ବୈଶିଙ୍ଗା: ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ମୟୂରଭଂଜ ଜିଲ୍ଲା ବେତନଟୀ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। ମଝିରେ ମଝିରେ ପ୍ରବଳ ବର୍ଷା ମଧ୍ୟ ହେଉଛି। ଏହାର ପ୍ରଭାବରେ ଅର୍ଥନୈତିକ କାରବାର ହ୍ରାସ ପାଇବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛିl ସେହିଭଳି ଅନେକ ସ୍ଥାନରେ ବିରାଟ ବିରାଟ ଗଛ ଉପୁଡି ଯାଇ କୋଉଠି ଘର ଭାଙ୍ଗିଯାଇଛି ତ ଆଉ କୋଉଠି ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଛିl ସେହିଭଳି ବିଦ୍ୟୁତ ତାର ଉପରେ ପଡି ବିଦ୍ୟୁତ ସରବରାହ ମଧ୍ୟ ଠପ ହୋଇଯାଇଛିl
ବେତନଟୀ ବ୍ଳକ ପୁରୁଣିଆ ପଞ୍ଚାୟତ ଅଧୀନ ବଇଁଚା ଉପକଣ୍ଠ ନୂଆସାହି ଗ୍ରାମରେ ଲଗାଣ ବର୍ଷାରେ ଏକ ବିଶାଳ ବରଗଛ ଓଲଟିପଡ଼ି ରାସ୍ତ ଅବରୋଧ କରିବା ସହିତ ଘର ଭାଙ୍ଗି ଦେଇଥିବା ବେଳେ ଖବରପାଇ ବେତନଟୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚୁ ବୁଧବାର ଅପରାହ୍ନରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲାI ଲଘୁଚାପଜନିତ ଲଗାଣବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହୁଥିବାରୁ ବଇଁଚା ଉପକଣ୍ଠ ନୂଆସାହି ଗ୍ରାମରେ ଏକ ବିଶାଳ ବରଗଛ ପାଣ୍ଡୁ ସିଂଙ୍କ ଘର ଉପରକୁ ଓଲଟିପଡ଼ିଥିଲା। ଶହଶହ ବର୍ଷର ବରଗଛ ଓଲଟିପଡିବା ଦ୍ଵାରା ରାସ୍ତା ଅବରୋଧ ହେବା ସହିତ ପାଣ୍ଡୁ ସିଂଙ୍କ ମାଟିକାନ୍ଥ ବିଶିଷ୍ଟ ଆଜବେଷ୍ଟସ ଘରଟି ବିଶାଳ ବରଗଛ ତଲେ ଚାପିହୋଇ ରହିଥିଲା।
ଶହଶହ ବର୍ଷର ବିଶାଳ ବରଗଛକୁ କାଟିବାରେ ଅକ୍ଷମ ଗ୍ରାମବାସୀ ଶେଷରେ ବେତନଟୀ ଅଗ୍ନିଶମବାହିନୀର ସହାୟତା ଲୋଡ଼ିଥିଲେ। ବେତନଟୀ ଦମକଳ କେନ୍ଦ୍ରର ଆଗ୍ନିକମାନେ ବୁଧବାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଦୀର୍ଘସମୟର ଉଦ୍ୟମ ପରେ ଶେଷରେ ଓଲଟି ପଡିଥିବ ଥିବା ବିଶାଳ ବରଗଛକୁ ଘର ଏବଂ ରାସ୍ତା ଉପରୁ ଅପସାରଣ କରାଇବାରେ ସକ୍ଷମ ହୋଇଥିଲେ। ପରେ ଯାତାୟାତ ସ୍ବଭାବିକ ହୋଇଥିବା ବେଳେ ଘରଉପରୁ ବିଶାଳ ବରଗଛ ଅପସାରଣ ପରେ ପାଣ୍ଡୁ ସିଂଙ୍କ ପରିବାର ଆଶ୍ୱସ୍ତ ହୋଇଛନ୍ତିl
ସେହିପରି ମେର୍ଦା ଉପକଣ୍ଠ ବାଦଲ ଛକ ନିକଟରେ ଓ ଅନ୍ୟପଟେ ଅସ୍ତସାହି ନିକଟରେ ୧୧କେଭି ବିଦ୍ୟୁତ ତାର ଉପରେ ଗଛ ଗଡିଯିବାରୁ ଏକାଧିକ ଅଞ୍ଚଳରେ ବିଦ୍ୟୁତ ସରବରାହ ପୁରା ଠପ ହୋଇଯାଇଛିl ବୈଶିଙ୍ଗା ସେକ୍ସନ ଜେଇ ପ୍ରଶାନ୍ତ ନାୟକଙ୍କ ତତ୍ୱାବଧାନରେ ଏକାଧିକ ଟିମ ଗଛ କାଟି ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତିl
Mayurbhanj