ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକ ମହଲପଡା ପଂଚାୟତରେ ଦ୍ଵିତୀୟ ଥର ପାଇଁ ପ୍ରେଟୋଲ ଓ ପ୍ରାକୃତିକ ଗ୍ୟାସ ମିଳିବାର ଆଶା ଉଦ୍ଜୀବିତ ହୋଇଛି। ସେହିପରି ବନାଖଣ୍ଡି ପଂଚାୟତରେ ମଧ୍ୟ ପ୍ରେଟୋଲ ଓ ପ୍ରାକୃତିକ ଗ୍ୟାସ ବାହାରିବା ଆଶା ଦେଖା ଦେଇଛି। ଏହାକୁ ନେଇ ପ୍ରଶାସନ ଏବଂ ଅଏଲ ଇଣ୍ଡିଆ କଂପାନି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଅଏଲ ଇଣ୍ଡିଆ ପକ୍ଷରୁ ୨୦୧୯ ମସିହାରେ ତୈଳ ଓ ଗ୍ୟାସ ନିମନ୍ତେ ହୋଇଥିବା ସେସମିକ ସର୍ବେକ୍ଷଣରୁ ମହଲପଡା ପଂଚାୟତର ଓରେଇ ଏଵଂ ତଲିକୁସୁମ ମୌଜା ଚିହ୍ନଟ ହୋଇଥିବା ଅଏଲ ଇଣ୍ଡିଆ କଂପାନିର ମୁଖ୍ୟ ପ୍ରଵନ୍ଧକ (ପ୍ରଶାସନ) କାହ୍ନୁ ସାହୁ କହିଛନ୍ତି। ସେଥି ନିମନ୍ତେ ଗୁରୁବାର ମହଲପଡା ପଂଚାୟତ କାର୍ଯ୍ୟାଳୟ ଠାରେ ମହଲପଡା ସରପଂଚ ଶିର୍ଷ ରଂଜନ ନାୟକଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ ହେବାକୁ ଥିବା ଓରେଇ ଓ ତେଲିକୁସୁମ ମୌଜାର ଚାଷୀଙ୍କୁ ଡାକି ଅଏଲ ଇଣ୍ଡିଆ କଂପାନି ପକ୍ଷରୁ ଆଲୋଚନା କରାଯାଇଛି।
ଏହି ମୌଜାରେ ୯ ଏକର ଜମିରେ ପ୍ରେଟୋଲ ଲାଗି ଖନନ ହେବ ଵୋଲି କଂପାନୀ ପକ୍ଷରୁ ଜଣାପଡିଛି। ଚିହ୍ନଟ ହୋଇଥିବା ଜମି ୩ ବର୍ଷ ପାଇଁ ଚାଷୀଙ୍କ ଠାରୁ ଲିଜ୍ ରେ ନିଆଯିବ ଏବଂ ଗୁଣ୍ଠ ପିଛା ଚାଷୀଙ୍କୁ ବର୍ଷକୁ ୧୫ ହଜାର ଟଙ୍କା ହିସାବରେ ୩ ବର୍ଷ ପାଇଁ ଏକକାଳୀନ ୪୫ ହଜାର ଦିଆଯିବ ବୋଲି କଂପାନିର କେ.ଜି.ବି ଏବଂ ଏମ.ବି.ବିର ଚିପ୍ ଜେନେରାଲ ମ୍ୟାନେଜର (ଅର୍ଥ) ସୁଧାଶୁଂ ଶେଖର ଦାସ କହିଛନ୍ତି। ଲିଜ୍ ଏଗ୍ରିମେଣ୍ଟ ଅନୁଯାୟୀ ଚିହ୍ନଟ ହୋଇଥିବା ୨୭ ଜଣ ଚାଷୀଙ୍କୁ ଖୁବ୍ ଶିଘ୍ର ଚେକ୍ ପ୍ରଦାନ କରାଯିବ ଏଵଂ ଖନନ କାର୍ଯ୍ୟ ଆରମ୍ଭ କରାଯିବ ଵୋଲି କଂପାନୀ ପକ୍ଷରୁ ଜଣାପଡିଛି।
ଖନନ ହେବା ସ୍ଥାନଟକୁ ଯାତାୟତ ନିମନ୍ତେ ୪୦ ଫୁଟ୍ ଓସାରର ଏକ ରାସ୍ତା ସମେତ ଖନନ ହେବା ସ୍ଥାନରେ ଶୌଚାଳୟ, କିଚେନ୍ ଗୃହ ସମେତ ଆବଶ୍ୟକୀୟ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ଯେଉଁ ଚାଷୀମାନଙ୍କ ଜମିକୁ କଂପାନି ଅଧିଗ୍ରହଣ କରିବ ସେମାନଙ୍କ ପରିବାରର ୧୮ ରୁ ୩୨ ଵର୍ଷ ବୟସ ମଧ୍ୟରେ ପାଠ ପଢୁଥିବା ଜଣେ ପିଲାକୁ ଉଚ୍ଚ ଶିକ୍ଷା ପାଇଁ ୧ଲକ୍ଷ ୪ ହଜାର ଟଙ୍କା କଂପାନି ପକ୍ଷରୁ ପ୍ରଦାନ କରାଯିବ ବୋଲି ଉପସ୍ଥିତ ଥିବା ଅଧିକାରୀମାନେ କହିଛନ୍ତି।
ପୁନଃ ଏହି ପଂଚାୟତରେ ତୈଳ ମିଳିବା ଆଶା ଉଦଜୀବିତ ହୋଇଥିବାରୁ ଜନସାଧାରଣ ଖୁସି ଜାହିର କରିଛନ୍ତି। ଯଦି ଏହି ଦୁଇ ସ୍ଥାନରୁ ଆଶାତୀତ ଭାବେ ତୈଳ ବାହାରେ ତେବେ ଗୋପ ବ୍ଲକ ଜାତୀୟ ଓ ଆର୍ନ୍ତଜାତୀୟ ଅର୍ଥନୀତିରେ ଏକ ବ୍ୟବସାୟୀକ ପେଣ୍ଠସ୍ଥଳ ହେବ ଏଵଂ ଆଧୁନିକ ଭାରତର ବିକାଶରେ ଏକ ପ୍ରମୁଖ ଭୂମିକା ନେବ। ଏଥିରେ ସଂନ୍ଦେହ ନାହିଁ ବୋଲି କଂପାନିର ସି.ଆଇ.ପି.ଟି ବିଶ୍ବଜିତ୍ ଵେଉରା କହିଛନ୍ତି। ଚାଷୀମାନଙ୍କୁ ନେଇ କଂପାନି ପକ୍ଷରୁ କରାଯାଇଥିବା ଏହି ଆଲୋଚନାରେ ଚିପ୍ ଜେନେରାଲ ମ୍ୟାନେଜର ସୁଧାଂଶୁ ଶେଖର ଦାସ, ପ୍ରଵନ୍ଧକ (ପ୍ରଶାସନ) କାହ୍ନୁ ସାହୁ, ଜି. ଏମ.(ସିଭିଲ) ପରେଶ୍ କର୍ମାକର, ଜି.ଏମ. ଏଚ୍.ଏସ. ଇ. ଗୋପାଳ ଗୋବିନ୍ଦ ରାସୁ, ସି ଆଇ ପିଇଟି ମଂଚେଶ୍ଵରର ବିଶ୍ବଜିତ୍ ବେଉରା, ଅଏଲ ଇଣ୍ଡିଆ କଂପାନିର କନଶୋଲାଣ୍ଟ ବିପିନ ବିହାରୀ ସାମଲଙ୍କ ସମେତ ଚାଷୀ ବିଚିତ୍ର ଖୁଣ୍ଟିଆ, ବୈଷ୍ଣବ ଦାସ, ଯୋଗେଶ ଦାଶ, ଜମ୍ଵେଶ୍ବର ସେନାପତି, ପ୍ରଫୁଲ୍ଲ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।