ଝରିଗାଁ(ରମେଶ ପଟ୍ଟନାୟକ): ସ୍ୱାମୀ ଜୀବତ ସମୟରେ ଦୀର୍ଘ ବର୍ଷ ତଳେ ଆଶ୍ରୟ ନେବା ପାଇଁ ଦୁଇ ବଖରା ମାଟି ଘର ନିର୍ମାଣ କରିଥିଲେ। ସ୍ବାମୀଙ୍କ ଦେହାନ୍ତ ପରେ ଘର ମରାମତି କରିବା କଷ୍ଟ ହୋଇଥିଲା। ବର୍ଷା ପାଣିରେ କାନ୍ଥ ଗୁଡ଼ିକ ନଷ୍ଟ ହେବା ସହ ବର୍ଷା ଯୋଗୁଁ ଗତ ଦୁଇ ମାସ ତଳେ ଘର ସମ୍ପର୍ଣ୍ଣ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ଖୋଲା ଆକାଶ ତଳେ ରୋଷେଇ କରୁଥିବା ବେଳେ ପର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି ବିଧବା ପରିବାର। ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ପୂଜାରୀଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି।
କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଆବାସ ଯୋଜନା କରିଛନ୍ତି। ଅଭିଯୋଗ ହୋଇଥାଏ ଯେ, ଅନେକ ଚତୁର ଲୋକଙ୍କୁ ଏକାଧିକ ଥର ଏହି ଯୋଜନାରେ ସାମିଲ କରାଯାଇଛି। କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। ଗରିବ ଓ ଅସହାୟ ଲୋକଙ୍କର ଗୁହାରୀକୁ ସରକାରୀବାବୁମାନେ ଅଣଦେଖା କରୁଥିବା ମଧ୍ୟ ଅଭିଯୋଗ ହୋଇଥାଏ।
ସୂଚନା ପ୍ରକାରେ ଦୀର୍ଘ ବର୍ଷ ତଳେ ଶୁକ୍ରୀ ଭତ୍ରାଙ୍କ ସ୍ୱାମୀ ଫଗୁଣୁ ଭତ୍ରା କୁଲି କାମ କରି ଯାହା ରୋଜଗାର କରୁଥିଲେ। ସେଥିରେ ପରିବାର ପ୍ରତି ପୋଷଣ କରିବା ସହ କିଛି ସଞ୍ଚୟ ଟଙ୍କାରେ ଏକ ମାଟିରେ ନିର୍ମିତ ଘର ନିର୍ମାଣ କରିଥିଲେ। ୧୦ ବର୍ଷ ପୂର୍ବେ ଫୁଗୁଣଙ୍କ କୌଣସି ଏକ ରୋଗରେ ପୀଡିତ ହୋଇ ଦେହାନ୍ତ ହୋଇ ଯାଇଥିଲା। ସ୍ବାମୀଙ୍କ ଦେହାନ୍ତ ପରେ ଶୁକ୍ରୀ ନିଜ ଗ୍ରାମରେ କୁକି କାମ କରି ମାନସିକ ବିକୃତ ପୁଅ ସହ ରହି ଆସୁଥିଲେ।
ତେବେ ଗତ ଦୁଇ ମାସ ତଳେ ବର୍ଷା ପାଣି ଯୋଗୁଁ ମାଟିରେ ନିର୍ମିତ ଘର ସମ୍ପର୍ଣ୍ଣ ଭୁଶୁଡ଼ି ଯାଇଥିଲା। ସ୍ୱାମୀ ତିଆରି କରିଥିବା ଘର ସମ୍ପର୍ଣ୍ଣ ଭୁଶୁଡ଼ି ପଡ଼ିବା ପରେ ଶୁକ୍ରୀ ଏବେ ବେସାହାରା ହୋଇ ଯାଇଛନ୍ତି। ଭଙ୍ଗା ଘର ଆଗରେ ଖଲା ଆକାଶ ତଳେ ରୋଷେଇ କରୁଥିବା ବେଳେ ଗ୍ରାମର ପର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଏଠାରେ ପ୍ରକାଶ ଯେ ଶୁକ୍ରୀଙ୍କୁ ପ୍ରଶାସନ ପକ୍ଷରୁ ଚାଉଳ ଏବଂ ଭତ୍ତା ପ୍ରଦାନ କରାଯାଉଛି। ଚାଉଳ ଏବଂ ଭତ୍ତା ଟଙ୍କାରେ ବହୁ କଷ୍ଟରେ ପରିବାର ଚାଲୁଥିବା ଅଭିଯୋଗ ହୋଇଛି।
Nabarangpur