ଭୁବନେଶ୍ୱର: ଦିନସାରା ପ୍ରବଳ ଖରା ଓ ଗୁଳୁଗୁଳିରେ ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ବରବାସୀ ଛଟପଟ ହୋଇଛନ୍ତି। ଆଜି ସନ୍ଧ୍ୟାରେ ପାଣିପାଗ ହଠାତ ପରିବର୍ତ୍ତନ ହୋଇଛି। ସନ୍ଧ୍ୟା ସମୟରେ ଭୁବନେଶ୍ବରରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ପରେ ରାସ୍ତାରେ ପାଣିର ସୁଅ ଛୁଟିଛି। ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ଭୁବନେଶ୍ବରର ଅନେକ ମୁଖ୍ୟରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଛି। ପ୍ରବଳ ବର୍ଷା ଯୋଗୁଁ ଜନପଥ, ବମିଖାଲ ଓ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷା ପାଣିରେ ଅନେକ ସ୍ଥାନରେ ଗାଡ଼ିଗୁଡ଼ିକ ବୁଡ଼ି ଯାଇଥିବା ଦେଖିବାକୁ ମିଳିଛି।
ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱର ସମେତ ଓଡ଼ିଶାର ୧୦ ଜିଲା ପାଇଁ ଅରେଞ୍ଜ ଚେତାବନୀ ଜାରି କରିଛି। ମାଲକାନଗିରି, ଭୁବନେଶ୍ୱର ସହ ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ରାୟଗଡ଼ା, ସୁନ୍ଦରଗଡ଼, ନୟାଗଡ଼ ଓ କେନ୍ଦୁଝର ଜିଲାରେ ଝଡ଼ତୋଫାନ, ବଜ୍ରପାତ ଓ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।
ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ନ ୪ ଟାରୁ ପ୍ରାୟ ୨ ଘଣ୍ଟା ଯାଏଁ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ କାଳବୈଶାଖୀ ଓ ବଜ୍ରପାତ ହୋଇଥିବା ବେଳେ ଆଜି ରାତିରେ ପ୍ରବଳ ବର୍ଷା ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭଗାର ତଥ୍ୟ ଅନୁଯାୟୀ, ସ୍ବତନ୍ତ୍ର ରିଲିଫ କମିସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ତିନି ଘଣ୍ଟା ଯାଏଁ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଅଛି ବୋଲି କୁହାଯାଇଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା ଅନୁସାରେ ଭୁବନେଶ୍ବରରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ୫୭ମିମି ବର୍ଷା ରେକର୍ଡ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ଯେ, ଆଗାମୀ ତିନି ଦିନ ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା, କାଳବୈଶାଖୀ ଓ ବଜ୍ରପାତର ସମ୍ଭାବନା ରହିଛି। ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼ ଓ ସୁନ୍ଦରଗଡ଼ରେ ବଜ୍ରପାତ ସହ ୫୦-୬୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ୭ରୁ ୧୧ ସେମି ଭାରୀ ବର୍ଷା ହୋଇପାରେ।
IMD | Bhubaneswar | Weather
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/03/lZCB6fdjQhIYxGIvfbpW.jpg)