କଟକ: ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାୟୀ ତଥା ଭାରପ୍ରାପ୍ତ କୁଳପତି ନିଯୁକ୍ତି ସମ୍ପର୍କରେ ଜନସ୍ୱାର୍ଥ ମାମଲା ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଜବାବ୍ ତଲବ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯ର ଧାରା ୬(୧) ଅନୁସାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାୟୀ କୁଳପତି ଓ ଧାରା ୬ (୧୦) ଅନୁସାରେ ଭାରପ୍ରାପ୍ତ କୁଳପତି ନିଯୁକ୍ତି ପାଇଁ ଆଗତ ଜନସ୍ବାର୍ଥ ମାମଲାର ପ୍ରାଥମିକ ଶୁଣାଣି ମୁଖ୍ୟ ବିଚାରପତି ହରିଶ୍ ଟାଣ୍ଡନ ଓ ବିଚାରପତି ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ପ୍ରବୀର କୁମାର ଦାସଙ୍କ ଦ୍ଵାରା ରୁଜୁ ହୋଇଥିବା ଏହି ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି, ଉତ୍କଳ ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ୨୩ ନଭେମ୍ବର ୨୦୨୪ରେ ସମ୍ପୂର୍ଣ୍ଣ ହେବା ପରେ କୁଳାଧିପତି (ଚାନସେଲର) ତାଙ୍କର କାର୍ଯ୍ୟକାଳ ଛଅମାସ ବୃଦ୍ଧି କରିଥିଲେ। ତାଙ୍କର ବର୍ଦ୍ଧିତ କାର୍ଯ୍ୟକାଳ ୨୩ ମେ ୨୦୨୫ରେ ସମାପ୍ତ ହେଲାପରେ କୁଳାଧିପତି ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲଜି ବିଭାଗର ପ୍ରଫେସର୍ ଯଜ୍ଞେଶ୍ଵର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ଭାବରେ ୨୭ ମେ ୨୦୨୫ରେ ନିଯୁକ୍ତି ଦେଇଥିଲେ। କିନ୍ତୁ କୌଣସି କାରଣ ବଶତଃ ସ୍ଥାୟୀ କୁଳପତି ନିଯୁକ୍ତି ସମ୍ଭବ ନ ହେଲେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯ର ଧାରା ୬ (୧୦) ଅନୁସାରେ ଅନ୍ୟ ଯେକୌଣସି ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଭାରପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ଦେବାର ପ୍ରାବଧାନ ରହିଛି।
କୁଳାଧିପତିଙ୍କ ଦ୍ଵାରା ପ୍ରଫେସର୍ ଯଜ୍ଞେଶ୍ଵର ଦଣ୍ଡପାଟଙ୍କୁ ଭାରପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ବେଆଇନ ହୋଇଥିବାରୁ ଏହାକୁ ରଦ୍ଦ କରି ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯ର ଧାରା ୬ (୧୦) ଅନୁସାରେ ଅନ୍ୟ ଯେକୌଣସି ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ରୂପେ ନିଯୁକ୍ତି ଦେବାକୁ କୁଳାଧିପତିଙ୍କୁ ଆଦେଶ ଦେବାକୁ ପ୍ରାର୍ଥନା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ, ୧୯୮୯ର ପ୍ରାବଧାନକୁ ଉଲ୍ଲଙ୍ଘନ କରି କୁଳାଧିପତି କେମିତି ଏମିତି ନିଯୁକ୍ତି ଦେଲେ ଓ ଓଡ଼ିଶା ସରକାର କିପରି ତାଙ୍କୁ ଉପଯୁକ୍ତ ପରାମର୍ଶ ଦେବାକୁ ବିଫଳ ହେଲେ ବୋଲି ଖଣ୍ଡପୀଠ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଓ ସରକାରଙ୍କ ଠାରୁ ଜବାବ୍ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ। ଏହି ମାମଲାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଚିବ, କୁଳାଧିପତିଙ୍କର ପ୍ରମୁଖ ସଚିବ ,ଉତ୍କଳ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଓ କୁଳସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।
Bhubaneswar | Orissa High Court