ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେଲା ବର୍ଷା ଜାରି ଅଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ସ୍ବତନ୍ତ୍ର ରିଲିଫ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।
ଏସ୍ଆରସି ପକ୍ଷରୁ କୁହାଯାଇଛି ଯେ, ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଏବଂ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ସେଠାକାର ପ୍ରଶାସନ ପରିସ୍ଥିତି ମୁକାବିଲା ପାଇଁ ସତର୍କ ରୁହନ୍ତୁ। ବର୍ଷା ଓ ବଜ୍ରପାତ ସମୟରେ ଲୋକେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ। ଜଳଭର୍ତ୍ତି ଥିବା ସ୍ଥାନକୁ ଯାଆନ୍ତୁ ନାହିଁ। ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ। ବର୍ଷା ପରେ ସ୍ଥାନୀୟ ପ୍ରଶାସନ କ୍ଷୟକ୍ଷତିଜନିତ ରିପୋର୍ଟ ପ୍ରସ୍ତୁତ କରନ୍ତୁ।
ବିଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ଥିବାରୁ ଜନସାଧାରଣର ପ୍ରଭାବିତ ହୋଇଛନ୍ତି। ଖରିଫ ଋତୁ ଜାରି ଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଧିକାଂଶ ସ୍ଥାନରେ ଧାନଚାଷ ପ୍ରଭାବିତ ହୋଇଛି।
ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୬ ତାରିଖ ଯାଏ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅତିପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁର ଏହି ୩ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିଲା। ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ସୁବର୍ଣ୍ଣପୁର, ଅନୁଗୋଳ ଏବଂ ଦେବଗଡ଼ ଏହି ୬ ଜିଲାକୁ ୟେଲେ ଓ୍ବାର୍ଣ୍ଣିଂ ଜାରି ମଧ୍ୟ ଜାରି ହୋଇଥିଲା।
ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ ଜାରି କରାଯାଇଛି।
Rain in Odisha | IMD | Weather