ରାଉରକେଲା: ସିଭିଲଟାଉନସିପ୍ସ୍ଥ ‘ହୁଡ୍ଦଙ୍ଗ ବାର୍ ଆଣ୍ଡ ରେସ୍ତୋରାଁ’କୁ ଆଜି ରାତିରେ ସିଲ୍ କରାଯାଇଛି। ରାଉରକେଲା ଅତିରିକ୍ତ ଏସ୍ପି, ଅବକାରୀ ଉପଅଧୀକ୍ଷକ ଅର୍ଚ୍ଚନା ବାରିକ୍, ପାନପୋଷ ଏସ୍ଡିପିଓ ଉପାସନା ପାଢ଼ୀଙ୍କ ଉପସ୍ଥିତିରେ ଅବକାରୀ ପୁଲିସ ଟିମ୍ ସିଲ୍ କରିଥିଲେ। ସମ୍ଭାବନା ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଗଣଦୁଷ୍କର୍ମ ଘଟଣାକୁ ନେଇ ହୁଡ୍ଦଙ୍ଗ ବାର୍ ଚର୍ଚ୍ଚାରେ ରହିଥିଲା।
ରାଜନୈତିକ ଦଳର ନେତା ଓ ବିଭିନ୍ନ ସଙ୍ଗଠନ ରାଉରକେଲା ଏସ୍ପି ବ୍ରିଜେଶ ରାୟ ଓ ଅବକାରୀ ଉପଅଧୀକ୍ଷକ ଅର୍ଚ୍ଚନା ବାରିକ୍ଙ୍କୁ ଭେଟି ବାର୍କୁ ସିଲ୍ କରିବାକୁ ଦାବି କରିଥିଲେ। ବାର୍ ଲାଇସେନ୍ସ ପାଇଥିଲେ ହେଁ ନିୟମବିରୋଧୀ କାମ କରୁଥିଲା। ନାବାଳିକାମାନେ ବାର୍ରେ ସାମିଲ ହେଉଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପପ୍ ଡ୍ୟାନ୍ସ ଚାଲୁଥିଲା ବୋଲି ପୂର୍ବତନ ନଗରପାଳ ନିହାର ରାୟ ଓ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ଅଭିଯୋଗ କରିଥିଲେ।
କେବଳ ଏତିକି ନୁହେଁ ରାଉରକେଲା ଅବକାରୀ ପୁଲିସ ଜିଲ୍ଲା ଅଧୀନରେ ମାତ୍ର ୨୩ଟି ବାର୍କୁ ଲାଇସେନ୍ସ ମିଳିଥିଲାବେଳେ ଶହ ଶହ ବାର୍ ମାସ ମାସ ଧରି ବିନା ଲାଇସେନ୍ସରେ ଚାଲିଛି। ଗତକାଲି ଏ ସମ୍ପର୍କିତ ତଥ୍ୟଭିତ୍ତିକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ବାର୍କୁ ସିଲ୍କୁ କରାଯାଇଛି। କେବଳ ହୁଡ୍ଦଙ୍ଗ ବାର୍ ନୁହେଁ ସହରରେ ଏମିତି ଅନେକ ବାର୍ ଲାଇସେନ୍ସ ପାଇଥିଲେ ହେଁ ନିୟମବିରୋଧ କାମ କରୁଛନ୍ତି। ବିନା ଲାଇସେନ୍ସରେ କିଛି ହୋଟେଲ ଓ ଲଜ୍ରେ ବାର୍ ଚାଲିଛି। ଏମାନଙ୍କ ବିରୋଧରେ ସ୍ଥାନୀୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଅବକାରୀ ବିଭାଗ ଏସବୁ ବେଆଇନ ବାର୍ଗୁଡ଼ିକୁ ସିଲ୍ କରିବାକୁ ସହରର ବିଭିନ୍ନ ମହଲରୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/MQrhoMGnpmqhWAdtIqmU.jpeg)