କଟକ: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଭାବେ ଗତ ମାର୍ଚ୍ଚ ମାସରେ ନିଯୁକ୍ତି ପାଇଥିବା ଗ୍ରାମରୋଜଗାର ସେବକ(ଜିଆରଏସ)ଙ୍କୁ ପୁଣି ପୂର୍ବ ପଦକୁ ଫେରାଇ ନେବା ପାଇଁ ୨୦୨୪, ସେପ୍ଟେମ୍ବର ୨୫ରେ ଜାରି କରାଯାଇଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥି ସହିତ ହାଇକୋର୍ଟ‌ ମାମଲାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ, ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନୋଟିସ୍ ଜାରି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୫ର ନିର୍ଦ୍ଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।

Advertisment

ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସରସ୍ବତୀ ମଣ୍ଡଳ ଓ ଅନ୍ୟ ୧୦ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ନଭେମ୍ବର ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ‌ଆବେଦନକାରୀ ୨୦୧୮ରେ ଜିଆରଏସ ଭାବେ ନିଯୁକ୍ତି ପାଇଥିଲେ। ୨୦୨୧, ଜୁଲାଇ ୧ରେ ପ୍ରକାଶିତ ଜିଆରଏସଙ୍କ ଗ୍ରେଡେସନ ତାଲିକାରେ ଆବେଦନକାରୀଙ୍କ ନାଁ ସ୍ଥାନ ପାଇଥିଲା। ୨୦୨୪, ଫେବ୍ରୁଆରି ୨୭ରେ ପଞ୍ଚାୟତିରାଜ ବିଭାଗ ତରଫରୁ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ନିୟମାବଳୀ, ୨୦୨୪ ଜାରି କରାଯାଇଥିଲା। ଜିଆରଏସଙ୍କୁ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ପଦରେ ନିଯୁକ୍ତି ସଂକ୍ରାନ୍ତରେ ଗତ ମାର୍ଚ୍ଚ ୧୨ରେ ପଞ୍ଚାୟତିରାଜ ବିଭାଗ ଏକ ଗାଇଡ଼ଲାଇନ ଜାରି କରିଥିଲା। ଏହାପରେ ମାର୍ଚ୍ଚ ୧୫ରେ ୧୮୨ଜଣ ଜିଆରଏସଙ୍କୁ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ପଦରେ ନିଯୁକ୍ତି ଦିଆଯାଇଥିଲା।

ଆବେଦନକାରୀମାନେ ନୂଆ ପଦବିରେ ନିଯୁକ୍ତି ପରେ ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡ଼ା, ଗରଦପୁର, ରାଜକନିକା ଓ ଅନ୍ୟ ବ୍ଲକରେ କାର୍ଯ୍ୟ କରୁଥିବା ବେଳେ ହଠାତ ଗତ ସେପ୍ଟେମ୍ବର ୨୫ରେ ସେମାନଙ୍କୁ  ପୁଣି ପୂର୍ବ ଅବସ୍ଥା (ଜିଆରଏସ ପଦ)କୁ ଫେରାଇ ନେବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ପଦରେ କାର୍ଯ୍ୟ କରିବା ବେଳେ ଆବେଦନକାରୀ ପାଇଥିବା ଦରମା ବାବଦ ଅର୍ଥ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଭଳି ନିର୍ଦ୍ଦେଶ ପ୍ରଦାନ କରାଯିବା ପୂର୍ବରୁ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା ବୋଲି ଅଭିଯୋଗ ହୋଇଥିଲା।

ଏ ନେଇ ହାଇକୋର୍ଟରେ ଦାୟର ମାମଲାରେ ଦର୍ଶାଯାଇଛି ଯେ ଖାଲି ପଡ଼ିଥିବା ୨୫୯ଟି ମଞ୍ଜୁରୀପ୍ରାପ୍ତ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ପଦରେ ଜିଆରଏସ ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀ ଓ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ପଞ୍ଚାୟତିରାଜ ବିଭାଗ ତରଫରୁ ଜାରି ନିୟମାବଳୀନ ଅନୁସାରେ ଆବେଦନକାରୀଙ୍କୁ ଏହି ପଦବିରେ ନିଯୁକ୍ତି ଦିଆଯାଇଥିବା ବେଳେ ବିନା କାରଣରେ ସେମାନଙ୍କୁ ପୁଣି ପୂର୍ବ ପଦକୁ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏଭଳି ନିର୍ଦ୍ଦେଶ ପୂର୍ବରୁ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା।  ଏହା ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ଉଲ୍ଲଂଘନ। ସେପ୍ଟେମ୍ବର ୨୫ରେ ନିର୍ଦ୍ଦେଶକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସ୍ବୟଂପ୍ରଭୁ ଜେନା ସହାୟତା କରୁଥିଲେ।