ନବରଙ୍ଗଗପୁର: ନବରଙ୍ଗପୁର ଜିଲ୍ଲାର ୧୦ଟି ତହସିଲରେ ୩୬୯୧ଜଣ ଭୂମିହୀନ ଘରବାରି ପଟ୍ଟା ଅପେକ୍ଷାରେ ରହିଛନ୍ତି। ଏପରି ସୂଚନା ଗୁରୁବାର ସ୍ଥାନୀୟ ମିସନଶକ୍ତି ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ରାଜସ୍ୱ ବୈଠକରେ ସୂଚନା ମିଳିଛି। ରାଜ୍ୟ ରାଜସ୍ବ ବୋର୍ଡର ଯୁଗ୍ମ ସଚିବ ବରେନ୍ଦ୍ରନାଥ ଧଳଙ୍କ ସମୀକ୍ଷା ବୈଠକରେ ମିଳିଛି। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍, ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା, ପିଏ ଆଇଟିଡିଏ ରାଜୀବ ସାହୁ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ତହସିଲଦାର, ସୁପରଭାଇଜର, ଆରଆଇ, ଏଆରଆଇ, ଜିଲ୍ଲା ଜମି ଭୁବନ୍ଦୋବସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଜିଲ୍ଲାରେ ରହିଯାଇଥିବା ୩୬୯୧ଜଣ ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ କରିବାକୁ ଯୁଗ୍ମ ସଚିବ ଓ ଜିଲ୍ଲାପାଳ ଉପସ୍ଥିତ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସରକାରୀ ଜମିର ଜବରଦଖଲ ମୁକ୍ତ କରିବାକୁ ଉଭୟ କହିଥିଲେ। ଜିଲ୍ଲାର ସର୍ବାଧିକ ନବରଙ୍ଗପୁର ତହସିଲରେ ୧୦୨୯ ଜଣ ଭୂମିହୀନ ରହିଛନ୍ତି।
କୋଡିଙ୍ଗାରେ ୩୩୪, ଚନ୍ଦାହାଣ୍ଡି ୩୯୭, ଡାବୁଗାଁ ୧୨୭, ଝରିଗାଁ ୬୦୦, ନନ୍ଦାହାଣ୍ଡି ୨୦୧, ପାପଡ଼ାହାଣ୍ଡି ୨୧୩, ରାଇଘର ୧୬୯, ,ତେନ୍ତୁଳିଖୁଣ୍ଟି ୧୨୪, ଓ ଉମରକୋଟ ୪୯୭ ଏଭଳି ୩୬୯୧ଜଣ ଭୂମିହୀନ ରହିଥିବାରୁ ତୁରନ୍ତ ପର୍ଯ୍ୟାୟ କ୍ରମେ ପଟ୍ଟା ପ୍ରଦାନ କରିବାକୁ ଉଭୟ ନିର୍ଦ୍ଦେଶ ଦେଇଥିଲେ। ଏଣିକି ଅବକାରୀ ବିଭାଗ ପକ୍ଷରୁ କରାଯାଉଥିବା ଚଢ଼ାଉ ସମୟରେ ଜିଲ୍ଲାପାଳଙ୍କୁ ଅବଗତ କରି ଚଢ଼ାଉ କରିବାକୁ ଇନିସପେକ୍ଟର ଦିଲ୍ଲୀପ ରଥଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାଉପନିବନ୍ଧକ (ଡିଏସଆର)ଙ୍କୁ କାହିଁକି ଜମି ରେଜିଷ୍ଟ୍ରେସନ ହାର କମିଛି ବୋଲି ପଚାରିଥିଲେ। ଯଦି କୌଣସି ଆଇନଗତ ସମସ୍ୟା ରହୁଛି ତେବେ ତୁରନ୍ତ ଜିଲ୍ଲାପ୍ରଶାସନ କିମ୍ବା ରାଜ୍ୟ ରାଜସ୍ବ ବୋର୍ଡ ସହ ଆଲୋଚନା କରି ପଂଜୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଲଘୁ ଖଣିଜ ଚୋରା ଚାଲାଣ ରୋକିବାକୁ ଏନଫୋର୍ସମେଣ୍ଟ କୁ ଜୋରଦାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏନଫୋର୍ସମେଣ୍ଟ ଟିମ ରହିଥିବା ବେଳେ ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଟିମ ଗଠନ କରାଯାଇଛି। ସେହିପରି ତହସିଲସ୍ତରରେ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି। ଚଢ଼ାଉରେ ତହସିଲଦାର, ଆରଆଇ ଆଦିଙ୍କୁ ସାମିଲ କରି ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାରତମାଳା ପ୍ରକଳ୍ପ ରାସ୍ତା ନିର୍ମାଣ ୯୦ପ୍ରତିଶତ ସରିଛି।
ତେବେ କିଛି ପରିମାଣର ଜମି ଭାରତମାଳା ନାଁରେ ହୋଇ ପରିନଥିବାରୁ ସେ ସବୁ ଜମି ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଜମିର ଜବରଦଖଲ ମୁକ୍ତ କରିବାକୁ ଉଭୟ କହିଥିଲେ। ଜଙ୍ଗଲ ଜମିପଟ୍ଟା, ଗୋଷ୍ଠୀଗତ ଜଙ୍ଗଲ ଜମିପଟ୍ଟାକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା। ଖାସ୍ କରି ରାଇଘର ବ୍ଲକରେ ଉପୁଜୁଥିବା ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ଯୋଗ୍ୟ ହିତାଧିକାରୀ, ଗୋଷ୍ଠୀକୁ ଚିହ୍ନଟ କରି ତୁରନ୍ତ ପଟ୍ଟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଂଚଳିକ ପରିବହନ ବିଭାଗ ଅଧିକାରୀ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବାକୁ ଉଭୟ ନିର୍ଦ୍ଦେଶ ଦେଇଥିଲେ।
Nabarangpur