କଟକ: ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ ଅନ୍ତର୍ଗତ ଗୋଳବନ୍ଧ ‌ମୌଜାରେ ନାଲକୋ ରେଳବାଇ ସାଇଡିଂ ପାଇଁ ବେଆଇନ ଭାବେ ଚାଷଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ଦର୍ଶାଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାର, ଇଡକୋ, ନାଲକୋ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି।

Advertisment

ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ନରେନ୍ଦ୍ର କୁମାର ବିଶ୍ୱାଳ ଓ ଅନ୍ୟ ମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅକ୍ଟୋବର ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମାମଲାର ବିବରଣୀରୁ ପ୍ରକାଶ ଯେ ଗେଜେଟ ବିଜ୍ଞପ୍ତି ପ୍ରକାଶ ନକରି ଇଡକୋ ପକ୍ଷରୁ ଆବେଦନକାରୀଙ୍କ ଚାଷ ଜମି ଅଧିଗ୍ରହଣ ଓ ସୀମା ନିର୍ଦ୍ଧାରଣ ନୋଟିସ୍ ଜାରି କରାଯାଇଥିବା ଅଭିଯୋଗ କରି ଏହି ମାମଲା ଦାୟର ହୋଇଛି। ଏପରି କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ।

୨୦୦୬ରେ ଉପରୋକ୍ତ ଅଞ୍ଚଳରେ ଏକ  ମାଇନିଂ କମ୍ପାନି ପ୍ରତିଷ୍ଠା ପାଇଁ ଗେଜେଟ ବିଜ୍ଞପ୍ତି ଜମି ଅଧିଗ୍ରହଣ ନେଇ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଏଥିରେ ଅନ୍ୟ ଏକ କମ୍ପାନି ଯୋଡ଼ି ହୋଇଥିଲା। ନିୟମ ଅନୁପାଳନ କରାଯାଇ ନଥିବାରୁ ସେତେବେଳର  ଜମିଅଧିଗ୍ରହଣ ପ୍ରକ୍ରିୟାକୁ ବେଆଇନ ବୋଲି ଦର୍ଶାଯାଇଥିଲା। ଦୀର୍ଘ ବର୍ଷ ପରେ ପୁନର୍ବାର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନାଲକୋ ରେଳବାଇ ସାଇଡିଂ ପାଇଁ ଜମି ଅଧିଗ୍ରହଣ ନୋଟିସ ଦିଆଯାଇଛି। ଏହି ନୋଟିସ୍ ମଧ୍ୟ ଆଇନ ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ତରଫରୁ ଅଇେନଜୀବୀ ତ୍ରିଲୋଚନ ବାରିକ ମାମଲା ପରିଚାଳନା କରୁଛନ୍ତି।