲା। ସିବିଆଇ ତରଫରୁ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା। ସିବିଆଇ ତରଫରୁ ସହଅଭିଯୁକ୍ତ ଦେବଦତ୍ତ ମହାପାତ୍ରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ମୋବାଇଲ ଫୋନ୍ ବ୍ୟବହାର ସଂପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା।
ଆବେଦନକାରୀଙ୍କ ତରଫରୁ ମଧ୍ୟ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହାପରେ ହାଇକୋର୍ଟ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥି ସହିତ ଶ୍ରୀ ସେଠୀଙ୍କୁ ପୂର୍ବରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ଦିଆଯାଇଥିବା ନିର୍ଦ୍ଦେଶ ମାମଲାର ରାୟ ପ୍ରକାଶ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ହାଇକୋର୍ଟ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ସେଠୀଙ୍କ ବାସଭବନରେ ସିବିଆଇ ଚଢାଉ କରିଥିଲା। ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଜିଏମ ଚଞ୍ଚଲ ମୁଖାର୍ଜୀ ଲାଞ୍ଚ ନେଇ ଗିରଫ ହୋଇଥିବା ବେଳେ ଏହି ଘଟଣାରେ ବିନା କାରଣରେ ତାଙ୍କୁ ଓ ତାଙ୍କ ପରିବାରକୁ ଟଣାଯାଉଛି ବୋଲି ଦର୍ଶାଇ ଶ୍ରୀ ସେଠୀ, ତାଙ୍କ ପତ୍ନୀ ଓ ଝିଅ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜୁନ୍ ୨୦ରେ ହାଇକୋର୍ଟ ଶ୍ରୀ ସେଠୀ ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଦାୟର ମାମଲାକୁ ଖାରଜ କରିବା ସହିତ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇ ଦେଇଥିଲେ। ସେହି ଦିନ ଶ୍ରୀ ସେଠୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଜୁଲାଇ ୩ରେ ହାଇକୋର୍ଟ ଆଗୁଆ ଜାମିନ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଶ୍ରୀ ସେଠୀଙ୍କ ବିରୋଧରେ କୌଣସି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।
Orissa High Court
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/31/AHrIWRi0nUB2qMMsIlHQ.jpg)