ସୋର: ଗୋଟିଏ ପଟେ ବାତ୍ୟା ଦାନାର ପ୍ରଭାବରେ ରାସ୍ତାଘାଟ ବନ୍ଦ ରହିବା ସହିତ ଅନେକ ଲୋକଙ୍କ ଘରେ ପାଣି ପଶିଯାଇଛି। କାହା ଘର ଉପରେ ଗଛ ପଡ଼ି ଘର ଭାଙ୍ଗିଛି ତ ଆଉ କେଉଁଠି ରାସ୍ତା ଉପରେ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ରାସ୍ତା ଅବରୋଧ ହୋଇଛି। ଏପରିସ୍ଥିତିରେ ଆଉ ଏକ ବିପଦ ସ୍ଥାନୀୟ ନଈକୂଳିଆ ଲୋକଙ୍କ ମନରେ ଛାନିଆ ସୃଷ୍ଟି କରିଛି। ବାତ୍ୟା ଦାନା ଚାଲିଯିବା ପରେ ବନ୍ୟାଜଳକୁ ନେଇ ଏବେ ନଦୀକୂଳିଆ ଲୋକମାନେ ଭୟଭୀତ ଥିବା ଜଣାପଡ଼ିଛି।
ସୋର ଓ ସିମୁଳିଆ ବ୍ଲକର ସୀମାନ୍ତରେ ପ୍ରବାହିତ ହୋଇଥିବା କାଂଶବାଂଶ ନଦୀକୂଳିଆ ଲୋକେ ଏହି ବନ୍ୟାଜଳକୁ ନେଇ ବେଶ ଚିନ୍ତିତ। କାଂଶବାଂଶ ନଦୀର ଜଳସ୍ତର ୭.୫୦୫ଏମ ହେଲେ ଏହାକୁ ବିପଦସଙ୍କୁଳ କୁହାଯାଉଥିବା ବେଳେ ଗତକାଲି ରାତି ୧୧ଟା ସୁଦ୍ଧା ନଦୀର ଜଳସ୍ତର ୭.୧୬୫ଏମ ଥିଲା, ମାତ୍ର ଆଜି ସକାଳ ୭:୩୦ ସୁଦ୍ଧା ନଦୀର ଜଳ ବଢି ୭.୪୫୫ଏମରେ ଥିବା ଜଣାପଡ଼ିଛି। ଯାହାକି ବିପଦ ସଙ୍କେତ ଛୁଇଁବାକୁ ମାତ୍ର ସ୍ୱଳ୍ପ ବାକି। ଅନ୍ୟପଟେ ବର୍ଷା ଲାଗିରହିଥିବା ବେଳେ ନଦୀର ଜଳ ସମୟାନୁସାରେ ବଢୁଥିବାରୁ ନଦୀକୂଳିଆ ଲୋକେ ଭୟଭୀତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/10/26/T1aqRRyQpeHJ92lbjZDq.jpeg)