ଭୁବନେଶ୍ବର: ଭୁବନେଶ୍ବରର ଏମ୍ସରେ ଗୁରୁତର ଭାବେ ଭର୍ତ୍ତି ହୋଇଥିବା ବାଲେଶ୍ବର ଜିଲ୍ଲା ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସନ୍ଧ୍ୟାରେ ଭେଟିଛନ୍ତି। ସଂପୃକ୍ତ ଛାତ୍ରୀଙ୍କ ଚିକିତ୍ସା ଜାରି ଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଛାତ୍ରୀଙ୍କୁ ଟ୍ରମା କେୟାର ୟୁନିଟରୁ ବର୍ଣ୍ଣ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି। ଏମ୍ସରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ସମସ୍ତ ଚେଷ୍ଟା କରୁଛୁ ବୋଲି କହିଛନ୍ତି। ଏଥି ସହିତ ମନ୍ତ୍ରୀ କହିଛନ୍ତି, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ଏଥି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୁକ୍ତକୁ ଗିରଫ ପରେ‌ କୋର୍ଟ ଚାଲାଣ କରାଯାଇଛି। ରାଜ୍ୟ ସରକାର ଫକୀର ମୋହନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟଙ୍କୁ ନିଲମ୍ବନ କରିଛନ୍ତି। 

Advertisment

ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଏଥିରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ ଓ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଫେସର (ଡ.) ଝୁମକି ରଥ ଅଛନ୍ତି।

ସେହିପରି ବିଜେଡିର ପ୍ରତିନିଧି ମଣ୍ଡଳୀ ମଧ୍ୟ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି। ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି । ତା ସହ ପୂର୍ବରୁ ଘଟଣା କେମିତି ରହିଥିଲା ସେ ବାବଦରେ ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳରେ ମେୟର ସୁଲୋଚନା ଦାସ, ବିଧାୟକ ଗୌତମ ବୁଦ୍ଧ ଦାସ, ସ୍ନେହାଙ୍ଗିନୀ ଛୁରିଆ, ରାଜଶ୍ରୀ ମଲ୍ଲିକ, ଇପ୍‌ସିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରିୟବ୍ରତ ମାଝୀ ପ୍ରମୁଖ ଥିଲେ।  

ଝିଅଟି ମୋ ନିର୍ବାଚନ ମଣ୍ଡଳୀର। ସେଥିପାଇଁ ଦୁଃଖ ଲାଗୁଛି। କଲେଜରେ, ବେଳାଭୂମିରେ କୋଉଁଠି ବି ଝିଅମାନେ ସୁରକ୍ଷିତ ନାହାଁନ୍ତି। ଏ ସରକାରରେ ମହିଳା, ଛାତ୍ରୀ, ନାବାଳିକା, ଦଳିତ ଓ ଆଦିବାସୀ କେହି ସୁରକ୍ଷିତ ନାହଁନ୍ତି। ରାଜ୍ୟରେ ଦୁର୍ଯ୍ୟୋଧନ ଶାସନ ଚାଲିଛି। ସେ ଏବିଭିପିର ନେତ୍ରୀ ତଥାପି ତାଙ୍କୁ ସୁରକ୍ଷା ଦିଆଯାଇ ପାରୁନାହିଁ। ଝିଅଟି ସାଂସଦଙ୍କ ପାଖରେ ଜଣାଇଥିବା ସତ୍ତ୍ୱେ ସେ କିଛି କରି ପାରିଲେ ନାହିଁ। ସାଂସଦଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ? ଆଡିସନାଲ ଏସ୍‌ପି. ଜାଣିଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଉଚ୍ଚସ୍ତରୀୟ ତଦନ୍ତ ସାଙ୍ଗକୁ ବିଚାର ବିଭାଗୀୟ ତଦନ୍ତ ହେଉ। ନଚେତ ଆଗାମୀ ଦିନରେ ଏ ସରକାରଙ୍କୁ ଓ ମନ୍ତ୍ରୀଙ୍କୁ ବାଟ ଚଳାଇ ଦିଆଯିବ ନାହିଁ।  

-ଗୌତମ ବୁଦ୍ଧ ଦାସ, ବିଜେଡି ବିଧାୟକ

ସୂଚନାଯୋଗ୍ୟ, ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆଜି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ଛାତ୍ରୀଜଣକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଛାତ୍ରୀ ୧୨ ଦିନ ହେଲା ମାନସିକ ଚାପରେ ଥିଲେ। 

 Balasore | BJD