କଟକ: ବନ ବିଭାଗରେ ଏସିଏଫ (ଆସିଷ୍ଟାଣ୍ଟ କଂଜରଭେଟର ଅଫ୍ ଫରେଷ୍ଟ) ଓ ଫରେଷ୍ଟ ରେଞ୍ଜର ପଦ ପୂରଣ ପାଇଁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେଇଥିବା ପ୍ରାର୍ଥୀଙ୍କୁ ରକ୍ତଚାପ ପରୀକ୍ଷାର ଫଳାଫଳ ଆଧାରରେ ଶରୀରିକ ମାନକ ପରୀକ୍ଷାରୁ ବଞ୍ଚିତ କରାଯିବା ବେଆଇନ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। 

Advertisment

ରକ୍ତଚାପ ମାପ ଆଧାରରେ ପ୍ରାର୍ଥୀଙ୍କୁ ଶାରୀରିକ ମାନକ ପରୀକ୍ଷା ପାଇଁ ଅଯୋଗ୍ୟ ଘୋଷଣା କରାଯିବ ଆଇନ ସମ୍ମତ ନୁହେଁ। ନିଯୁକ୍ତି ବିଜ୍ଞପ୍ତି ଓ ୨୦୧୩ର ନିୟମାବଳୀ ଉଲ୍ଲଂଘନ କରି ରକ୍ତଚାପ ପରୀକ୍ଷାର ଫଳାଫଳ ଆଧାରରେ ପ୍ରାର୍ଥୀଙ୍କୁ ଶାରୀରିକ ମାନକ ପରୀକ୍ଷାରୁ ବଞ୍ଚିତ କରାଯାଇଥିବା ହାଇକୋର୍ଟରେ ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କୁ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦେବା ପାଇଁ ଗ୍ରହଣ କରାଯାଇଥିବା ଏପରି ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

ଆବେଦନକାରୀଙ୍କୁ ଶରୀରିକ ମାନକ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ପ୍ରତିପକ୍ଷ ଅନୁମତି ଦେବେ। ଏଥି ପାଇଁ ତାଙ୍କ ରକ୍ତଚାପ ସ୍ବାଭାବିକ ରହିଥିବା ସଂପର୍କିତ ଡାକ୍ତରୀ ସାର୍ଟିଫିକେଟ ସହିତ ଏକ ଅଣ୍ଡରଟେକିଂ ଆାବଦନକାରୀ ଦାଖଲ କରିବେ। ଶାରୀରିକ ମାନକ ପରୀକ୍ଷା ଚାରି ସପ୍ତାହ ଭିତରେ କରାଯିବ। ଯଦି ଆବେଦନକାରୀ ଏହି ପରୀକ୍ଷାରେ ଯୋଗ୍ୟ ବୋଲି ବିବେଚିତ ହୁଅନ୍ତି ତେବେ ନିଯୁକ୍ତି ପ୍ରକ୍ରିୟାରେ ଆଗକୁ ତାଙ୍କୁ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେବାଶିଷ ଦାଶ ଓ ଅନ୍ୟମାନଙ୍କ ତରଫରୁ ଦାୟର ତି‌ନୋଟି ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଉପରୋକ୍ତ ପଦବି ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷାରେ ୨୫ହଜାର ପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ। ଆବେଦନକାରୀଙ୍କ ସମେତ ୫୩୩ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କ ପାଇଁ ଶରୀରିକ ମାନକ ପରୀକ୍ଷା ଜୁଲାଇ ୧୫ରେ ଅନୁଷ୍ଠିତ ହେବାକୁ ଥିଲା। ଆବେଦନକାରୀଙ୍କ ଆବଶ୍ୟକ ଉଚ୍ଚତା ଓ ଛାତିର ମାପ ଥିବା ବେଳେ ରକ୍ତଚାପ ପରୀକ୍ଷାର ଫଳାଫଳ ଆଧାରରେ ତାଙ୍କୁ ଶାରୀରିକ ସହନଶକ୍ତି ପରୀକ୍ଷା ବା ଚାଲିବା ପରୀକ୍ଷା ପାଇଁ ଅନୁମତି ଦିଆଯାଇ ନଥିଲା। ୪ ଘଣ୍ଟା ଭିତରେ ପୁରୁଷ ପ୍ରାର୍ଥୀ ୨୫କି.ମି. ଓ ମହିଳା ପ୍ରାର୍ଥୀ ୧୬କି.ମି. ଚାଲିବେ ବୋଲି ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀରେ ଉଲ୍ଲେଖ କରାଯାଇଥିଲା।

ଏପରି ଶାରୀରିକ ସହନଶକ୍ତି ପରୀକ୍ଷା (ଚାଲିବା)ରେ ଅଂଶଗ୍ରହଣ ପାଇଁ ପ୍ରାର୍ଥୀଙ୍କ ରକ୍ତଚାପ ପରୀକ୍ଷାର ଫଳାଫଳ ଆଧାର ବୋଲି କୌଣସି ନିୟମ ବା ନିଯୁକ୍ତି ସର୍ତ୍ତ ନଥିଲା। ପ୍ରାର୍ଥୀଙ୍କୁ ରକ୍ତଚାପ ପରୀକ୍ଷା ଫଳାଫଳ ଆଧାରରେ ଅଯୋଗ୍ୟ ଘୋଷଣା କରାଯାଇ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦିଆଯିବା ବେଆଇନ ଦର୍ଶାଇ ହାଇକୋର୍ଟରେ କେ‌ତେକ ପ୍ରାର୍ଥୀ ମାମଲା ରୁଜୁ କରିଥିଲେ। ରକ୍ତଚାପ ଫଳାଫଳ ଆଧାରରେ ଆବେଦନକାରୀଙ୍କୁ ଶରୀରିକ ପରୀକ୍ଷା ପାଇଁ ଅନୁମତି ଦିଆ ନ ଯିବା ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।