ରାଉରକେଲା: ଗବେଷଣା କ୍ଷେତ୍ରରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ଆଉ ଏକ ଅନନ୍ୟ ଉପଲବ୍ଧି ହାସଲ କରିଛି। ଏହି ଅନୁଷ୍ଠାନ ଭାରତର ବର୍ଦ୍ଧିତ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ରେ ଉଲ୍ଲେଖନୀୟ ଅବଦାନ ଦେଇଛି। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ‘ସେମିକନ୍ ଇଣ୍ଡିଆ-୨୦୨୫’ରେ ଏନ୍ଆଇଟି ରାଉରକେଲାରେ ନିର୍ମିତ ସ୍ୱଦେଶୀ ସମନ୍ବିତ (ଆଇସି) ଡିଜାଇନ୍ ପ୍ରଦର୍ଶିତ ହୋଇଛି। ଏନ୍ଆଇଟିରେ ବିକଶିତ ଏହି ଦୁଇଟି ଆଇସି ହେଉଛି, ବର୍ତ୍ତମାନର ଏନକ୍ରିପସନ୍ କୋର୍ (ସି୨ଏସ୍୦୦୧୭) ଓ ଭିଜିଏ ଆମ୍ପ୍ଲିଫାୟର୍ ସେନ୍ସର ସର୍କିଟ୍ (ସି୨ଏସ୍୦୦୧୮)।
ଉଲ୍ଲେଖଯୋଗ୍ୟ, ବର୍ତ୍ତମାନର ଏନକ୍ରିପସନ୍ କୋର୍ ଆଇସି ହେଉଛି ସମ୍ବଳ-ସୀମିତ ପରିବେଶ ଅନୁକୂଳ ଏକ ହାଲୁକା ବ୍ଲକ ସାଇଫର, ଯାହା ଆଇଓଟି, ଆର୍ଏଫ୍ଆଇଡି, ଇ-ପେମେଣ୍ଟ, ସ୍ୱାସ୍ଥ୍ୟସେବା, ସେନ୍ସର ନେଟୱାର୍କ ସୁରକ୍ଷା ପାଇଁ ପ୍ରଯୁଜ୍ୟ। ଏହା ଡ. ରୁବି ମିଶ୍ର, ଭରତ ପାଟିଦାର, ପ୍ରଫେସର ଆୟସକାନ୍ତ ସ୍ୱାଇଁ ଓ ପ୍ରଫେସର କେ. କେ. ମହାପାତ୍ରଙ୍କ ଦ୍ୱାରା ବିକଶିତ। ସେହିଭଳି ଭିଜିଏ ଆମ୍ପ୍ଲିଫାୟର ସେନ୍ସର ସର୍କିଟ୍ ଆଇସିକୁ ସୁଶ୍ରୀ ଇପ୍ସିତା, ସୁଶ୍ରୀ ସମୀକ୍ଷା, ପ୍ରେମ ସାଇ, ପ୍ରଫେସର ସୌଗତ କୁମାର କର ଓ ପ୍ରଫେସର ସୁଦୀପ କୁଣ୍ଡୁ ଡିଜାଇନ୍ କରିଛନ୍ତି। ବାୟୋମେଡିକାଲ୍ ଓ ଆଇଓଟି ଆପ୍ଲିକେସନ୍ ପାଇଁ ଡିଜାଇନ୍ କରାଯାଇଥିବା ଏହି ଆଇସି ଆକ୍ସିଲେରୋମିଟର ସଂଯୋଗ, ଅପରେସନାଲ୍ ଟ୍ରାନ୍ସକଣ୍ଡକ୍ଟନ୍ସ ଆମ୍ପ୍ଲିଫାୟର (ଓଟିଏ) ଉପାଦାନ ଏବଂ ଶକ୍ତି ଅମଳ ଯନ୍ତ୍ର ସହିତ ଏକ କ୍ୟାପାସିଟିଭ୍ ଇଣ୍ଟରଫେସ୍ ଏକୀକରଣ କରିଥାଏ।ଏହି ସେମିକଣ୍ଡକ୍ଟରଗୁଡ଼ିକ ୨୦୨୩ ମସିହାରେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅନୁମୋଦିତ ଚିପ୍-ଟୁ-ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସମୟରେ ନିର୍ମାଣ କରାଯାଇଥିଲା।
ପ୍ରଫେସର କମଳାକାନ୍ତ ମହାପାତ୍ର ଓ ପ୍ରଫେସର ଆୟସକାନ୍ତ ସ୍ୱାଇଁଙ୍କ ନେତୃତ୍ବରେ ଏହା ପ୍ରସ୍ତୁତ ହୋଇଥିଲା। ଏହି ଚିପ୍-ଟୁ-ଷ୍ଟାର୍ଟଅପ୍ପ ପଦକ୍ଷେପ ଭିଏଲ୍ଏସ୍ଆଇ ଓ ସିଷ୍ଟମସ୍ତରୀୟ ଡିଜାଇନରେ ବ୍ୟାପକ ଗବେଷଣାକୁ ସକ୍ଷମ କରିଥାଏ। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ସ୍ନାତକ, ସ୍ନାତକୋତ୍ତର ଓ ଡକ୍ଟରେଟ୍ସ୍ତରରେ ଏସ୍ଓସି ଓ ସିଷ୍ଟମ ଡିଜାଇନରେ ଦକ୍ଷ ମାନବଶକ୍ତି ବିକାଶ କରିବା।
ଏନେଇ ଚିପ୍-ଟୁ-ଷ୍ଟାର୍ଟଅପ୍ ପ୍ରୋଗ୍ରାମର ଫ୍ୟାକଲ୍ଟି ଓ ସହକାରୀ ପିଆଇ ପ୍ରଫେସର ଅୟସକାନ୍ତ ସ୍ୱାଇଁ କହିଛନ୍ତି, ଏନ୍ଆଇଟିର ଦୁଇଟି ଡିଜାଇନ୍ ସେମିକନ୍ ଇଣ୍ଡିଆରେ ପ୍ରଦର୍ଶିତ ହେବା ନିଶ୍ଚିତଭାବେ ଗର୍ବର ବିଷୟ। ଏହି ମାନ୍ୟତା ଆମକୁ କଠିନ ପରିଶ୍ରମ କରିବା ସହ ଭାରତ ଓ ଓଡ଼ିଶାରେ ସେମିକଣ୍ଡକ୍ଟର ଇକୋସିଷ୍ଟମର ଅଭିବୃଦ୍ଧି ପାଇଁ ଅଧିକ ଯୋଗଦାନ ଦେବାକୁ ପ୍ରେରଣା ଦେବ। ଏହାସହ ଶିଳ୍ପ ଓ ସାମାଜିକ ପ୍ରୟୋଗ ପାଇଁ ସ୍ୱଦେଶୀ ଆଇସି ଡିଜାଇନକୁ ସକ୍ଷମ କରି ଆତ୍ମନିର୍ଭର ଭାରତ ଆଡ଼କୁ ଆମର ଯାତ୍ରାକୁ ମଜବୁତ କରୁଛି। ଡିଜାଇନ୍ ସି୨ ଏସ୍୦୦୧୮ର ପ୍ରଫେସର ସୌଗତ କୁମାର କର କହିଛନ୍ତି, ଏହି ସଫଳତା ସେମିକଣ୍ଡକ୍ଟର ଡିଜାଇନ୍ରେ ସ୍ୱଦେଶୀ କ୍ଷମତା ନିର୍ମାଣ ଓ ଭାରତର ଦ୍ରୁତ ଗତିରେ ବିକଶିତ ହେଉଥିବା ଚିପ୍ ଶିଳ୍ପ ପାଇଁ ଏକ ଦକ୍ଷ କର୍ମଶକ୍ତି ପ୍ରସ୍ତୁତ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆମେ ଦେଶର ସେମିକଣ୍ଡକ୍ଟର ଇକୋସିଷ୍ଟମ୍ରେ ଓଡ଼ିଶାକୁ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନକାରୀଭାବେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛୁ।
NIT Rourkela