ଭୁବନେଶ୍ବର: ଭାଇ ! ଇଏ ଭୁବନେଶ୍ବର… ଏଠି ସହର କେତେବେଳେ କେଉଁ ରୂପ ନିଏ କାହା ପାଖେ ନଥାଏ ଖବର । କେତେବେଳେ ରାଜଧାନୀ ରଙ୍ଗୀନ ହୁଏତ ପୁଣି କେତେବେଳେ ରାଜଧାନୀ ଲୋକଙ୍କ ରକ୍ତ ଗରମ ବି କରିଦିଏ… କେବେ ଖୁସି ଦିଏ ପୁଣି କେବେ କଷ୍ଟ ଦିଏ… ଏବେ ପୂଜାର ମାହୋଲ । ତାହା ପୁଣି ଦଶହରା । ଅନ୍ୟଦିନ ଅପେକ୍ଷା ଦୁର୍ଗାପୂଜା ଆସିଲେ ବଦଳିଯାଏ ସହରର ଚିତ୍ର । କୋଲକାତା ପରେ କଟକ ଆଉ କଟକ ପରେ ଏବେ ଭୁବନେଶ୍ବରରେ ଜମାଣିଆ ହେଉଛି ପୂଜା, ପେଣ୍ଡାଲ, ମେଢ, ମହୋତ୍ସବ । ବର୍ଷକୁ ୪ ଦିନ ପାଇଁ ବିରାଜନ୍ତି ମାଆ ଜଗଜ୍ଜନନୀ । ମାଆଙ୍କୁ ପାଛୋଟିବାକୁ ଗୋଟେପଟେ ସହରରେ ଜମେ ଉତ୍ସବର ଭିଡ଼, ଅନ୍ୟପଟେ ଜମେ ଟ୍ରାଫିକ୍ ଭିଡ଼ ।
ଆଜି ପେଣ୍ଡାଲରେ ମହାମାୟାଙ୍କ ମହାଷ୍ଟମୀ ପୂଜା ହୋଇଥିବା ବେଳେ ଷଷ୍ଠୀ ଠାରୁ ରାସ୍ତାରେ ଲାଗିଲାଣି ଭିଡ଼ । ଜାମ୍ ହେଲାଣି ସହର । ସହରିଆ ଟ୍ରାଫିକ ଜାମ୍ ପରି ଅସମ୍ଭାଳ ପରିସ୍ଥିତିରେ ନୟାନ୍ତ ହୋଇପଡ଼ିଲେଣି । ସଞ୍ଜ ନୁହେଁ ବରଂ ଦିନ ୨ଟାରୁ ରାସ୍ତାରେ ଭିଡର ଆରମ୍ଭ ହେଉଛି । ଆଉ ସଞ୍ଜ ବାଜିଲା କ୍ଷଣି ହଠାତ୍ ବିଗିଡ଼ିଯାଉଛି ପରିସ୍ଥିତି । ସ୍ଥିତି ଏମିତି ହେଉଛି ଶହେ ମିଟର ଗାଡ଼ି ଗଡ଼ିବାକୁ ଲାଗୁଛି ଘଂଟାଏ ସମୟ। ରାସ୍ତାର ଛାତି ଉପରେ ଗାଡ଼ିମଟରର ଘୁଁ ଘୁଁ ଶବ୍ଦ ଘଣ୍ଟାଘଣ୍ଟା ଧରି ରହୁଛି ।
ସେପଟେ ଟ୍ରାଫିକ୍ ଜାମରେ ଫସି ଲୋକେ ହନ୍ତସନ୍ତ ହେଉଛନ୍ତି । ଖାଲି ସଞ୍ଜରେ ନୁହେଁ ଦିନରେ ଭିଡ଼ ଦେଖିବାକୁ ମିଳୁଛି। ରାସ୍ତାରେ ଲାଗୁଛି ଗାଡ଼ିର ଧାଡ଼ି। ଥରେ ଜାମ୍ରେ ଫସିଲେ କଥା ସରିଲା। ଛୋଟରୁ ବଡ଼ ଗାଡ଼ି ସବୁ ଫସିକି ରହୁଛି। କେଁ କାଁ ଶବ୍ଦରେ କାନ ତାବଦା ହେଇଯାଉଛି । ଦିନରେ ରାସ୍ତା ଜାମକୁ ଉପରେ ତତଲା ଖରା । ଦେହ ହାତ ଜାଳି ଦେଉଛି । ନିଜ ନିଜ ଗାଡି ଆଗରେ ଶହଶହ ଗାଡ଼ିର ଲମ୍ବା ଲାଇନ, ଯାହା ଫଳରେ ଗାଡ଼ି ଗଡ଼ିବା କଷ୍ଟକର ହୋଇପଡ଼ୁଛି । ଘଣ୍ଟା ଘଣ୍ଟା ଧରି ଜାମ୍ ଲାଗିରହୁଛି ।
ପୂଜା ଦେଖିବାକୁ ଆସୁଥିବା ଲୋକ ଅମାନିଆ ହେଉଛନ୍ତି । କିଏ ରାସ୍ତା ଉପରେ ଗାଡ଼ି ରଖି ପଳାଉଛନ୍ତି ତ ପୁଣି କିଏ ମଣ୍ଡପ ସାମ୍ନାରେ ଗାଡ଼ି ରଖି ପୂଜା ଦେଖୁଛନ୍ତି । ଯାହାଫଳରେ ବଢ଼ୁଛି ଟ୍ରାଫିକ ସମସ୍ୟା । ପୋଲିସ ଯେତେ ବାରଣ କଲେ, ଯେତେ ବୁଝାଇଲେ ପୂଜା ମାହୋଲରେ ମସଗୁଲ ଲୋକେ ଶୁଣିବାକୁ ବି ନାରାଜ । ଗତକାଲି ସଂଧ୍ଯାରେ ଭୁବନେଶ୍ବରର ବରମୁଣ୍ଡା ଠାରୁ ପଳାଶୁଣୀ ଯାଏଁ ରାସ୍ତା ଜାମ୍ ଥିଲା । ଏନଏଚ ଉପରେ ଭିଡ ତ ତଳେ ବି ଭିଡ଼ । ସ୍ଥିତି ଏମିତି ଅସମ୍ଭାଳ ହୋଇଥିଲା ଗାଡ଼ି ଗୋଟେ ଜାଗାରେ ଘଣ୍ଟା ଘଣ୍ଟା ଅଟକି ରହିଥିଲା ।
ବିଶେଷ କରି ପୂଜାମଣ୍ଡପ ସଂଲଗ୍ନ ରାସ୍ତାରେ ଗାଡ଼ି ଗଡ଼ିବା ପାଇଁ ଅଧ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ପୂଜା ଦେଖିବାକୁ ଆସି ମଣ୍ଡପ ସମ୍ମୁଖରେ ଲୋକମାନେ ଗାଡ଼ି ରଖି ଫଟୋ ଉଠାଇବା, ସେଲ୍ଫି ନେବା, ଭିଡିଓ ଆଦି କରିବା ଫଳରେ ଭିଡ଼ ଲାଗି ରହୁଛି । ରାସ୍ତା କଡ଼ ପାର୍କିଂ ହିଁ ଭିଡ଼ର ମୁଖ୍ୟକାରଣ ବୋଲି କୁହାଯାଉଛି । କାରଣ ମୁଖ୍ୟ ରାସ୍ତାକୁ ଲାଗି ମଣ୍ଡପଗୁଡ଼ିକ ଥିବାରୁ ଏହାର ସଂଲଗ୍ନ ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ପୁଲିସ ହାତରେ ପୂରାପୂରି ବାହାରିଯାଉଛି । ସର୍ଭିସ୍ ରୋଡ୍ ଗୁଡ଼ିକରେ ଭିଡ଼ ହେଉଥିବାରୁ ଜାତୀୟ ରାଜପଥରେ ମଧ୍ୟ ଭିଡ଼ ପରିଲକ୍ଷିତ ହେଉଛି । ସଂଞ୍ଜ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭିଡ଼ ଏମିତି ହେଉଛି ଲୋକେ ସେ ଭିଡକୁ ଦେଖି ଘରେ ରହିବାକୁ ପସନ୍ଦ କରୁଛନ୍ତି । ଆଉ ଯଦି କେହି ସେ ଭିଡରୁ ମୁକୁଳି ଆସୁଛି ଆଉ ସେ ଭିଡକୁ ଯିବାକୁ ଡରୁନି ।
ଅପରପକ୍ଷେ ଏପରି ସ୍ଥଳରେ ପୂଜାବେଳେ ଏ ଭିଡ଼ କେବଳ ଚଳିତ ବର୍ଷ ନୁହେଁ ବରଂ ପୂଜା ବେଳେ ଭିଡ଼ ବର୍ଷ ବର୍ଷ ଧରି ଲାଗି ରହୁଛି । ଦଶହରା ସମୟରେ ଭିଡ ରାଜଧାନୀରେ ନୂଆ କଥା ନୁହେଁ । ଗତବର୍ଷ ବି ଅସମ୍ଭାଳ ଭିଡରେ ଅଣନିଶ୍ବାସୀ ହୋଇଥିଲା ଭୁବନେଶ୍ବର । ପୂଜା ବେଳେ ଗତ ଥର ବି ଲୋକେ ରାସ୍ତାରେ ଭିଡ ପାଇଁ ଘଣ୍ଟା ଘଣ୍ଟା ଧରି ଜାମରେ ଫସିଥିଲେ ଆଉ ହନ୍ତସନ୍ତ ହୋଇଥିଲେ । ସେ ବରମୁଣ୍ଡାରୁ ନୟାପଲ୍ଲୀ ସାମ୍ନା କୁହନ୍ତୁ କି ରସୁଲଗଡରୁ ପଳାସୁଣୀ ରାସ୍ତା… ଅବା ଏପଟେ ବଲିଖାଲରୁ ନେଇ ଝାରପଡା – ସବୁଠି ପୂଜା ବୁଲିବା ମୁଡରେ ଥିବା ଲୋକଙ୍କ ପାଇଁ ରାସ୍ତା ଜାମ୍ ହୋଇଥିଲା । ପଟିଆ ରାସ୍ତା ତ ଏମିତିରେ ସବୁଦିନିଆ ଜାମର ସାମ୍ନା କରେ । ହେଲେ ଏହି ପୂଜା ସମୟରେ ପଟିଆ ରାସ୍ତାର ହାଲ୍ ବେହାଲ ହୁଏ । ପ୍ରତିଥର ପୂଜା ପୂର୍ବରୁ ଭିଡ଼ ନିୟନ୍ତ୍ରଣ ପାଇଁ ଦୈତ ନଗରୀରେ ପ୍ଲାନିଂ ହୁଏ, ହେଲେ ପୂଜା ବେଳେ ସବୁ ଯୋଜନା ଫସର ଫାଟେ । ଏତେ ଭିଡ଼ ହୁଏ ଯେ ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡେ । ଅତୀତ କଥା କୁହନ୍ତୁ କି ଗତବର୍ଷ କଥା ଅବା ଏବର୍ଷ… ଦଶହରା ବଜାରରେ ରାଜଧାନୀ ରାସ୍ତା ପାଲଟେ ଜନ ସମୁଦ୍ର…