ବୈଶିଙ୍ଗା: ଶରତଋତୁ ଋତୁରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛିl ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତିl ଏହା ସାଙ୍ଗକୁ ଗତ ୩ଦିନ ଧରି ରୌଦ୍ରତାପ ମଧ୍ୟ କିଛି କମ ନୁହେଁl ଏଭଳି ସମୟରେ ମରାମତି ବାହାନାରେ ଦିନ ତମାମ ବିଦ୍ୟୁତ୍ କାଟ କରାଯାଉଛିl ପ୍ରାୟ ସପ୍ତାହକୁ ଥରେ ଦିନ ତମାମ ବିଜୁଳି କାଟରେ ବୈଶିଙ୍ଗା ଅଞ୍ଚଳବାସୀ ଅସୁବିଧାର ସମ୍ମୁଖିନ ହେଉଛନ୍ତିl ଅନ୍ୟପଟେ ଏମିତିବି ଦୈନିକ ୮ରୁ ୧୦ ଥର ଅଘୋଷିତ ବିଦ୍ୟୁତ୍ କାଟ ହେଉଛିl ଏହାଦ୍ୱାରା କୋମଳମତି ଶିଶୁ, ବରିଷ୍ଠ ନାଗରିକଙ୍କ ଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ପାନୀୟ ଜଳ ଠିକ୍ ମାତ୍ରରେ ପାଇପରେ ଆସୁନାହିଁ।
ପ୍ରାୟତଃ ସପ୍ତାହରେ ଦିନେ ପୂର୍ବରୁ ମାଇକରେ ଘୋଷଣା କରି ପରଦିନ ଦିନ ତମାମ ବିଦ୍ୟୁତ୍ କାଟ ବୃଦ୍ଧାବୃଦ୍ଧଙ୍କଠାରୁ ଆରମ୍ଭ କରି କୋମଳମତୀ ଶିଶୁ, ବିଦ୍ୟାଳୟ କକ୍ଷରେ ଛାତ୍ରଛାତ୍ରୀଙ୍କୁ ଛଟପଟ କରୁଛି l ଏହି କ୍ରମରେ ଆଜି ସ୍ଥାନୀୟ ପଞ୍ଚପଲ୍ଲୀ ଉଚ୍ଚ ବିଦ୍ୟାଳୟର ଜଣେ ୯ମ ଶ୍ରେଣୀ ଛାତ୍ରୀ ଝାନ୍ସୀ ସେଠୀ ଆଜି ଶ୍ରେଣୀ ଗୃହରେ ପ୍ରବଳ ଗୁଳୁଗୁଳି ପାଇଁ ଅଣ ନିଶ୍ୱାସୀ ହୋଇଥିଲେ। ସେ ହଠାତ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେl ତାଙ୍କୁ ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ବୈଶିଙ୍ଗା ଡାକ୍ତରଖାନା ନିଆଯାଇଥିଲାl ସେଠାରେ ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କଲାରୁ ବିଦ୍ୟାଳୟକୁ ଫେରିଥିଲେ l ତେବେ ବୈଶିଙ୍ଗା ଅଞ୍ଚଳରେ ଏହିଭଳି ଅଘୋଷିତ ଓ ଘୋଷିତ ନିୟମିତ ବିଜୁଳି କାଟ୍ ପରିସ୍ଥିତିକୁ ଜଟିଳ କରିଦେଇଛି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସାମାନ୍ୟ ପବନ କି ଝିପିଝିପି ବର୍ଷା ହେଲେ, କେଉଁଠି ବିଦ୍ୟୁତ୍ ଖୁଣ୍ଟ କି ବିଦ୍ୟୁତ୍ ତାରରେ ସାମାନ୍ୟ ସମସ୍ୟା ସୃଷ୍ଟି ହେଲେ ବିଜୁଳି ଚାଲିଯାଉଛି। ଏହାକୁ ନେଇ ଗ୍ରାହକ ବିଜୁଳି କାର୍ଯ୍ୟାଳୟକୁ ଫୋନ୍ କଲେ ମଧ୍ୟ ସମୟ ସମୟରେ ସନ୍ତୋଷ ଜନକ ଉତ୍ତର ମଧ୍ୟ ମିଳୁନିl ସାମାନ୍ୟ ସମସ୍ୟା ଥିଲେ ମଧ୍ୟ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ମରାମତି ହୋଇପାରୁନାହିଁ। ବିଦ୍ୟୁତ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ଭାବେ ପରିଚିତ ହୋଇଛି। ହେଲେ ବିଦ୍ୟୁତ୍ ବିଭ୍ରାଟ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଏଭଳି ବାରମ୍ବାର ବିଦ୍ୟୁତ୍ କାଟ ବନ୍ଦ ନ କଲେ ଉପୋଭୋକ୍ତାମାନେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ପଛାଇବେ ନାହିଁ ବୋଲି ଆଲୋଚନା ହେଉଛିl ବିଦ୍ୟୁତ୍ କାଟ ସମ୍ପର୍କରେ ବେତନଟୀ ଏସ୍ଡିଓ ସୁଦୀପ୍ତ ମିଶ୍ରଙ୍କୁ ପଚାରିବାରେ ସେ ବେତନଟୀରୁ ବୈଶିଙ୍ଗା ୩୩କେଭି କାମ ଚାଲିଛି ଓ ଏହା ଆଗାମୀ ଶୀତ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତିl
Mayurbhanj